ETV Bharat / state

Matric Exam: କଟକରେ ଚାଲିଛି ମାଟ୍ରିକ ପରୀକ୍ଷା, ଉତ୍ସାହିତ ଛାତ୍ରଛାତ୍ରୀ

author img

By

Published : Mar 10, 2023, 9:15 AM IST

କଟକରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା
କଟକରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ରହିଥିବାରୁ ଭଲ ହେବ ବୋଲି ଦୃଢତାର ସହ କହିଛନ୍ତି ଛାତ୍ରୀ । ଅଧିକ ପଢନ୍ତୁ

କଟକରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

କଟକ: ଆରମ୍ଭ ହେଲା ଚଳିତବର୍ଷ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇଥିବା ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ, ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୭ଟାରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ପୂର୍ବନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଏବଂ ଲେଖିବା ପାଇଁ ଉତ୍ତର ଖାତା ଦିଆଯାଇଥିଲା । ପରୀକ୍ଷାର୍ଥୀମାନେ ନିଜ ଆଡ଼ମିଟ କାର୍ଡ ନେଇ ହଲ ଭିତରକୁ ପ୍ରବେଶ କରିଥିଲେ। ତେବେ ପ୍ରଥମ ଦିନ ଓଡ଼ିଆ ଭାଷା ବା ମାତୃଭାଷା ପରୀକ୍ଷା ରହିଥିବାରୁ ପରୀକ୍ଷା ଭଲ ହେବ ବୋଲି ପରୀକ୍ଷାର୍ଥୀମାନେ ଆଶା ପ୍ରକଟ କରିଛନ୍ତି ।


ପରୀକ୍ଷା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାସିସ ହାଜେରା ସୂଚନା ଦେଇଛନ୍ତି । କନ୍ଧମାଳରେ ୭ ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ତେବେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକ ୧୦ କିମି ଭିତରେ କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ପ୍ରଥମ ଦିନର ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀମାନେ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ବୋଲି ବୋର୍ଡ଼ ଉପସଭାପତି କହିଥିଲେ ।

ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଛି । ସେହିଭଳି ମଧମା ପରୀକ୍ଷା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି । ଏହାସହ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସମ୍ମେଟିଭ ୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ହୋଇଥିଲା ସମ୍ମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ଆୟୋଜନ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି ।

ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ। କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଯେପରି ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସର କଡା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି କପି ରୋକିବା ପାଇଁ ମଧ୍ୟ ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । କପି ରୋକିବାକୁ ସମୁଦାୟ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସେଥି ମଧ୍ୟରୁବୋର୍ଡ଼ ପକ୍ଷରୁ ୩୬ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବୋର୍ଡ଼ ସଭାପତି ରାମସିସ ହାଜେରା ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ବୋଲି ସେ ଆଶାବାଦୀ ଅଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.