ଥମୁନି ଦାଦନ ଦୁଃଖ, କାମ କରିବାକୁ ଯାଇ ଆନ୍ଧ୍ରରେ ଗଲା ଯୁବକଙ୍କ ଜୀବନ

author img

By

Published : Dec 2, 2022, 12:30 PM IST

Updated : Dec 2, 2022, 1:02 PM IST

ପୁଣି କଳାହାଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଦାଦନ ଶ୍ରମିକ ମୃତ୍ୟୁ । ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ପିଣ୍ଡାପଦର ଗାଁର ସୁନାଙ୍ଗ ମାଝୀଙ୍କ ୧୯ ବର୍ଷର ପୁଅ ରବି ମାଝୀ । ଅଧିକ ପଢନ୍ତୁ

ଭବାନୀପାଟଣା: ଉଗ୍ର ରୂପ ଧାରଣ କରୁଛି ଦାଦନ ପ୍ରଥା । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରୁଛନ୍ତି । ଯେଉଁ ସମୟରେ ସ୍କୁଲ କଲେଜକୁ ଯାଇ ପାଠ ପଢିବା କଥା ଯେଉଁ ସମୟରେ ହାତରେ କଲମ ଓ ବହି ଧରିବା କଥା ପରିବାର ପ୍ରତିପୋଷଣ ପାଇଁ ସେ ମାନେ ସାଜିଛନ୍ତି ଦାଦନ ଶ୍ରମିକ । ତେବେ କଳାହାଣ୍ଡି ଜିଲ୍ଲାର ପୁଣି ଏକ ଶ୍ରମିକ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ।

ଥମୁନି ଦାଦନ ଦୁଃଖ

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନରେ ଗ୍ୟାସ ବିସ୍ଫୋରଣ: 9 ମୃତ, 4 ଆହତ

କଳାହାଣ୍ଡି ଜିଲ୍ଲାରେ ପୁଣିଥରେ ସେହି ଦାଦନ ଦୁଃଖ ଦେଖା ଦେଇଛି । କଅଁଳ ବୟସରେ ପରିବାର ପ୍ରତିପୋଷଣ ପାଇଁ ଯାଇଥିଲା ଦାଦନ, ହେଲେ ଗୁରୁବାର ଗାଁକୁ ଫେରିଛି ମୃତଦେହ । ସୂଚନା ଅନୁଯାୟୀ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଇଲାକା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ଗାଁର ସୁନାଙ୍ଗ ମାଝୀଙ୍କ ୧୯ ବର୍ଷର ପୁଅ ରବି ମାଝୀ ଗତ ମାସରେ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ପ୍ରତ୍ୟେକ ଦିନ ଭଳି ବୁଧବାର ମଧ୍ୟ ସେ ମାଛ କମ୍ପାନୀକୁ କାମ କରିବାକୁ ଯାଇଥିଲେ।

ସେଠାରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ରବିକୁ ସାଥି ଶ୍ରମିକ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ରବିଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଏହାପରେ କମ୍ପାନୀ ପକ୍ଷରୁ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପିଣ୍ଡାପଦର ଗାଁକୁ ପଠାଇ ଦେଇଥିଲେ । ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ପରିବାର ଓ ଗ୍ରାମବାସୀ ମିଶି ରବିଙ୍କ ଅନ୍ତିମ ସତ୍କାର କରିଛନ୍ତି । ହେଲେ ପରିବାର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଏବେ ବେସାହାରା ପୁରା ପରିବାର । ସେପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଉପରେ ସରକାରଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 2, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.