ETV Bharat / state

ସରୁନି ଜମି ଅଧିଗ୍ରହଣ ପ୍ରକ୍ରିୟା, ବିଳମ୍ବ ହେଉଛି ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟ

author img

By ETV Bharat Odisha Team

Published : Sep 25, 2023, 11:01 AM IST

Talcher Bimlagarh railway work
Talcher Bimlagarh railway work

ବିଳମ୍ବହେଉଛି ତାଳଚେର ବିମଳାଗଡ଼ ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା । ବର୍ଷ ପରେ ବର୍ଷ ବିତିଯାଉଥିଲେ ସୁଦ୍ଧା ଆଗେଇ ପାରୁନି ଏହି ରେଳପଥର ନିର୍ମାଣ କାର୍ଯ୍ୟ । ଅଧିକ ପଢ଼ନ୍ତୁ

ଦେବଗଡ: ତାଳଚେର ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ହୋଇପାରୁନି ଜମି ଅଧିଗ୍ରହଣ । ସମୟ ବିତିଯାଉଥିଲେ ସୁଦ୍ଧା ଆଗେଇ ପାରୁନି ରେଳପଥର ନିର୍ମାଣ କାର୍ଯ୍ୟ । ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଗତ ଅଗଷ୍ଟ ମାସରେ ସାରିବାକୁ ଧାର୍ଯ୍ୟ ହୋଇଥିବା ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରେ ଉଲ୍ଲେଖ ରହିଛି । କିନ୍ତୁ ସେପ୍ଟେମ୍ବର ମାସ ପୁରିବାକୁ ବସିଥିବା ବେଳେ ମାତ୍ର 26.53 ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି ।

ଗତ ଅଗଷ୍ଟ ମାସ 23 ତାରିଖ ଦିନ ଦେବଗଡ଼ ଜିଲ୍ଲା ନାଗରିକ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିଲ୍ଲାପାଳ ଜିଲ୍ଲାରେ ହେବାକୁ ଥିବା 19ଟି ଗ୍ରାମର ଜମି ଅଧିଗ୍ରହଣ ମଧ୍ଯରୁ 17ଟି ଗ୍ରାମର ଜମି ଅଧିଗ୍ରହଣ ସରିଛି ଓ ଏକମାସ ମଧ୍ୟରେ ଅବଶିଷ୍ଟ 2ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସରିବ ବୋଲି ପ୍ରକାଶ କରିଥିଲେ । ତେବେ ରେଳପଥ ଜମି ଅଧିଗ୍ରହଣ ସମ୍ୱନ୍ଧୀୟ ସଠିକ ତଥ୍ୟ ପାଇବା ପାଇଁ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଚଳିତ ମାସ 1 ତାରିଖ ଦିନ ସୂଚନା ଅଧିକାର ଆଇନ ମାଧ୍ୟମରେ ବାରକୋଟ ତହସିଲଦାର ତଥା ତାଳଚେର ବିମଳାଗଡ଼ ରେଳପଥ ଭୁ ଅର୍ଜନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । ବିଡମ୍ବନାର ବିଷୟ ଯେ , ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଜିଲ୍ଲାପାଳଙ୍କ ତଥ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ , ତାଳଚେର - ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ମୋଟ 19 ଖଣ୍ଡ ଗ୍ରାମ ପ୍ରଭାବିତ ହେବ । ତେବେ ବାରକୋଟ ବ୍ଲକର 19 ଟି ଗ୍ରାମର 455 . 38 ଏକର ସରକାରୀ ଓ ବେସରକାରୀ ଜମି ଆବଶ୍ୟକ ଥିବାବେଳେ , ଏପର୍ଯ୍ୟନ୍ତ ତନ୍ମଧ୍ୟରୁ ମାତ୍ର 5 ଟି ଗ୍ରାମର 49 . 450 ଏକର ଜମି ଅଧିଗ୍ରହଣ ହୋଇଥିବା ଓ ଅନ୍ୟ 14 ଟି ଗ୍ରାମର ଜମି ଅଧିଗ୍ରହଣ ସମ୍ପର୍କିତ ନଥିପତ୍ର ସମ୍ବଲପୁର ଆରଡିସିଙ୍କ ନିକଟକୁ ପଠାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ଯାହାକୁ ନେଇ ଜିଲ୍ଲା ନାଗରିକ କମିଟି ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ, ଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳଙ୍କ ପାଖରେ ମଧ୍ୟ ସଠିକ ତଥ୍ୟ ନଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି, ସମୟ ଆସିଲେ ନିଶ୍ଚିତ ଗଡିବ କହିଲେ ଧର୍ମେନ୍ଦ୍ର

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 26 . 53 ପ୍ରତିଶତ ଜମି ଅଧିଗ୍ରହଣ ସରିଥିବା ବେଳେ , ଅଧିକାଂଶ ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ବାଧକ ସାଜିଛି ନୈରାଶ୍ୟଜନକ କ୍ଷତିପୂରଣ ରାଶି । ଉଚିତ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ନଥିବାରୁ ଲୋକେ କ୍ଷତିପୂରଣ ରାଶି ଗ୍ରହଣ କରୁନାହାନ୍ତି । ଗତ ଜୁନ ମାସ 1 ତାରିଖ ଦିନ ସମ୍ବଲପୁରଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଦେବଗଡ଼ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ଅଗଷ୍ଟ ମାସ ଶେଷ ବେଳକୁ ଦେବଗଡ଼ ଜିଲ୍ଲାର ସମସ୍ତ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷଙ୍କୁ ପ୍ରତିଶୃତି ଦିଆଯାଇଥିଲା । ମାତ୍ର ଅଗଷ୍ଟ ମାସ ଶେଷ ହୋଇ ସେପ୍ଟେମ୍ବର ମାସ ସରିବାକୁ ବସିଥିଲେ ହେଁ, ଜମି ଅଧିଗ୍ରହଣ ପ୍ରକ୍ରିୟା ସରିପାରି ନାହିଁ । ଏଥିରୁ ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଉଭୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯେ କେତେ ତତ୍ପର ତାହା ସ୍ପଷ୍ଟ ବାରିହୋଇ ପଡୁଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.