ETV Bharat / state

ବୀମା ଟଙ୍କା ହଡପ ଅଭିଯୋଗ, ସମବାୟ ସମିତି ଘେରିଲେ ଚାଷୀ

author img

By

Published : Oct 2, 2022, 12:31 PM IST

ଫସଲ ବୀମା ଟଙ୍କାର ଉପକୃତ ହୋଇପାରିଲେନି ଚାଷୀ । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପୂର୍ବରୁ ବାଟରେ ସମବାୟ ସମିତି କର୍ମଚାରୀ ହଡପ କରିନେଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୀମା ଟଙ୍କା ହଡପ ଅଭିଯୋଗ, ସମବାୟ ସମିତି ଘେରିଲେ ଶତାଧିକ ଚାଷୀ
ବୀମା ଟଙ୍କା ହଡପ ଅଭିଯୋଗ, ସମବାୟ ସମିତି ଘେରିଲେ ଶତାଧିକ ଚାଷୀ

ଢେଙ୍କାନାଳ: ଚାଷୀଙ୍କ ସୁବିଧା ପାଇଁ ସରକାର ବୀମା ଟଙ୍କାର ଯୋଜନା କରିଛନ୍ତି । ହେଲେ ବୀମା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ନ ଯାଇ ସରାକାରୀ ବାବୁଙ୍କ ପକେଟକୁ ଯାଉଛି । ଫସଲ ବୀମା କରିଥିଲେ ଚାଷୀ । ହେଲେ ବୀମା ଟଙ୍କାର ଉପକୃତ ହୋଇପାରିଲେନି ଚାଷୀ । ଚାଷୀଙ୍କ ଖାତାକୁ ଟଙ୍କା ଆସିବା ବାଟରେ ହଡପ କରିନେଲେ ସମବାୟ ସମିତି କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରଂଜାଗୋଳ ସେବା ସମବାୟ ସମିତିରେ । ଏନେଇ ଚାଷୀ ମାନେ ପ୍ରତିବାଦ କରିବା ସହିତ ସମବାୟ ସମିତି ଘେରାଉ କରିଛନ୍ତି ।

ବୀମା ଟଙ୍କା ହଡପ ଅଭିଯୋଗ, ସମବାୟ ସମିତି ଘେରିଲେ ଚାଷୀ


କମ ବର୍ଷା ଯୋଗୁଁ ଉଜୁଡିଗଲା ଚାଷୀ ମାନଙ୍କ ଶହ ଶହ ଏକର ଧାନ ଫସଲ । ଏହି ମରୁଡ଼ିରେ କୃଷି ବୀମା ବାବଦକୁ ଚାଷୀ ମାନଙ୍କୁ ପ୍ରଦାନ ପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା । ମାତ୍ର ତାହା ଚାଷୀଙ୍କୁ ମିଳିଲାନି । ବାଟରେ ହଡପ କରିନେଲେ ସମବାୟ ସମିତି କର୍ମଚାରୀ । ଏପରି ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରଂଜାଗୋଳ ସେବା ସମବାୟ ସମିତିରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଏହି ସମବାୟ ସମିତି ଅଧୀନରେ ଥିବା ରଂଜାଗୋଳ, ଅସରଡ଼ା, କୁକୁଟା ଓ ଠୋକର ପଞ୍ଚାୟତର ଚାଷୀମାନେ ପ୍ରତିବାଦ କରିଛନ୍ତି ।

ସ୍ଥାନୀୟ କୁକୁଟା ଛକରୁ ଶତାଧିକ ଚାଷୀ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ରଂଜାଗୋଳ ସେବା ସନବାୟ ସମିତି କାର୍ଯ୍ୟାଳୟକୁ ଘେରିଛନ୍ତି । ଚାଷୀଙ୍କ ଅଭିଯୋଗ ମୁତାବକ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ବର୍ଷାର ପରିମାଣ କମ ହୋଇଥିବାରୁ ଏହି ପଞ୍ଚାୟତର ଚାଷୀ ମାନଙ୍କୁ ମରୁଡି ବୀମା ଟଙ୍କା ସରକାରଙ୍କ ପକ୍ଷରୁ ରଂଜାଗୋଳ ସେବା ସମବାୟ ସମିତି ପ୍ରଦାନ କରିବା କଥା । ମାତ୍ର ୧୨ଜଣ ଚାଷୀ ଏହି ବୀମା ଅର୍ଥ ପାଇଥିବାବେଳେ ଅନ୍ୟ ଚାଷୀମାନେ ବିମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ବୀମା ଟଙ୍କାକୁ ସମବାୟ ସମିତି କର୍ମଚାରୀ ହଡପ କରିଦେଇଥିବା ଅଭିଯୋଗ ଆଣିଛନ୍ତି ଶହ ଶହ ଚାଷୀ । ସେମାନେ ବୀମା ଟଙ୍କା ପାଇବାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ।

ଏ ବାବଦରେ ଚାଷୀ ମାନେ ବିଡ଼ିଓ, ଉପଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉ ନାହିଁ । ଯାହାକୁ ନେଇ ଶନିବାର ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ସେବା ସମବାୟ ସମିତି କର୍ମଚାରୀ ମାନେ ଅଫିସ ତାଲା ପକାଇ ଫେରାର ହୋଇଯାଇଥିବା ଜଣାପଡିଛି ।

ଖବରପାଇ ବାଲିମି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ବୁଝାସୁଝା କରିଛି । ଏ ସମ୍ପର୍କରେ ଉଚ୍ଚ ପଦଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ବାଲିମି ଥାନା ଅଧିକାରୀ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଆନ୍ଦୋଳନରୁ ଓହରିଥିଲେ ଶତାଧିକ ଚାଷୀ । ସମବାୟ ସମିତି ଘେରାଉ କରିଥିବା ଜଣେ ଚାଷୀ ଏବାବଦରେ କହିଛନ୍ତି "ରଂଜାଗୋଳ ସମବାୟ ସମିତିରେ ବିଭିନ୍ନ ପ୍ରକାରର ଦୁର୍ନୀତି ଚାଲିଛି । ଆମେ ଚାଷ ପାଇଁ ପାଖା ପାଖି ୩୦୦ ଲୋକ ଫସଲ ବୀମା କରିଥିଲୁ । ଫସଲ ବୀମାରୁ ମାତ୍ର ୧୨ ଜଣ ଏହାର ଲାଭ ପାଇଛନ୍ତି । ୨୫୮ ଜଣ ଏହି ବୀମା ରାଶିରୁ ବଞ୍ଚିତ ହୋଇଛନ୍ତି । ସମିବାୟ ସମିତିରେ ବହୁତ ଦୁର୍ନୀତି ଚାଲିଛି । କାମରେ ଦୁର୍ନୀତି, ମଣ୍ଡିରେ ଦୁର୍ନୀତି, ସାରରେ ଦୁର୍ନୀତି ଏମିତି ବିଭିନ୍ନ ପ୍ରକାର ଦୁର୍ନୀତିରେ ରଂଜାଗୋଳ ସମବାୟ ସମିତି ଲିପ୍ତ ରହିଛି । ତେବେ ଦାବି ପୂରଣ ନହେଲେ ଆମେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅନଶନ କରିବୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.