ETV Bharat / state

9ମାସ ମୃତ୍ୟୁ ସହ ସଂଘର୍ଷ କରି ହାରିଗଲେ ଅଧ୍ୟାପକ, ଛାତ୍ରଙ୍କ ମାଡରେ ହୋଇଥିଲେ ଗୁରୁତର

author img

By ETV Bharat Odisha Team

Published : Oct 25, 2023, 10:44 PM IST

Etv Bharat
Etv Bharat

9 ମାସ ମୃତ୍ୟୁ ସହ ସଂଘର୍ଷ କରି ଆଖିବୁଜିଲେ ଅଧ୍ୟାପକ । କ୍ଲାସରେ ଛାତ୍ରର ଆକ୍ରମଣରେ ହୋଇଥିଲେ ଗୁରୁତର । ଅଧିକ ପଢନ୍ତୁ

9 ମାସ ମୃତ୍ୟୁ ସହ ସଂଘର୍ଷ କରି ଆଖିବୁଜିଲେ ଅଧ୍ୟାପକ

ଝାରସୁଗୁଡ଼ା/ସମ୍ବଲପୁର : ଆଖି ବୁଜିଲେ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇ ଦୀର୍ଘ 9 ମାସ ଧରି ଚିକିତ୍ସାଧୀନ ଥିବା ଅଧ୍ୟାପକ । ଝାରସୁଗୁଡା ଜିଲ୍ଲା ଏଚ କଣ୍ଟାପାଲି କଲେଜରେ ଛାତ୍ରଙ୍କ ମାଡରେ ଗୁରୁତର ଥିବା ଅଧ୍ଯାପକ ଅମିତ କୁମାର ବାରିକଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାର ଭୀମସାର ମେଡିକାଲରେ ମୃତ୍ଯୁ ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ଫେବୃଆରୀ 22 ତାରିଖରେ ରାଜେଶ କୁମାର ସହିସ ନାମକ ଜଣେ ଛାତ୍ର ବିଳମ୍ବରେ କ୍ଲାସକୁ ଆସିଥିବାରୁ ଅଧ୍ୟାପକ ଅମିତ ତାଙ୍କୁ ତାଗିଦ କରିଥିଲେ । ଏହାପରେ ଛାତ୍ର ସହ ଯୁକ୍ତିତର୍କ ହେବା ସହ ଛାତ୍ରଜଣକ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲା । ଫଳରେ ଅଧ୍ୟାପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେହି ଦିନଠାରୁ ଗୁରୁତର ଅଧ୍ୟାପକ ବୁର୍ଲା ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ତେବେ ଦୀର୍ଘ 9 ମାସ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ତେବେ ଆଜି ତାଙ୍କର ବୁର୍ଲା ମେଡ଼ିକାଲରେ ମୃତ୍ଯୁ ଘଟିଛି । ଅଧ୍ୟାପକଙ୍କ ପରିବାର ଲୋକେ ଅଭିଯୁକ୍ତ ଛାତ୍ର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ମୃତ ଅଧ୍ୟାପକଙ୍କ ପରିବାରର କୌଣସି ସଦସ୍ୟଙ୍କୁ କଲେଜରେ ଚାକିରି ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।



ଘଟଣା ସମ୍ପର୍କରେ ସ୍ଥାନୀୟ SDPO ନିର୍ମଳ ମହାପାତ୍ର କହିଛନ୍ତି, ‘‘ଫେବୃଆରୀ 22 ତାରିଖରେ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ରାଜେଶ ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ଅମିତ କୁମାର ତାଙ୍କୁ ଶ୍ରଣୀରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ । ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଅଧ୍ୟାପକ ଅମିତ ବାରିକଙ୍କ ବାମପଟ କାନରେ ଏକ ଶକ୍ତି ମୁଥ ମାରିଥିଲେ । ଫଳରେ ଅଧ୍ୟାପକ ଜଣକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।"


ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ । ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ୨୨ ତାରିଖ ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଅମିତ ବାରିକଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସତ୍ତ୍ବେ ୭୨ଘଣ୍ଟା ଯାଏଁ କିଛି କହିବା ସମ୍ଭବ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି

ଏହି ଘଟଣାକୁ ମାସ ମାସ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇନଥିଲା । ଯାହା ଫଳରେ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ IPC ଦଫା ୩୦୭ ରେ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଛାତ୍ର ବେଲରେ ଥିବା ସୂଚନା ମିଳିଛି । ଆଜି ଅଧ୍ୟାପକ ଜଣକଙ୍କ ମୃତ୍ୟ ହୋଇଥିବା ଏହି ଦଫା ୩୦୭ ପରିବର୍ତ୍ତେ ଏହା ୩୦୨ ଭାବେ ଲାଗୁ ହେବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.