ETV Bharat / state

ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ, ବଢୁଛି ଅସନ୍ତୋଷ

author img

By

Published : Jun 13, 2023, 8:31 AM IST

ଅସହ୍ୟ ଖରା ଗରମରେ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଯୋଗାଣରେ ହେଉଥିବା ବିଭିନ୍ନ ସମସ୍ୟା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

unannounced power cuts
unannounced power cuts

ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ

ଜଗତସିଂହପୁର: ଟାଟା ପାଓ୍ବାର ବିରୋଧରେ ବଢୁଛି ଅସନ୍ତୋଷ । ଅସହ୍ୟ ଖରା ଗରମରେ ବିଦ୍ୟୁତ୍ କାଟକୁ ନେଇ ବର୍ଷିଲେ ଜନ ପ୍ରତିନିଧି । ତେବେ ପ୍ରତିଦିନ ସହରରେ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଯୋଗାଣରେ ହେଉଥିବା ବିଭିନ୍ନ ସମସ୍ୟା ନେଇ କେତେକ ଅଞ୍ଚଳରେ ଲୋକେ ଆସନ୍ତା ମାସକୁ ବିଦ୍ୟୁତ ଦେୟ ଦେବେ ନାହିଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ଜଗତସିଂହପୁର ହେଉ କିମ୍ବା ପାରାଦ୍ବିପ ଏହି ଦୁଇ ସହରରେ ଘନଘନ ବିଜୁଳି କାଟ ହେଉଥିବା ବେଳେ ଲୋକେ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ସହରାଞ୍ଚଳରେ ଦିନକୁ 5ଘଣ୍ଟା ବିଜୁଳି କାଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ 6ରୁ ୮ ଘଣ୍ଟା ବିଜୁଳି କାଟ ହେଉଛି । ବିଜୁଳି କାଟ ସମ୍ପର୍କରେ ଯଦି କେହି ଟୋଲ ଫ୍ରି' ନମ୍ବରରେ ଯୋଗାଯୋଗ କରୁଛନ୍ତି ତାହାଲେ ସେଥିରୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ । ଏଥିସହ ବିଦ୍ୟୁତ କାଟ ସମୟରେ ବିଭାଗ ଅଧିକାରୀ ଜେଇ, ଏସ୍‌ଡିଓ, ଜିଲ୍ଲା ଟାଟା ପାୱାର ମ୍ୟାନେଜର ସେମାନେ ନିଜର ଫୋନ୍‌କୁ ସୁଇଚ୍‌ ଅଫ୍‌ କରି ରଖୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ ।

ସେହିପରି ସାମାନ୍ୟ କାଳ ବୈଶାଖୀ ଯୋଗୁଁ ଜଗତସିଂହପୁର ଉପକଣ୍ଠ ତରଡା ପଡା, ସଅଁପୁର, ପୁରୋହିତପୁର ଆଦି ଗ୍ରାମରେ 36 ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ତେବେ ଯଦି ସାମାନ୍ୟ କାଳ ବୈଶାଖୀରେ 36 ଘଣ୍ଟା ବିଜୁଳି କଟିବ ତେବେ ବାତ୍ୟା ପରିସ୍ଥିତି ସୃଷ୍ଟି ହେଲେ କେତେ ସମୟ ବିଜୁଳି କାଟ ହେବ ବୋଲି ଏନେଇ ନେଇ ପ୍ରଶ୍ନ କରିଛନ୍ତି ବିଦ୍ୟୁତ ଉପଭୋକ୍ତା । ଏହି ଘଟଣାକୁ ନେଇ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ଅପର ପକ୍ଷରେ କିଛି ଉପଭୋକ୍ତା କହିଛନ୍ତି ଯେ, ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଏହି ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କଠାରୁ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ ବାବଦରେ କିଲୋୱାଟ ପିଛା ଗ୍ରାମାଞ୍ଚଳରେ 20 ଟଙ୍କା ନେଉଥିବା ସହରାଞ୍ଚଳରେ 40 ଟଙ୍କା ନିଆଯାଉଛି । ସେହିପରି ED ଚାର୍ଜ ବାବଦରେ ମଧ୍ୟ 25ରୁ 50 ଟଙ୍କା ପର୍ଯ୍ୟନ୍ତ ନିଆଯାଇଛି । ପରେ ଜଣେ ଉପଭୋକ୍ତା 1ରୁ 50 ୟୁନିଟ ପର୍ଯ୍ୟନ୍ତ 3ଟଙ୍କା ଓ 50 ୟୁନିଟ ପରେ 4ଟଙ୍କା 80 ପଇସା ଆକାର ରେ ନିଆଯାଉଛି । କିନ୍ତୁ ଭିତ୍ତିଭୂମିର ବିକାଶ ଦିଗରେ ଟାଟା ପାୱାର ବିଫଳ ହୋଇଥିବା କୁହା ଯାଉଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନ ଅସନ୍ତୋଷର ଦାନ ବାନ୍ଧୁଛି । ସେହିପର ବିଜୁଳି କାଟକୁ ନେଇ ଗତକାଲି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଣ୍ଡସାହିଠାରେ ଲୋକେ ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ଏନେଇ ଜଗତସିଂହପୁର ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖିଥିବା ଖବର ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.