ETV Bharat / state

ପାରାଦ୍ୱୀପ ଡଙ୍ଗା ବୁଡ଼ି ଘଟଣା, ଦୁଇଦିନ ପରେ ବି ୩ ନିଖୋଜଙ୍କ ମିଳୁନି ପତ୍ତା

author img

By ETV Bharat Odisha Team

Published : Sep 21, 2023, 11:14 AM IST

ପାରାଦ୍ୱୀପ ଡଙ୍ଗା ବୁଡି ଘଟଣା
ପାରାଦ୍ୱୀପ ଡଙ୍ଗା ବୁଡି ଘଟଣା

ପାରାଦ୍ୱୀପରେ ମାଛଧରା ବୋଟ ବୁଡିଯିବା ଘଟଣାରେ ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀ । ଜାରି ରହିଛି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ପକ୍ଷରୁ ସର୍ଚ୍ଚ ଅପରେସନ୍‌ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ଡଙ୍ଗା ବୁଡି ଘଟଣା

ପାରାଦ୍ବୀପ : ମାଛ ଧରା ବୋଟ ବୁଡ଼ିଯିବା ଘଟଣା । ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀ । ଗତ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହେବା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଗତକାଲି ମଧ୍ୟ ଦିନ ତମାମ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳି ନଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ମହାନଦୀ ମୁହାଣରେ ମାଆ ବାସୁଳେଇ ଭରସା ନାମକ ଏକ ମାଛଧରା ବୋଟ ଗତକାଲି ବୁଡ଼ିଯାଇଥିଲା । ଏହି ଘଟଣାରେ ନିଖୋଜ ଥିବା ତିନିଜଣ ଧୀବରଙ୍କର ପତ୍ତା ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ମିଳିପାରି ନ ଥିଲା । ଯାହାକୁ ନେଇ ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି । ଗତ ମଙ୍ଗଳବାରଠାରୁ ତଟରଖି ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ମହାନଦୀର ପ୍ରତିଟି ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ନିଖୋଜ ତିନିଜଣଙ୍କର ପତ୍ତା ମିଳିପାରି ନାହିଁ । ତଟରଖି ବାହିନୀ ନିଖୋଜ ଧୀବରଙ୍କୁ ଖୋଜିବା ପାଇଁ ହେଲିକପ୍ଟର ଯୋଗେ ସମୁଦ୍ରର ୨୦ କିଲୋମିଟର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ । ସେହିପରି ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ- ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ

ପ୍ରକାଶ ଥାଉକି, ଗତ ମଙ୍ଗଳବାର ଦିନ ଅପରାହ୍ନ ୪ଟା ସମୟରେ ବାସୁଳେଇ ନାମକ ଏକ ମାଛଧରା ବୋଟ ସମୁଦ୍ରରୁ ମାଛମାରି ଫେରୁଥିଲା । ସେହି ସମୟରେ ମହାନଦୀ ମୁହାଣ ନିକଟରେ ପ୍ରବଳ ଢେଉମାଡ଼ରେ ବୁଡ଼ି ଯାଇଥିଲା । ସେଥିରେ ଥିବା ୮ ଜଣ ଧୀବରଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଧୀବର ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ହୋଇ ଯାଇଥିଲେ। ଏହି ଖବର ମିଳିବା ପରେ ତଟରଖି ବାହିନୀ ଓ ଓଡ୍ରାଫ ଟିମ ସମୁଦ୍ର ମଧ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପ୍ରବଳ ବର୍ଷା ସ୍ୱତ୍ତ୍ବେ ସମୁଦ୍ର ଗର୍ଭରେ ୩ ଧୀବରଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା । ସେହିପରି ଗତକାଲି(ବୁଧବାର) ସକାଳୁ ରାତି ୧୦ ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ନିଖୋଜଙ୍କ ପତ୍ତା ମିଳି ପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.