ETV Bharat / state

ସାଇବର କ୍ରାଇମ ନେଇ ହାଇକୋର୍ଟଙ୍କ କ୍ଷୋଭ, ସତ୍ୟପାଠ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 12, 2024, 11:57 AM IST

Etv Bharat
Etv Bharat

Orissa HC On Cyber Crime: ସାଇବର କ୍ରାଇମ ରୋକିବା ପାଇଁ ପୋଲିସର ପଦକ୍ଷେପ ପ୍ରଭାବଶାଳୀ ନୁହେଁ । ଏନେଇ ଅସନ୍ତୋଷ ପ୍ରକାଶ କରି ସତ୍ୟପାଠ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ଉଚ୍ଚ ଅଦାଲତ । ପେଟିଏମ ଜରିଆରେ ଏକ ଠକେଇ ମାମଲାରେ ସୁପ୍ରଭା ବେହେରାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଏହି ରିପୋର୍ଟ ତଲବ କରିଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ରୋକିବା ଦିଗରେ ପୋଲିସର ପଦକ୍ଷେପ ଯଥେଷ୍ଟ କି ପ୍ରଭାବଶାଳୀ ନୁହେଁ । ଏସବୁ ମାମଲାର ତଦନ୍ତ ନିରୁତ୍ସାହଜନକ ବୋଲି ମତ ଦେଇଛନ୍ତି ହାଇକୋର୍ଟ ।

ସାଇବର ଅପରାଧର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି ବୋଲି ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି । ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜିକୃତ ସାଇବର ଅପରାଧଗୁଡିକର ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ସତ୍ୟପାଠ ଦାଖଲ କରିବେ । ଅନ୍ୟପଟେ ସୁପ୍ରଭାଙ୍କ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ 29ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କ୍ରେଡିଟ କାର୍ଡରୁ 8କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ

ବର୍ତ୍ତମାନର ଡିଜିଟାଲ ଯୁଗରେ ସାଇବର ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନରେ ଅନେକ ଠକେଇ ମାମଲା ସାମ୍ନାକୁ ଆସୁଛି । ଚୁଟକିରେ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି ଠକ । ବିଶେଷକରି ଅନଲାଇନ ସପିଂ ଓ ଡିଜିଟାଲ ପେମେଣ୍ଟ କରୁଥିବା ଲୋକେ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହୁଛନ୍ତି । ବିଭିନ୍ନ ବ୍ୟାଙ୍କ ନାଁରେ ଲୋକଙ୍କୁ କଲ୍ ଓ ମେସେଜ କରି ବ୍ୟକ୍ତିଗତ ତଥ୍ୟ ନେଇ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ଏହି ଅଦୃଶ୍ୟ ଠକଙ୍କ କବଳରୁ ବର୍ତ୍ତିବା ପାଇଁ ରାଜ୍ୟରେ ସଚେତନତା ଅଭିଯାନ କରାଯାଉଥିଲେ ହେଁ ସାଇବର ଅପରାଧରେ ରୋକ ଲାଗିପାରୁନି । ଏ ଦିଗରେ ପୋଲିସର ପଦକ୍ଷେପ ଉପରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଇବର କ୍ରାଇମର ଶିକାର ସୁବାସ ସିଂ, ଅଫିସିଆଲ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.