ଢେଙ୍କାନାଳରେ ଛିଣ୍ଡିଲା 11KV ବିଦ୍ୟୁତ ତାର, ୩ ଶିଶୁଙ୍କ ସମେତ ୭ଆହତ

author img

By

Published : Sep 18, 2022, 7:06 PM IST

ଛିଣ୍ଡିଲା 11KV ବିଦ୍ୟୁତ ତାର

ସାଇଁବିରି ଗ୍ରାମରେ ଛିଣ୍ଡିଲା 11KVର ବିଦ୍ୟୁତ ତାର । ଦୁଇଟି ପରିବାରର ୩ଶିଶୁଙ୍କ ସମେତ ୭ଜଣ ଆହତ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲା ସାଇଁବିରି ଗ୍ରାମରେ ଅଭାବନୀୟ ଘଟଣା । 11KV ବିଦ୍ୟୁତ ତାର ଛିଣ୍ଡି ଦୁଇଟି ପରିବାରର ୩ଶିଶୁଙ୍କ ସମେତ ୭ଜଣ ଆହତ । ଏହାସହ ଗ୍ରାମର 15ରୁ ଉର୍ଦ୍ଧ୍ବ ପରିବାରର ଟିଭି, ପ୍ରିଜ ସହ ଓ୍ବାସିଙ୍ଗ ମେସିନ ପୋଡି ଯାଇଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମର ନୂଆ ସାହି ଉପର ଦେଇ ଯାଇଥିବା ଏହି ତାର ଛିଣ୍ଡି ପଡିଛି । ବିଦ୍ୟୁତ ତାର ତଳେ ପଡିଯିବାରୁ ପାଳ ଗଦା ନିଆଁରେ ଜଳି ଯାଇଛି । ଏହାସହ ଗ୍ରାମର 15ରୁ ଉର୍ଦ୍ଧ୍ବ ପରିବାରର ଟିଭି, ପ୍ରିଜ ସହ ଓ୍ବାସିଙ୍ଗ ମେସିନ ପୋଡି ଯାଇଛି ।

ଛିଣ୍ଡିଲା 11KV ବିଦ୍ୟୁତ ତାର

ଏହା ମଧ୍ୟ ପଢନ୍ତୁ:ବାରହା ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ

ଅପରପକ୍ଷରେ ବିଦ୍ୟୁତ କରେଣ୍ଟରେ ଗାଁରେ ସରୋଜ ବେହେରା ଓ କୁକୁମ ବେହେରାଙ୍କ ପରିବାରର ତିନି ଜଣ ଶିଶୁଙ୍କ ସମେତ ୭ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି । ଏହାସହ ଗ୍ରାମବାସୀଙ୍କର ପାଖାପାଖି 20 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ ଗ୍ରାମରେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ଟାଟା ପାୱାର କମ୍ପାନୀର ଅବହେଳା ଓ ଲାଭଖୋର ମନବୃତ୍ତି ଯୋଗୁଁ ଏଭଳି ହେଉଥିବା ବାରମ୍ବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହି ଦୁର୍ଘଟଣା ପରେ ବିଦ୍ୟୁତ ତାର ମରାମତି ପାଇଁ ଯାଇଥିବା ଟାଟା ପାୱାର କମ୍ପାନୀର ଏକ ଗାଡି ସମେତ ୫ଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା । 11KV ବିଦ୍ୟୁତ ତାରକୁ ସମ୍ପୂର୍ଣ୍ଣ ଉଠାଇବାକୁ ଗ୍ରାମବାସୀ ଅଡି ବସିଥିଲେ । ତେବେ ନୂଆ ତାର ଟାଣିବାକୁ ପ୍ରତିଶୃତି ମିଳିବା ପରେ ଉତ୍ତେଜନା ଥମିଥିଲା । ଏସମ୍ପର୍କରେ ଟାଟା ପାୱାର କମ୍ପାନୀକ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ ଆହତ ଗ୍ରାମବାସୀ ଜଣେ କହିଛନ୍ତି ଯେ, "ହଠାତ୍ 11KV ବିଦ୍ୟୁତ ତାର ଛିଣ୍ଡି ପଡିଲା । ପ୍ରଥମେ ମୋ ଝିଅକୁ କରେଣ୍ଟ ମାରିଲା । ତାପରେ ମୁଁ ତାକୁ ଧରିବାରୁ ମୋତେ ବି କରେଣ୍ଟ ମାରିଥିଲା । ଆମେ ଭୟରେ ଘର ବାହାରକୁ ଦୌଡି ଆସିଥିଲୁ । ତାପରେ ମୁଁ ଆଉ ଚାଲିପାରିଲି ନାହିଁ । ଆମର ଟିଭି, ଫ୍ୟାନ ସବୁ ପୋଡି ଯାଇଛି । ଲାଇନ ଆସିଲା ପରେ ଜଣାପଡିବ ଆହୁରି କଣ କ୍ଷତି ହୋଇଛି । ଆମ ଘର ପୁରା ଜଳିଗଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କର୍ମଚାରୀଙ୍କ ଦେଖାନାହିଁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.