ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ରାସ୍ତାରେ ଟଳି ପଡିଲେ ବାପା ପୁଅ

author img

By

Published : Jul 31, 2023, 7:25 AM IST

lightning strike
lightning strike

ଏମିତି ବି ଆସେ ମୃତ୍ୟୁ । ବଜ୍ରପାତରେ ଚାଲିଗଲା ବାପା ପୁଅଙ୍କ ଜୀବନ । ଘଟଣା ଘଟିଛି ନିଆଳି ଥାନା ଅଞ୍ଚଳରେ । ମୃତକ ବାପା ପୁଅ ଜଗତସିଂହପୁରର ହୋଇଥିବା ସୂଚନା ।

ଜଗତସିଂହପୁର/ନିଆଳି: ପରିବାର ଉଜାଡି ଦେଲା ବଜ୍ରାଘାତ । ଅକାଳରେ ଚାଲିଗଲା ଦୁଇ ଜୀବନ । ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଚାଲିଗଲା ବାପା ଓ ପୁଅର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ନିର୍ଭରଣ ପଞ୍ଚାୟତ ସୁନନ୍ଦା ଛ କଣିଆ ରାସ୍ତାରେ । ମୃତକ ହେଲେ ସାହାଜି କାଣ୍ଡି ଓ ତାଙ୍କ ପୁଅ ଅମନ କାଣ୍ଡି । ମୃତକ ବାପା ପୁଅ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ମଠକୂଳ ଗାଁର ବୋଲି ଜଣାପଡିଛି ।

ସୂଚନା ମୁତାବକ, ସାହାଜି କାଣ୍ଡି ଓ ତାଙ୍କ ପୁଅ ମୂଲ ଲାଗିବା ପାଇଁ ନିଆଳି ଅଞ୍ଚଳକୁ ଆସିଥିଲେ । ପରେ ପୁଅ ଅମନ ବାପାଙ୍କୁ ଆଣିବା ପାଇଁ ଆସିଥିଲେ । ସେଠାରୁ ଗଛ କାଟି ଫେରୁଥିବା ସମୟରେ କାକଟପୁର ବ୍ଲକ ସୁନିନ୍ଦା ନିକଟରେ ପ୍ରବଳ ବର୍ଷା ହୋଇଥିଲା । ବିଳମ୍ବ ହେବାରୁ ଉଭୟ ବାପ ପୁଅ ବର୍ଷାକୁ ଖାତିର ନ କରି ଘରକୁ ଫେରୁଥିଲେ । ଗ୍ରାମ ପହଞ୍ଚିବାକୁ ଆଉ କିଛି ବାଟ ଥିବା ବେଳେ ହଠାତ୍ ଆକାଶରୁ ବଜ୍ର ପଡ଼ିଥିଲା । ଫଳରେ ଦୁହେଁ ରାସ୍ତାରେ ହିଁ ଟଳି ପଡ଼ିଥିଲେ । ବର୍ଷା ଛାଡିବା ପରେ ଆଖପାଖ ଲୋକେ ବାପ ପୁଅଙ୍କୁ ଉଦ୍ଧାର କରି ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କରଗାଳା ପଞ୍ଚାୟତ ଶାନ୍ତିନଗର ସାହିରେ ଦୁଇ ଭଉଣୀ ଅପରାହ୍ଣରେ ସ୍କୁଲରୁ ଫେରିବା ପରେ ଘର ବାରଣ୍ଡାରେ ଏକାଠି ବସିଥିଲେ । ସେହି ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ନାବାଳିକା ୨ ଭଉଣୀ ଅଚେତ ହୋଇ ପଡ଼ି ଯାଇଥିଲେ । ଏନେଇ ଘଟଣାସ୍ଥଳରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ବଡ଼ ଭଉଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଅଧାରେ ରହିଗଲା ଘର ବାହୁଡା, ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ

ସେହିପରି ଗତ ମେ ମାସରେ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜୁବିଡ଼େଇ ଗ୍ରାମରେ ଅପରାହ୍ନରେ ତିନି ଜଣ ଯୁବକ ବିଲ ବାଡିରେ ବୁଲୁଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡ଼ି ମାରିଥିଲା । ତେଣୁ ସେମାନେ ରାସ୍ତାକଡରେ ଥିବା ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ । ହେଲେ ସେମାନେ ଛିଡା ହୋଇଥିବା ବେଳେ ଗଛ ଉପରେ ବିଜୁଳି ପଡିଥିଲା । ଏଥିରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ପିତାମ୍ବର କିର୍ସାନୀ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ SLN ମେଡିକାଲ ସ୍ଥାନାନ୍ତରିତ କରିଥିଲେ ।ହେଲେ ମେଡିକାଲରେ ଡାକ୍ତର ରାମ ଦାସ ମୁଦୁଲି ନାମକ ଗୁରୁତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର ଓ ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.