ETV Bharat / state

ଗାଁ ଦାଣ୍ଡରେ ଯୁବକକୁ ବୀଭତ୍ସ ହତ୍ୟା, 4 ଜଣ ଅଟକ

author img

By ETV Bharat Odisha Team

Published : Oct 28, 2023, 12:51 PM IST

Ganjam youth chased and killed
Ganjam youth chased and killed

ଗାଁ ଦାଣ୍ଡରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପ୍ରେମ ଜନିତ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ

Ganjam youth chased and killed

ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ପ୍ରେମ ଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଧନନ୍ତର ପଞ୍ଚାୟତର ଲାଞ୍ଜିଆପଲ୍ଲୀ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ୨୫ ବର୍ଷୀୟ ଯୁବକ ମଙ୍ଗଳା ଭୂୟାଁ ।

ଶୁକ୍ରବାର ରାତିରେ ଯୁବକ ଜଣଙ୍କ ନିଜର ମୋଟର ସାଇକେଲରେ ଆସୁଥିବା ବେଳେ ଗ୍ରାମର କେତେକ ଯୁବକ ତାଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବଶତ୍ରୁତା ଏବଂ ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରେ ଆସିକା ଏସଡିପିଓ ଓ ଶେରଗଡ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଅଟକ ରଖିଛି । ଏଥିସହ ହତ୍ୟାରେ ବ୍ୟବହାର ହୋଇଥିବା ଧାରୁଆ ଅସ୍ତ୍ର ଓ ପଥରକୁ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁରରେ CWC ସଦସ୍ୟଙ୍କୁ ନିର୍ମମ ହତ୍ୟା, ଡ୍ରାଇଭର ଅଟକ

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଗ୍ରାମରେ ମୃତ ଯୁବକଙ୍କ ସହିତ ଅନ୍ୟ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହା କାରଣରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ତେବେ ହତ୍ୟା ପଛର ପ୍ରକୃତ କାରଣ କଣ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟୁଥିବା ବେଳେ ପୋଲିସର ଚିନ୍ତା ବଢିଛି ।

ଏହା ମଧ୍ୟ ପଢନ୍ତୁ-ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚଳିତ ମାସ 12 ତାରିଖରେ ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତ ମହିଳାଙ୍କ ନାମ ସୌଦାମିନୀ ରଥ । ସେ ଶିଶୁ କଲ୍ୟାଣ ସମିତିର ସଦସ୍ୟ ଥିଲେ । କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା । ତେବେ ତାଙ୍କର ଡ୍ରାଇଭର ହିଁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିଲା। ସୌଦାମିନୀ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥାର ସଂପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଆସୁଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.