ETV Bharat / state

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହେବା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

author img

By

Published : Feb 26, 2023, 10:14 PM IST

student attack on professor in jharsuguda
student attack on professor in jharsuguda

ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ. କଟାପାଲି ସ୍ଥିତ ପିକେଏସ୍‌ଏସ୍‌ ମହାବିଦ୍ୟାଳୟରେ ଛାତ୍ରଙ୍କ ଆକ୍ରମଣରେ ଅଧ୍ୟାପକ ଗୁରୁତର ହେବା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଅଧିକ ପଢ଼ନ୍ତୁ

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହେବା ଘଟଣା

ଝାରସୁଗୁଡ଼ା: ଛାତ୍ର ଆକ୍ରମଣରେ ଅଧ୍ୟାପକ ଗୁରୁତର ଘଟଣା । ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ. କଟାପାଲି ଠାରେ ଥିବା ପିକେଏସ୍‌ଏସ୍‌ ଡିଗ୍ରି କଲେଜରେ ଜଣେ ଛାତ୍ର ରାଜେଶ ସହିସଙ୍କ ଆକ୍ରମଣରେ ଅଧ୍ୟାପକ ଅମିତ ବାରିକ ଗୁରୁତର ଆହତ ହୋଇଥିବା ବେଳେ ତାର ସିସିଟିଭି ଭିଜୁଆଲ ହସ୍ତଗତ ହୋଇଛି । ଗତ ୨୨ ତାରିଖ ଦିନ ଶ୍ରେଣୀ ଗୃହକୁ ବିଳମ୍ଭରେ ପହଞ୍ଚିଥିବା ନେଇ ଅଧ୍ୟାପକଙ୍କ ସହିତ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଛାତ୍ର ଜଣକ ଉକ୍ତ ଅଧ୍ୟାପକଙ୍କୁ ମାଡ ମାରିଥିଲେ । ଏଥିରେ ସେ ତଳେ ପଡ଼ିଯାଇଥିଲେ, ଯାହା ସିସିଟିଭିରେ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ୁଛି ।

କଲେଜ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛାତ୍ର ରାଜେଶଙ୍କୁ ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ଶ୍ରେଣୀରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ । ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଅଧ୍ୟାପକ ଅମିତ ବାରିକଙ୍କ ବାମପଟ କାନରେ ଏକ ଶକ୍ତ ମୁଥ ମାରିଥିଲେ । ଫଳରେ ଅଧ୍ୟାପକ ଜଣକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ ।

ତାଙ୍କୁ ସମ୍ବଲପୁରର ଏକ ଘ‌ରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ୨୨ତାରିଖ ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଅମିତ ବାରିକଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସତ୍ତ୍ୱେ ୭୨ଘଣ୍ଟା ଯାଏଁ କିଛି କହିବା ସମ୍ଭବ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେପଟେ ଅଧ୍ୟାପକଙ୍କୁ ବର୍ତ୍ତମାନ ମଧ୍ୟ ଆଇସିୟୁରେ ରଖାଯାଇଛି । ଏହି ଘଟଣାକୁ ୪ଦିନ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହେଉନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି ।

ତେବେ ଚିକିତ୍ସା ପାଇଁ ମଧ୍ୟ ଅର୍ଥ ବାଧକ ସାଜିଛି । ତେଣୁ ପରିବାର ଲୋକେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ, କଲେଜ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ସୂଚନା ଦେବାପରେ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ୩୦୭ ଦଫାରେ କୋର୍ଟ ଚାଲାଣ କରିଛି । ଛାତ୍ରଟି କରାଟେ ବ୍ଲାକ ବେଲ୍ଟ ଯୁକ୍ତ ବୋଲି କଲେଜ ସୂତ୍ରରୁ ଜଣାପଡ଼ିଛି । ଅଧ୍ୟାପକଙ୍କ ଘର ବୁଢ଼ୀପଦର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ର ବ୍ରଜରାଜନଗରର ବାସିନ୍ଦା ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.