ETV Bharat / state

ଅଧାରେ ରହିଗଲା ଘର ବାହୁଡା, ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ

author img

By

Published : Apr 28, 2023, 8:39 AM IST

lighting in mayurbhanj
lighting in mayurbhanj

ଆକାଶରୁ ଖସିଲା ମୃତ୍ୟୁ । ଘରକୁ ଆସୁଥିବା ବେଳେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଅଧାରେ ରହିଲା ଘର ବାହୁଡା । କାଳବୈଶାଖୀ ଜନିତ ବଜ୍ରାଘାତ ନେଲା ଜୀବନ । ଅକାଳରେ ଚାଲିଗଲା ଦୁଇ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟରେ । ମୃତକ ହେଲେ ନନ୍ଦି ପୂର୍ତ୍ତି ଏବଂ ଲାମରା ପୂର୍ତ୍ତି । କରଞ୍ଜିଆ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ପୂର୍ବାହ୍ନ ପ୍ରାୟ ୪ ଘଟିକା ସମୟରେ କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି, ବିଜୁଳି ସହିତ ଝଡ଼ ବର୍ଷା ହୋଇଥିଲା । ତେବେ ଦରି ଗ୍ରାମର ନନ୍ଦି ପୂର୍ତ୍ତି ଏବଂ ଲାମରା ପୂର୍ତ୍ତି କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେହି ସମୟରେ ଘରକୁ ଫେରୁଥିଲେ । ଗ୍ରାମ ପହଞ୍ଚିବାକୁ ଆଉ କିଛି ବାଟ ଥିବା ବେଳେ ହଠାତ୍ ଆକାଶରୁ ବଜ୍ର ପଡ଼ିଥିଲା । ଫଳରେ ଦୁହେଁ ସେହିଠାରେ ହିଁ ଟଳି ପଡ଼ିଥିଲେ । ପରେ ଆଖପାଖ ଲୋକେ ଦୁହିଁଙ୍କୁ ଉକ୍ତ ସ୍ଥାନରେ ପଡ଼ିଥିବା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଡ଼ାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଉଭୟ ମୃତଦେହକୁ ଜବତ କରିଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । କରଞ୍ଜିଆ ଅଞ୍ଚଳରେ ବାରମ୍ବାର ବଜ୍ରାଘାତ ଯୋଗୁଁ ଲୋକେ ପ୍ରାଣ ହରାଉଥିବା ବେଳେ ସାମାନ୍ୟ ବର୍ଷା ହେଲେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ମଧ୍ୟ ବଜ୍ରାପାତରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଙ୍କୁରା ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ । କରଞ୍ଜିଆ ଥାନା ଅନ୍ତର୍ଗତ ୧୪ ନଂ ୱାର୍ଡ଼ ଅଙ୍କୁରା ଠାରେ ପୂର୍ବାହ୍ନ ପାଖାପାଖି ୪.୦୦ ସମୟରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ ଅଙ୍କୁରା ସାହିରେ ବଜ୍ରପାତ ହେବାରୁ ୩ ଜଣ ମହିଳା ପ୍ରାଣ ହରାଇଥିଲେ ଓ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ତେବେ ବଜ୍ରପାତ ଯୋଗୁଁ ଗାଁରେ ଥିବା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ଟି ମଧ୍ୟ ଜଳି ଯାଇଥିଲା । ଅଘଟଣ ଘଟିଥିବା ସ୍ଥାନରୁ କିଛି ଦୂରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ବାସଗୃହ ରହିଥିଲା । ତେବେ ଉକ୍ତ ସମୟରେ ମନ୍ତ୍ରୀ ଘରେ ଉପସ୍ଥିତ ରହିଥିବାରୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲ ନେବା ପାଇଁ ପୋଲିସ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ତତ୍ପର କରିଥିଲେ । ତୁରନ୍ତ ସମସ୍ତ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ମେଡିକାଲକୁ ଆଣି ସେଠାରେ ଚିକିତ୍ସା କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.