ETV Bharat / state

ନଥିଲା ଶବଦାହ ଗୃହ, ଜରିପାଲ ତଳେ ହେଲା ଅନ୍ତିମ ସଂସ୍କାର

author img

By ETV Bharat Odisha Team

Published : Sep 2, 2023, 11:24 AM IST

ଜରିପାଲ ତଳେ ଅନ୍ତିମ ସଂସ୍କାର
ଜରିପାଲ ତଳେ ଅନ୍ତିମ ସଂସ୍କାର

ମୃତଦେହ ସତ୍କାର ପାଇଁ ନାହିଁ ଶବଦାହ ଗୃହ । ବର୍ଷା ହେବାରୁ ଜରିପାଲ ତଳେ କରାଗଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

ନିଆଳି: ମୃତଦେହ ସତ୍କାର ପାଇଁ ନଥିଲା ଶବଦାହ ଗୃହ । ବର୍ଷା ହେବାରୁ ଜରିପାଲ ତଳେ ଜଳିଲା ଜୁଇ । ଜରିପାଲ ତଳେ ମୃତଦେହ ଦାହର ଦୟନୀୟ ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ବରଂ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ବାଲିପାଟଣା ବ୍ଲକ କୁଳନ୍ତିରା ଗାଁ ଶ୍ମଶାନରୁ ସାମ୍ନାକୁ ଆସିଛି । ଶବଦାହ ଗୃହ ନିର୍ମାଣ ପାଇଁ ଶ୍ମଶାନ ଯୋଜନା ଥିବାବେଳେ ବର୍ଷା ସମୟରେ ଲୋକେ ବଡ ହଇରାଣ ହୋଇ ଜରିପାଲ ତଳେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମୃତଦେହକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଶ୍ମଶାନ ଯୋଜନାରେ ଗାଁ ମଶାଣି ନିକଟରେ ଶବଦାହ ଗୃହ ନିର୍ମାଣ କରୁଛନ୍ତି । ଏ ବାବଦକୁ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ଏହାସତ୍ତ୍ବେ ବାଲିପାଟଣା ଥାନା କୁଳନ୍ତିରା ଗାଁ ଶ୍ମଶାନରୁ ଦୟନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ମଶାନ ଯୋଜନା କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି । ଜରିପାଲ ତଳେ ଜୁଇ ଜଳିବାର ଫଟୋ ଭାଇରାଲ ହେବା ପରେ ସାଧାରଣରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।

ସୂଚନା ଅନୁଯାୟୀ, କୁଳନ୍ତିରା ଗାଁ ନନ୍ଦିନୀ ଭୋଇଙ୍କ ଗତକାଲି(ଶୁକ୍ରବାର) ଅପରାହ୍ନରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ବେଳେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଥିଲା । ହେଲେ ଏତିକି ବେଳେ ଜୋରରେ ବର୍ଷା ହୋଇଥିଲା । ଉପାୟ ନପାଇ ପରିବାର ଲୋକେ ପଲିଥିନ ବା ଜରିପାଲର ସାହାରା ନେଇଥିଲେ । ଶ୍ମଶାନକୁ ଯାଇଥିବା ସମ୍ପର୍କୀୟମାନେ ଚାରିପଟେ ଜରିପାଲ ଟେକି ଛିଡା ହୋଇଥିଲେ । ଫଳରେ ଜରିପାଲ ତଳେ ବଡ କଷ୍ଟରେ ମହିଳାଙ୍କ ମୃତଦେହ ଦାହ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ନିଆଳିରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଏହି ଦୃଶ୍ୟ ଭାଇରାଲ ହେବା ପରେ ସରକାରଙ୍କ ମୃତଦେହ ସତ୍କାର ପାଇଁ ଗୃହ ନିର୍ମାଣ ଯୋଜନା କାହା ସ୍ୱାର୍ଥରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା କିଛି ନୂଆ କଥା ନୁହେଁ, ଗତବର୍ଷ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା ।‌ କୁଳନ୍ତିରା ଶାସନ ଗାଁର ପୂର୍ଣ୍ଣିମା ବେହେରାଙ୍କ ମୃତଦେହ ଦାହ ସମୟରେ ପ୍ରବଳ ବର୍ଷା ଯୋଗୁଁ ଜରିପାଲ ତଳେ ତାଙ୍କର ଜୁଇ ଜଳିଥିଲା । ଅନ୍ୟ ଏକ ସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ମୃତଦେହ ଦରପୋଡା ରହିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.