ETV Bharat / state

ହାଇକୋର୍ଟଙ୍କ ବିଜ୍ଞପ୍ତି: ଅନାବଶ୍ୟକ ଗିରଫ ଓ ଅଟକ ରଖିବା ଉପରେ ଲାଗିବ ଅଙ୍କୁଶ

author img

By ETV Bharat Odisha Team

Published : Sep 9, 2023, 7:26 AM IST

ଅନାବଶ୍ୟକ ଗିରଫ ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ବିଜ୍ଞପ୍ତି
ଅନାବଶ୍ୟକ ଗିରଫ ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ବିଜ୍ଞପ୍ତି

ଅନାବଶ୍ୟକ ଗିରଫ ଓ ଅଟକ ରଖିବା ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କଲେ ହାଇକୋର୍ଟ । ନିର୍ଦ୍ଦେଶ ଅନୁପାଳନ ନକଲେ ପୋଲିସ ଅଧିକାରୀଙ୍କ ବିରୋଧରେ ରୁଜୁ ହେବ ଅଦାଲତ ଅବମାନନା । ଅଧିକ ପଢନ୍ତୁ

କଟକ: ସୁପ୍ରିମକୋର୍ଟଙ୍କ ଜୁଲାଇ ୩୧ର ରାୟ ପାଳନ କରି ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ଗିରଫଦାରୀ ପାଇଁ ରହିଥିବା ନିର୍ଦ୍ଦେଶ ଅନୁପାଳନ ନକଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ରୁଜୁ ହେବ । ବିଶେଷକରି ଆଇପିସିର ଦଫା ୪୯୮-'କ'ରେ ମାମଲା ରୁଜୁ ହେବା କ୍ଷଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରୁ ବିରତ ରହିବ । ୪୯-କ ଦଫାରେ ରୁଜୁ ମାମଲାରେ ଅଭିଯୁକ୍ତଙ୍କୁ ଆପେ‌ ଆପେ ଗିରଫ ନ କରିବା ପାଇଁ ରାଜ୍ୟ ସରକାର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ।


ଅସଫକ ଆଲମ ବନାମ ବିହାର ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ପ୍ରସଙ୍ଗ ନେଇ ହାଇକୋର୍ଟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ୩୧ ଜୁଲାଇ ୨୦୨୩ରେ ସୁପ୍ରିମକୋର୍ଟ ଅସଫକ ଆଲମ ବନାମ ଝାଡ଼ଖଣ୍ଡ ରାଜ୍ୟ ମାମଲାର ଶୁଣାଣି କରି ଅର୍ଣ୍ଣେସ କୁମାର ରାୟରେ ରହିଥିବା ଅନାବଶ୍ୟକ ଗିରଫଦାରୀ ଓ ଅଟକ ସଂପର୍କିତ ନିୟମାବଳୀ ପାଳନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଁ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ତେବେ କ'ଣ ରହିଛି ଏହି ଆଇନ ?

ଏଭଳି ମାମଲାରେ ସିଆରପିସିର ଧାରା ୪୧ରେ ଥିବା ବ୍ୟବସ୍ଥା ଅନୁସାରେ ଗିରଫଦାରୀର ଆବଶ୍ୟକତା ପ୍ରସଙ୍ଗରେ ପୋଲିସ ଅଧିକାରୀ ସୁନିଶ୍ଚିତ ହେବେ । ମାମଲାରେ ଯଦି ପୋଲିସ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରନ୍ତି ତେବେ ଗିରଫଦାରୀର କାରଣ ଓ ଏଭଳି ଆବଶ୍ୟକତା ସଂପର୍କିତ ଦସ୍ତାବିଜ ସହିତ ସଂପୂର୍ଣ୍ଣ ଚେକ୍-ଲିଷ୍ଟ ଅଦାଲତରେ ଚାଲାଣ ବେଳେ ଉପସ୍ଥାପନ କରାଯିବ । ପୋଲିସ ଅଧିକାରୀ ଦାଖଲ କରିଥିବା ରିପୋର୍ଟକୁ ମାଜିଷ୍ଟ୍ରେଟ ଅନୁଧ୍ୟାନ କରିବେ । ଯଦି ଏହା ସନ୍ତୋଷଜନକ ଥାଏ ତେବେ ମାଜିଷ୍ଟ୍ରେଟ ନିଜ ସନ୍ତୁଷ୍ଟି ନେଇ ରେକର୍ଡରେ ଉଲ୍ଲେଖ କରିବା ପରେ ଅଭିଯୁକ୍ତଙ୍କୁ ଅଧିକ ସମୟ ପାଇଁ ଅଟକ ପାଇଁ ଅନୁମତି ‌ଦେଇପାରିବେ ।

ଏହାମଧ୍ୟ ପଢନ୍ତୁ: OSSC Paper Leak: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସେହିପରି ଅଭିଯୁକ୍ତଙ୍କୁ ଗିରଫ ନକରିବା ନିଷ୍ପତ୍ତି ମଧ୍ୟ ମାମଲା ରୁଜୁ ହେବାର ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ନିକଟକୁ ପ୍ରେରଣ କରାଯିବ । ମାମଲା ରୁଜୁର ଦୁଇ ସପ୍ତାହ ଭିତରେ ଅଭିଯୁକ୍ତଙ୍କୁ ସିଆରପିସି ଧାରା ୪୧-କ ଅନୁସାରେ ହାଜର ହେବା ପାଇଁ ନୋଟିସ ପ୍ରଦାନ କରାଯିବ । ଏହି ଅବଧି ଜିଲ୍ଲା ଏସପି ଉପଯୁକ୍ତ କାରଣ ଲିଖିତ ଆକାରରେ ଉଲ୍ଲେଖ କରି ବୃଦ୍ଧି କରିପାରିବେ । ଏହି ନିର୍ଦ୍ଦେଶନାମା ପାଳନ କରିବାରେ ବିଫଳ ହେଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ଏହି ଆଇନ ଉଲ୍ଲଘଂନ କରିଲେ କ'ଣ ଦଣ୍ଡ ରହିଛି ?

ଏଭଳି କ୍ଷେତ୍ରରେ ପୋଲିସ ଅଧିକାରୀଙ୍କୁ ହାଇକୋର୍ଟରେ ରୁଜୁ ହେବାକୁ ଥିବା ଅଦାଲତ ଅବମାନନା ମାମଲାରେ ଦଣ୍ଡିତ କରାଯିବ । ସେହିପରି କାରଣ ନ ଦର୍ଶାଇ ଅଭିଯୁକ୍ତଙ୍କୁ ଅଟକ ରଖିବା ପାଇଁ କ୍ଷମତା ଦେବା କ୍ଷେତ୍ରରେ ସମ୍ପୃକ୍ତ ବିଚାର ବିଭାଗୀୟ ଅଧିକାରୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି କୁହାଯାଇଛି । ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମାକୁ ପୋଲିସ ଅଧିକାରୀଙ୍କୁ ଅବଗତ କରାଇବା ସୁନିଶ୍ଚିତ କରିବେ । ଏହି ନିର୍ଦ୍ଦେଶାନାମା ଆଇପିସିର ଦଫା ୪୯୮-କ ତଥ‌ା ‌ଯୗତୁକ ନିରୋଧ ଆଇନ ମାମଲା ସହିତ ୭ ବର୍ଷ ବା ତା' ଠାରୁ କମ୍ ଜେଲ ଦଣ୍ଡ ବିଧାନ ଥିବା ମାମଲାରେ ମଧ୍ୟ ଲାଗୁ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.