ETV Bharat / state

ଦେବଗଡ଼ ପୌର କାର୍ଯ୍ୟାଳୟରେ ନିଆଁ, ଅଡିଟ୍‌ ପୂର୍ବରୁ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ

author img

By

Published : Feb 12, 2023, 1:57 PM IST

ଦେବଗଡ଼ରେ ଅଗ୍ନିକାଣ୍ଡ
fire breaks out in deogarh

ଦେବଗଡ଼ ପୌର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ପୋଡିଗଲା ଅଡିଟ ପାଇଁ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲ । ଅଧିକ ପଢ଼ନ୍ତୁ

ଦେବଗଡ଼ ପୌର କାର୍ଯ୍ୟାଳୟରେ ନିଆଁ

ଦେବଗଡ଼: ପୌର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଦେବଗଡ଼ ପୌର କାର୍ଯ୍ୟାଳୟରେ ଅଡ଼ିଟ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ପ୍ରକାଶ ପାଇଛି । ଅଗ୍ନିକାଣ୍ଡ ଯୋଗୁଁ ନିଆଁରେ ପୋଡିଗଲା ଅଡିଟ ପାଇଁ ରଖାଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଓ ସରଞ୍ଜାମ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଦୁର୍ନୀତି ଘଣ୍ଟ ଘୋଡାଇବାର ଏହା ଏକ ପ୍ରୟାସ ହୋଇ ଥାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢ଼ନ୍ତୁ: Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା

ସୂଚନା ଅନୁଯାୟୀ ଆଜି ବିଳମ୍ବିତ ରାତିରେ ଦେବଗଡ଼ ପୌର କାର୍ଯ୍ୟାଳୟ କାଉନସିଲ ହଲରେ ହଠାତ୍‌ ଲାଗିଗଲା ନିଆଁ । ରାତ୍ର ଜଗୁଆଳି ନିଆଁ ଜଳୁଥିବା ଦେଖି ତୁରନ୍ତ ଦେବଗଡ଼ ଅଗ୍ନିଶମ ବିଭାଗ ଓ ପୌର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଦେବଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଓ ବିଦ୍ୟୁତିକ ସରଞ୍ଜାମ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହା ଘଟିଥିବା ପୌର କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ

ଅପରପକ୍ଷେ, ଦେବଗଡ଼ ପୌର କାର୍ଯ୍ୟାଳୟରେ ବିଗତ ଦିନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି କାରଣରୁ ପୌର କାର୍ଯ୍ୟାଳୟରେ ସରକାରଙ୍କ ସ୍ପେଶାଲ ଅଡିଟ ଟିମ ଆସି ବିଭିନ୍ନ ସରକାରୀ ନଥିପତ୍ର ତଦାରଖ କରୁଥିଲେ । ତେବେ ଅଡିଟ ପାଇଁ ରଖା ଯାଇଥିବା ସମସ୍ତ ସରକାରୀ ନଥିପତ୍ର ଏଥିରେ ଜଳିପୋଡି ନଷ୍ଟ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଦୂଷଣମୁକ୍ତ ରହିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କ୍ୟାମ୍ପସକୁ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ମନା

ତେଣୁ ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ହୀନ ଉଦ୍ଦେଶ୍ୟ ରଖି କେହି ଅସାଧୁ କର୍ମଚାରୀ ଜାଣିଶୁଣି ସଟସର୍କିଟ କରାଇ ଏହି ଅଗ୍ନିକାଣ୍ଡ ଭିଆଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଅଗ୍ନିକାଣ୍ଡର ବାସ୍ତବ ରହସ୍ୟ ଉନ୍ମୋଚିତ ହେବ ବୋଲି ଜନମତ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.