ହାତୀପଥର ଜଳଭଣ୍ଡାର: ମନ ମୋହୁଛନ୍ତି ବିଦେଶୀ ପକ୍ଷୀ, ପ୍ରଶାସନର ନାହିଁ ନିଘା

author img

By

Published : Dec 31, 2022, 12:14 PM IST

Updated : Dec 31, 2022, 12:46 PM IST

hatipathar dam in deogarh

ଅବହେଳିତ ହାତୀପଥର ଜଳଭଣ୍ଡାର । ଦେବଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହାତୀପଥର ଜଳଭଣ୍ଡାର ଆଜି ପ୍ରଶାସନର ଦୃଷ୍ଟି ଆଢୁଆଳରେ । ଅଧିକ ପଢ଼ନ୍ତୁ

ହାତୀପଥର ଜଳଭଣ୍ଡାର

ଦେବଗଡ଼: ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଦେବଗଡ଼ ଜିଲ୍ଲା । ସବୁଜ ବଣ ପାହାଡ଼ ପରିବେଷ୍ଟିତ ଏହି ଜିଲ୍ଲାରେ ରହିଛି ଅନେକ ଛୋଟ ବଡ଼ ମନୋରମ ପର୍ଯ୍ୟଟନ ସ୍ଥଳୀ । ମାତ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ ଆଜି ବି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ସେଥି ମଧ୍ୟରୁ ହାତୀପଥର ଜଳଭଣ୍ଡାର ଅନ୍ୟତମ ।

ଏହା ମଧ୍ୟ ପଢ଼ନ୍ତୁ: 5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ, 2022ରେ ସର୍ବାଧିକ ଦୁର୍ନୀତିର ଖୋଳତାଡ଼

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡ଼ଛାପଲ ପଞ୍ଚାୟତର ହାତୀପଥର ଗାଁ ନିକଟରେ ଅବସ୍ଥିତ ଏକ ବିସ୍ତୀର୍ଣ୍ଣ ଜଳଭଣ୍ଡାର । ଦେବଗଡ଼ ସଦର ମହକୁମା ଠାରୁ ଦୂରତା ମାତ୍ର 22 କିଲୋମିଟର । ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ସୃଷ୍ଟି ହୋଇଛି ଏହି ବିଶାଳ ଜଳଭଣ୍ଡାର । ବିସ୍ତୀର୍ଣ୍ଣ ଜଳଭଣ୍ଡାର ମଧ୍ୟରେ ରହିଛି ଏକ ଟାପୁ (ସ୍ଥଳଭୂମି) ଓ ଅନେକ ବୃକ୍ଷରାଜି ରହିଛି । ଏଠାକୁ ପହଞ୍ଚିବା ପାଇଁ ଏକ ପାଦଚଲା ରାସ୍ତା ମଧ୍ୟ ରହିଛି । ଜଳଭଣ୍ଡାର ପରିବେଷ୍ଟିତ ଟାପୁର ଶୋଭା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହାର ଅପୂର୍ବ ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ବିଭିନ୍ନ କିଶମର ବିଦେଶାଗତ ପକ୍ଷୀ । ପ୍ରତିବର୍ଷ ନଭେମ୍ବର ଠାରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏଠାକୁ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ଲାଗି ରହିଥାଏ । ଜଳଭଣ୍ଡାରର ନୀଳ ଜଳରାଶି ଉପରେ ବିଦେଶୀପକ୍ଷୀଙ୍କ ଜଳକ୍ରୀଡା ଦେଖଣାହାରୀଙ୍କୁ ବେଶ ଆନନ୍ଦିତ କରିଥାଏ । ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ଓ ବଣଭୋଜିର ମଜା ନେବାପାଇଁ ଡିସେମ୍ବର, ଜାନୁଆରୀ ମାସରେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଥିସହ ପିକନିକର ମଧ୍ୟ ଆସର ଜମିଥାଏ ।

ଏହା ମଧ୍ୟ ପଢ଼ନ୍ତୁ: Russian Tourists Death: ଶ୍ମଶାନରେ କ୍ରାଇମବ୍ରାଞ୍ଚ, ସଂଗ୍ରହ କଲା ନମୁନା

ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ସୁଦ୍ଧା ଜିଲ୍ଲାର ଏହି ମନୋରମ ପର୍ଯ୍ୟଟନ ସ୍ଥଳୀଟି ଆଜି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏହାର ଉନ୍ନତିକରଣ ଦିଗରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଲେ ଉକ୍ତ ସ୍ଥାନଟି ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଗଣିତ ହୁଅନ୍ତା , ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ଦେବଗଡ଼

Last Updated :Dec 31, 2022, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.