ETV Bharat / state

କାଶୀନଗର କାୟା ମେଲୁଛି ଡେଙ୍ଗୁ, 9 ଦିନରେ 31 ଆକ୍ରାନ୍ତ ଚିହ୍ନଟ

author img

By ETV Bharat Odisha Team

Published : Aug 24, 2023, 9:15 AM IST

dengue terror in  gajapati
dengue terror in gajapati

କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଆତଙ୍କ । 9 ଦିନ ଭିତରେ 31 ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ । ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଅଧିକ ପଢନ୍ତୁ

dengue terror in gajapati

ଗଜପତି: କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଆତଙ୍କ । ବ୍ଲକ୍ ଅଧୀନ ‘ସାରା’ ଗ୍ରାମରୁ ଗତ ୧୪ ତାରିଖରୁ ଆଜି ସୁଦ୍ଧା ତଥା 9 ଦିନ ଭିତରେ 31 ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସବୁଠୁ ଚିନ୍ତାର ବିଷୟ ହୋଇଛି ।

ସୂଚନା ମୁତାବକ, ପ୍ରାଥମିକ ଅନୁଧ୍ୟାନରୁ ୩୧ ଜଣଙ୍କ ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଛି । ତଥାପି ଅଧିକ ପରୀକ୍ଷଣ ପାଇଁ ନମୁନା ଭୁବନେଶ୍ବର ପଠାଯାଇଛି । ସେହିପରି ଅନେକ ଜଣ ଏବେ ମଧ୍ୟ ଜ୍ଵରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଠାରେ ପାନୀୟ ଜଳରେ ସମସ୍ୟା ଓ ଦୂଷିତ ହେଉଥିବାରୁ ଏହିପରି ସମସ୍ୟା ଉପୁଜିଥିବା କହିଛନ୍ତି ଗ୍ରାମବାସୀ ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରୁ ମୋଟ ୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ଗୁମ୍ମା ବ୍ଲକ୍‌ରୁ ୩ଜଣ, ମୋହନାରୁ ୫ ଜଣ, କାଶୀନଗର ବ୍ଲକ୍‌ରୁ ୩୨ ଜଣ ଏବଂ ପାରଳାଖେମୁଣ୍ଡିରୁ ଜଣେ ଅଛନ୍ତି । ଆଉ ଜଣେ ରୋଗୀ ରାଜ୍ୟ ବାହାରୁ ଆସିଛନ୍ତି । କିଛିଦିନ ତଳେ ଗୁମ୍ମା ବ୍ଲକ୍‌ର ନାମନଗଡ଼ରେ ୧୧ରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜଣେ ଯୁବକ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅନେକ ରୋଗୀ ଗ୍ରାମରେ ହିଁ ଚିକିତ୍ସିତ ହେଉଥିବା ବେଳେ ଅଧିକ ସମସ୍ୟା ହେଲେ କିଛି ରୋଗୀ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କିମ୍ବା ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍‌ ନୁହେଁ ବିଏମସିର ମିଷ୍ଟେକ୍‌ ପ୍ଲାନ: ବିଜେପି

ଏହା ମଧ୍ୟ ପଢନ୍ତୁ- ଡେଙ୍ଗୁ ହଟସ୍ପଟ ମୁହାଁ କଟକ ? ଏଥିପାଇଁ ଦାୟୀ ସିଏମସି !

ତେବେ ଜ୍ବରରେ ଆକ୍ରାନ୍ତ ପ୍ରତି ଲୋକଙ୍କୁ ଆବଶ୍ୟକ ଔଷଧ ପ୍ରଦାନ ସାଙ୍ଗକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଏହାସହ ଗ୍ରାମରେ ମଶା ମାରିବାକୁ ଧୂଆଁ ଛଡ଼ାଯିବା ସହ ପାଣି ଜମି ରହିଥିବା ସ୍ଥାନକୁ ସଫା କରାଯାଇଛି । ଡେଙ୍ଗୁ ଲାର୍ଭା ଖୋଜି ନଷ୍ଟ କରାଯାଇଛି ବୋଲି ଡାକ୍ତର କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.