ETV Bharat / state

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ: ସ୍କୁଲରେ ତାଲା ପକାଇ ଶିକ୍ଷକଙ୍କ ବିକ୍ଷୋଭ, ତାତିଲେ ଗ୍ରାମବାସୀ

author img

By ETV Bharat Odisha Team

Published : Oct 10, 2023, 3:16 PM IST

ଗଣଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଶିକ୍ଷକ କଲେ ବିକ୍ଷୋଭ, ତାତିଲେ ଗ୍ରାମବାସୀ
ଗଣଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଶିକ୍ଷକ କଲେ ବିକ୍ଷୋଭ, ତାତିଲେ ଗ୍ରାମବାସୀ

ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଉତ୍ତେଜନା । ବଦଳିକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷୟତ୍ରୀଙ୍କ ସମର୍ଥକ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହାକୁ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଗଣଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଶିକ୍ଷକ କଲେ ବିକ୍ଷୋଭ, ତାତିଲେ ଗ୍ରାମବାସୀ

ଜଗତସିଂହପୁର: ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଉତ୍ତେଜନା । ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷୟତ୍ରୀଙ୍କ ସମର୍ଥକ ଓ ଅଭିଭାବକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କନାଗୁଳୀସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲରେ ଦେଖିବାକୁ ମିଳିଛି । ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ଶିକ୍ଷକମାନେ ସ୍କୁଲ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହାକୁ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରିଥିଲେ । ଯାହାକୁ ନେଇ ବିବାଦ ଜୋର ଧରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିବା ସୂଚନା ମିଳିଛି ।

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଇଜିଏସ୍‌ ସେଣ୍ଟର ଗୁଡ଼ିକରେ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୨୦୦୮ମସିହାରେ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଗଣଶିକ୍ଷକ ମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ରହି ପିଲାମାନଙ୍କୁ ପାଠ ପଢାଇବାକୁ ନିୟମ ଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ କନାଗୁଳୀସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲ୍‌ରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ଦୀର୍ଘ ଆଠବର୍ଷ ଧରି ଜଣେ ଗଣଶିକ୍ଷୟତ୍ରୀ ବେନିୟମ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ! ମୃତଦେହ ରଖି ସ୍କୁଲ ଆଗରେ ଧାରଣା

ଏନେଇ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଏରସମା ମଣ୍ଡଳ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏରସମା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ବିଇଓ କାର୍ଯ୍ୟାଳୟର ଜନୈକ ଏବିଓଙ୍କ କାରସାଦିରେ ନିଜ କାର୍ଯ୍ୟାଳୟର ଦୋଷ ଘୋଡାଇବା ପାଇଁ ଗଣଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସ୍ୱାଇଁଙ୍କୁ ଦୁଇଦିନ ତଳେ ପାଖ ନୂଆରତନପୁର ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଥିଲେ ।

ମାତ୍ର ଗଣଶିକ୍ଷୟତ୍ରୀରୁ ଅଧ୍ୟାପିକା ପାଲଟିଥିବା ଗଣଶିକ୍ଷୟତ୍ରୀଙ୍କ ସମର୍ଥକମାନେ ଆଜି ବଦଳି ଆଦେଶ ବାତିଲ କିମ୍ବା ନୂତନ ଶିକ୍ଷକ ଦେବା ଦାବିରେ ବିଦ୍ୟାଳୟ ଫାଟକ ଆଗରେ ତାଲା ପକାଇ ସ୍କୁଲ୍‌ର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ କରି ହୋହାଲ୍ଲା କରିଥିଲେ । ବିଦ୍ୟାଳୟ ଆଗରେ ଗଣଶିକ୍ଷୟତ୍ରୀଙ୍କ ସମର୍ଥକ ଓ କେତେକ ଲୋକ ବ୍ୟାନର ଟାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ବେଳେ ଘଟଣାସ୍ଥଳରେ ଏରସମା ପୋଲିସ ପହଞ୍ଚି ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଏହାମଧ୍ୟ ପଢନ୍ତୁ..ଶୁଣୁନାହାନ୍ତି ସରକାର, ଧାରଣା ସ୍ଥଳରେ ଗଣେଶ ପୂଜା କରିବେ ଶିକ୍ଷକ ଶିକ୍ଷୟିତ୍ରୀ

ବିଦ୍ୟାଳୟ ଫାଟକରେ ତାଲା ପକାଇ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ସୁଚନା ମିଳିଛି । ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଏରସମା ବିଇଓ ମୁହଁ ଖୋଲିନାହାଁନ୍ତି । ଅନ୍ୟପଟେ ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବି କରିଯାଇଛି । ସମ୍ପୃକ୍ତ ଗଣଶିକ୍ଷୟତ୍ରୀ ଏକ ଅପଗ୍ରେଡେଡ୍‌ ହାଇସ୍କୁଲ୍‌ରେ ଦୀର୍ଘ ବର୍ଷଧରି କିପରି ରହିଲେ ପ୍ରଶ୍ନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.