ETV Bharat / state

ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା

author img

By

Published : Oct 12, 2022, 4:10 PM IST

ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା
ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା

ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ଢେଙ୍କାନାଳ ଝାଡବନ୍ଧ ସ୍ଥିତ ରୁଙ୍ଗଟା କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଜାରି । ଅଧିକ ପଢନ୍ତୁ

ଢେଙ୍କାନାଳ: ହାତୀ ଆକ୍ରମଣରେ ଶ୍ରମିକଙ୍କର ମୃତ୍ୟୁ । କାରଖାନାରୁ କାମ ସାରି ଘରକୁ ଫେରୁଥିବା ସମୟରେ ବାଟରେ ଗତ ରାତିରେ ହାତୀ କଚାଡି ମାରିଦେଲା । ଫଳରେ ରୁଙ୍ଗଟା କାରଖାନାର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଯାହାରୁ ନେଇ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ସ୍ଥାନୀୟ ଲୋକ ମାନେ ରୁଙ୍ଗଟା କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଫାଟକ ସମ୍ମୁଖରେ ଶ୍ରମିକଙ୍କ ମୃତଦେହ ରଖି ପ୍ରତିବାଦ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ମୃତ ଶ୍ରମିକ ଜଣଙ୍କ ହେଲେ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ ବୋଲି ଜଣାପଡିଛି ।

ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା

ସୂଚନା ମୁତାବକ, ଦଣ୍ଡଧର ସ୍ଥାନୀୟ ଝାଡବନ୍ଧ ଗ୍ରାମରେ ପରିବାର ସହ ରହି ରୁଙ୍ଗଟା କାରଖାନାରେ ଶ୍ରମିକ ଭାବରେ କାମ କରନ୍ତି । ଗତକାଲି ମଙ୍ଗଳବାର ସେ କାରଖାନାରୁ କାମ ସାରି ରାତିରେ ଝାଡ଼ବନ୍ଧ ଫେରୁଥିବା ବେଳେ କାରଖାନା ଠାରୁ କିଛି ଦୂରରେ ତାଙ୍କୁ ହାତୀ କଚାଡି ମାରିଦେଇଥିବା ଜଣାପଡିଛି । ଫଳରେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ମୃତଦେହ ରଖି ରୁଙ୍ଗଟା କାରଖାନା କୁ ଘେରାଉ କରିଛନ୍ତି । ଯାହା ଫଳରେ କାରଖାନାକୁ ଯିବା ଆସିବା ବନ୍ଦ ହୋଇଯାଇଛି ।

ତେବେ ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ବାଲିମି ପୋଲିସ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ଜାରି ରଖିଛି । ଏହି ଅଞ୍ଚଳ ହାତୀ ଚଲାପଥ ଓ ହାତୀ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ୫/୬ଟି ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତାକୁ ରୁଙ୍ଗଟା କାରଖାନା ଦାଖଲ କରିଛି । ବିକଳ୍ପ ଭାବେ ଜଙ୍ଗଲ ଭିତରେ ରାସ୍ତା ନିର୍ମାଣ କରୁଥିଲେ ମଧ୍ୟ ଆଲୋକିକରଣ କରିନଥିବାରୁ ହାତୀ ଉପଦ୍ରବର ଶିକାର ହେଉଛନ୍ତି ଲୋକେ । ଯାହାକୁ ନେଇ ପୂର୍ବରୁ ସ୍ଥାନୀୟ ଅଂଚଳ ବାସୀ ବିରୋଧ କରି ଆସୁଛନ୍ତି । ଏପରି ସ୍ଥଳେ ଗତ ରାତିରେ ହାତୀ ଆକ୍ରମଣରେ ଜଣେ ଶ୍ରମିକର ମୃତ୍ୟୁ ପାଇଁ ରୁଙ୍ଗଟା କାରଖାନାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏଥିସହ ମୃତ ଶ୍ରମିକର ପରିବାରରୁ ଜଣଙ୍କୁ କାରଖାନାରେ ନିଯୁକ୍ତି, ମୃତ୍ୟୁର କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ପ୍ରଦାନ ଓ ରାସ୍ତାରେ ଉଜ୍ବଳ ଆଲୋକୀକରଣ ତଥା ହାତୀ କରିଡର ନିର୍ମାଣ ଆଦି ଦାବିରେ ଆନ୍ଦୋଳନରେ ବସିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.