ETV Bharat / state

ରାତି ପାହିଲେ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୭୪ଟି ସ୍କ୍ୱାର୍ଡ ଗଠନ

author img

By

Published : Mar 9, 2023, 1:08 PM IST

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା
ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା । ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କପି ରୋକିବାକୁ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ସୂଚନା ଦେଲା ବୋର୍ଡ । ଅଧିକ ପଢନ୍ତୁ

ଶୁକ୍ରବାରଠୁ ମାଟ୍ରିକ ପରୀକ୍ଷା

କଟକ: ରାତି ପାହିଲେ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ସୋପାନ କୁହାଯାଉଥିବା ଏହି ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରସ୍ତୁତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତାକାଲି(ଶୁକ୍ରବାର) ଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖରେ ସରିବ । ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ ।

ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ତେବେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିମି ଭିତରେ କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି(ଶୁକ୍ରବାର) ପ୍ରଥମ ଭାଷାର ପରୀକ୍ଷା ଅର୍ଥାତ ଓଡ଼ିଆ ବିଷୟର ପରୀକ୍ଷା ହେବ । ପ୍ରଥମ ଦିନର ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀମାନେ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ବୋଲି ବୋର୍ଡ଼ ଉପସଭାପତି କହିଛନ୍ତି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଛି । ସେହିଭଳି ମଧ୍ୟମା ପରୀକ୍ଷା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ।

ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସମେଟିଭ ୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ହୋଇଥିଲା ସମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ଆୟୋଜନ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି । ସୁସ୍ଥ ମାନସିକତାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଯେପରି ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସର କଡା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ।

କପି ରୋକିବା ପାଇଁ ମଧ୍ୟ ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । କପି ରୋକିବାକୁ ସମୁଦାୟ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ସେଥିମଧ୍ୟରୁ ବୋର୍ଡ଼ ପକ୍ଷରୁ ୩୬ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.