ETV Bharat / state

ଫେବୃଆରୀ ସୁଦ୍ଧା ସବୁ ଉନ୍ନୟନ କାର୍ଯ୍ୟ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 4, 2024, 12:16 PM IST

Review meeting
Review meeting

Review meeting for development works: ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଆସନ୍ତା ଫେବୃୟାରୀ ମାସ ଶେଷ ସୁଦ୍ଧା ସମସ୍ତ ଉନ୍ନୟନ କାର୍ଯ୍ୟ ସାରିବାକୁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଆସନ୍ତା ଫେବୃୟାରୀ ମାସ ଶେଷ ସୁଦ୍ଧା ସମସ୍ତ ଉନ୍ନୟନ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଜିଲ୍ଲାପାଳ କାର୍ଯ୍ୟାଳୟର ସଭାକକ୍ଷ ପରିସରରେ ବିଭାଗୀୟ ଅଧିକାରୀଙ୍କ ସହିତ ଆୟୋଜିତ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମସ୍ତ ଉନ୍ନୟନ କାର୍ଯ୍ୟର ସଦବିନିଯୋଗ ଓ ଲୋକଙ୍କ ଉନ୍ନତି ପାଇଁ କରାଯାଉଥିବା ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଆଲୋଚନା ହୋଇଥିଲା । ଏଥି ସହିତ ଆଗାମୀ ଦୁଇ ମାସର କାର୍ଯ୍ୟ ଖସଡା କିଭଳି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲାପାଳ ।

ବିଶେଷକରି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ଆଦି ବିଭିନ୍ନ ଜନହିତକାରୀ ଯୋଜନାର ସଫଳ ରୂପାୟନ ଦିଗରେ ଲୋକଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ (ଆଇ.ଇ.ସି) ଇତ୍ୟାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ଏନେଇ ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟର ଦାୟିତ୍ବ ଦେଇଥିଲେ । ଯାହାଦ୍ବାରା କାର୍ଯ୍ୟର ସଫଳତା ଦିଗରେ ସୁ-ବିନିଯୋଗ ହୋଇପାରିବ । ତେବେ ସମସ୍ତ ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହଯୋଗ ନେଇ କରାଗଲେ ସବୁ କାର୍ଯ୍ୟ ସୁବିଧାରେ ହୋଇପାରିବ ଏବଂ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ବୈଠକରେ ମତବ୍ୟକ୍ତ କରିଥିଲେ ।

ଗଞ୍ଜାମ ଜିଲ୍ଲାରେ ୪୨ ଲକ୍ଷ କ୍ବିଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିବାର ଯୋଜନା ରହିଛି । ତେଣୁ କିଭଳି ଧାନ କିଣା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ସେ ସମ୍ପର୍କରେ ଆଲୋଚନା କରି ଧାନ କିଣା ପ୍ରକ୍ରିୟାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଅଭାବ ଜନିତ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଯୋଗୁଁ ସେଗୁଡିକର ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନର ସୌନ୍ଦର୍ଯ୍ୟକରଣ, ଶୌଚାଳୟ ପ୍ରସ୍ତୁତି, ସ୍ମାର୍ଟ କ୍ଲାସ ରୁମ୍ ଓ ପାନୀୟ ଜଳର ବ୍ୟବସ୍ଥା ଭଳି ଅନ୍ୟାନ୍ୟ କାର୍ଯ୍ୟଗୁଡିକ ଯେଭଳି ଫେବୃାରୀ ମାସ ଶେଷ ସୁଦ୍ଧା ଶେଷ ହୋଇ ଉଦଘାଟନ ହେବ ସେଥି ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ଏଥିସହ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସୁରୁଖୁରୁରେ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ୫ଟି ସଚିବଙ୍କ କେନ୍ଦୁଝର ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଏହା ମଧ୍ୟ ପଢନ୍ତୁ - ମିନିଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ

ତେବେ ବୈଠକରେ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ୍ ଉପସ୍ଥିତ ରହି ସମସ୍ତ ଅଧିକାରୀମାନଙ୍କୁ ପ୍ରତ୍ୟେକ ଯୋଜନାର ସମୀକ୍ଷା କରାଇଥିଲେ । ସେଗୁଡିକର କିଭଳି ସଫଳତା ହାସଲ କରିବ ଏବଂ କୌଣସି ଠାରେ ଅସୁବିଧା ଦେଖାଗଲେ ସେ ସମ୍ପର୍କରେ ପଚାରି ବୁଝିବାକୁ କହିଥିଲେ । ଏହି ବୈଠକରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାଙ୍କ ସହ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.