ETV Bharat / state

କୂଳ ସମାଜର ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ, ଦଶରୁ ଊର୍ଦ୍ଧ୍ୱ ପରିବାର ବାସନ୍ଦ !

author img

By ETV Bharat Odisha Team

Published : Sep 10, 2023, 7:48 AM IST

ନିଜ କୂଳର ସମାଜ ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ
ନିଜ କୂଳର ସମାଜ ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ

ନିଜ କୂଳର ସମାଜ ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ । ପ୍ରଶ୍ନ ପଚାରିବାରୁ ଦଶରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବାସନ୍ଦ କରାଯାଇଥିବା ଅଭିଯୋଗ ।

ନିଜ କୂଳର ସମାଜ ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ

ବ୍ରହ୍ମପୁର: ଆଜି ବି ବଦଳିନି ସମାଜ । କୁପ୍ରଥା, କୁସଂସ୍କାର ଏବେ ବି ରାଜ୍ୟର ଅନେକ ସ୍ଥାନରେ ମୁଣ୍ଡଟେକି ରହିଛି । କୁପ୍ରଥାକୁ ପ୍ରାତ୍ସାହନ ନଦେବା ପାଇଁ ସରକାର ବିଭିନ୍ନ ପ୍ରକାର ସଚେତନମୂଳକ ପଦକ୍ଷପ ଗ୍ରହଣ କରୁଥିଲେ ମଧ୍ଯ କିଛି ଅଞ୍ଚଳରେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଗାଁରୁ ବାସନ୍ଦ, ନିଆଁ ପାଣି ବନ୍ଦ କରିଦେବା ଘଟଣା ଆଜି ବି ମଧ୍ୟ ସମାଜରେ ଦେଖିବାକୁ ମିଳିଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମରେ । ସମାଜର ନୀତି ଆର୍ଦଶକୁ ନେଇ ପ୍ରଶ୍ନ କରି ଏବେ ପ୍ରାୟ ଦଶରୁ ଅଧିକ ପରିବାର ସାମାଜିକ ବାସନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାସନ୍ଦ ପରିବାର ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନ ଅନୁଯାୟୀ, ବଳାଶି ସମାଜରେ ଘଟୁଥିବା ବିଭିନ୍ନ ବିଷୟକୁ ନେଇ ଜଣେ ସଚେତନ ଯୁବକ ଏକ ପତ୍ର ମାଧ୍ୟମରେ ସମାଜର ମୁଖିଆମାନଙ୍କୁ ପ୍ରଶ୍ନ ପଚାରିଥିଲେ । ତେବେ ସମାଜକୁ ଆକ୍ଷେପ କରି ପ୍ରଶ୍ନ ପଚରାଯାଇଥିବା ହେତୁ ପ୍ରାୟ ଦଶରୁ ଅଧିକ ପରିବାରକୁ ବିନା ନୋଟିସରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ବାସନ୍ଦ ହେବା ଫଳରେ ବିଭିନ୍ନ ସମସ୍ୟାରେ ପଡି ହନ୍ତସନ୍ତ ହେଉଥିବା ବାସନ୍ଦ ପରିବାର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବାସନ୍ଦ ପରିବାରବର୍ଗ ନ୍ୟାୟ ଦାବିରେ ଜିଲ୍ଲା ପ୍ରଶାସନ ଦ୍ବାରସ୍ତ ହୋଇଛନ୍ତି ।

ଅଧିକ ପଢନ୍ତୁ... ଗାଁ ମୁଖିଆଙ୍କ କଥା ନଶୁଣିବାରୁ କଙ୍ଗାରୁ କୋର୍ଟରେ ନିଆଁ ପାଣି ବାସନ୍ଦ !

ବାସନ୍ଦ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି ଯେ, ବିନା କାରଣ ଓ ନୋଟିସରେ ଗାଁରୁ ବାସନ୍ଦ କରାଯାଇଛି । ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଏପରି ଘଟଣାକୁ ନେଇ ସଭ୍ୟ ସମାଜରେ ଏପରି ଘଟଣା ନିନ୍ଦାଜନକ । ସମାଜକୁ ଆକ୍ଷେପ କରି ପ୍ରଶ୍ନ ପଚରାଯାଇଥିବା ହେତୁ ପ୍ରାୟ ଦଶରୁ ଅଧିକ ପରିବାରକୁ ବିନା ନୋଟିସରେ ସାମାଜିକ ବାସନ୍ଦ କରାଯାଇଛି । ଏହାକୁ ନେଇ ବଳାଶି ସମାଜର ମୁଖ୍ୟଙ୍କ ସହ ଆଲୋଚନା କରୁଥିଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି । ପରିବାରରେ କେହି ମୃତ୍ୟୁବରଣ କଲେ ମଧ୍ୟ ବିଧିବିଧାନରେ ଅନ୍ତିମ ସଂସ୍କାର କରିବା ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ । ତେଣୁ ଏମିତି କୁପ୍ରଥାକୁ ବନ୍ଦ କରିବା ସହ ତୁରନ୍ତ ନ୍ୟାୟ ଦେବା ପାଇଁ ବାସନ୍ଦ ପରିବାରର ସଦସ୍ୟମାନେ କବିସୂର୍ଯ୍ୟନଗର ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.