ETV Bharat / state

ହରଭଙ୍ଗା ବ୍ଲକରେ ଅପହଞ୍ଚ ବିକାଶ, ରାସ୍ତା ପାଇଁ ରାଜ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଚିଠି

author img

By

Published : Aug 13, 2023, 7:30 PM IST

ହରଭଙ୍ଗା ବ୍ଲକରେ ଅପହଞ୍ଚ ବିକାଶ
ହରଭଙ୍ଗା ବ୍ଲକରେ ଅପହଞ୍ଚ ବିକାଶ

ବୌଦ୍ଧ ଜିଲ୍ଲାର ଶତାଧିକ ଗ୍ରାମକୁ ବିକାଶ ଅପହଞ୍ଚ ହୋଇ ରହିଛି । ଏହାରି ଭିତରେ ରାସ୍ତା ପାଇଁ ରାଜ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଚିଠି ଲେଖିଥିବା ଜଣାପଡିଛି । ଅଧିକ ପଢନ୍ତୁ

ହରଭଙ୍ଗା ବ୍ଲକରେ ଅପହଞ୍ଚ ବିକାଶ

ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ପାଇଁ ଖୁସି ଖବର । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ଏଭଳି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଥିବା ଜଣା ପଡିଛି । ତେବେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଏଠାରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ଜିଲ୍ଲାର ଶତାଧିକ ଗ୍ରାମକୁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ସେସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ । ଏହା ବ୍ୟତୀତ ସେସବୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ରହି ସେଠାରେ ସରକାରଙ୍କ ବିକାଶମୂଳକ ଯୋଜନା ମଧ୍ୟ ଅପହଞ୍ଚ ହୋଇ ରହିଛି ।

ବୌଦ୍ଧ ଜିଲ୍ଲାର 3ଟି ବ୍ଲକ୍‌ର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କ ଯୋଜନା ଠିକ୍‌ ଭାବେ ପହଞ୍ଚି ପାରୁନାହିଁ । ପାହାଡ଼ିଆ ଘାଟି ରାସ୍ତା ଓ ଝରଣା ଏଠାରେ ବିକାଶରେ ବାଧକ ସାଜିଛି । ଜିଲ୍ଲାର 22ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡ଼ା, ତଳଗାଁ, ଆଢେଣୀଗଡ଼, ଛତରଙ୍ଗ ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଅନେକ ଦୁର୍ଗମ ଗ୍ରାମ ଜଙ୍ଗଲ ଭିତରେ ରହିଥିବାରୁ ସେଠାରେ ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇରହିଛି ।


ମ୍ୟାଲେରିଆ ଓ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଗରିବ ନିରିହ ଆଦିବାସୀମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଓ ଗୁଣିଗାରେଡିର ସାହାରା ନେଇଥାନ୍ତି । ଫଳରେ ଅନେକ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଗମନାଗମନର ଅବ୍ୟବସ୍ଥା ଯୋଗୁଁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି । ଏହାଛଡ଼ା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ମଧ୍ୟ ଏସବୁ ଆଦିବାସୀ ଜନଜାତିର ହିତାଧିକାରୀ ବାଦ ପଡ଼ୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସେସବୁ ଅଞ୍ଚଳରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏସବୁ ଅଞ୍ଚଳରେ ପ୍ରତ୍ୟେକ ଦିନ ମ୍ୟାଲେରିଆ ରୋଗୀ ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି ।

ଏହା ବି ପଢନ୍ତୁ...ବିକାଶଠୁ ଦୂରରେ ଲାଇଲାଇ ଗାଁ: ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତା, ଆସୁନି ନେଟୱାର୍କ

ହରଭଙ୍ଗା ବ୍ଲକର ଆଢେଣୀଗଡ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ବି ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଅଞ୍ଚଳର ବିକାଶ ହୋଇପାରୁନାହିଁ । ଲୋକଙ୍କ ଜୀବନଜୀବିକାକୁ ନେଇ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଶାଳଖଲି ପତ୍ର, ଝୁଣା, ମହୁ, ଟୋଲ, ମହୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କ ଉନ୍ନତି ହୋଇ ପାରୁନାହିଁ । ସେହିପରି ସରକାରଙ୍କ ଆବାସ ଯୋଜନାରେ ମଧ୍ୟ ବ୍ୟାପକ ତୃଟି ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ହିତାଧିକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।


ତେବେ ବର୍ତ୍ତମାନ ଆଢ଼େଣୀଗଡ ପଞ୍ଚାୟତର ଅନ୍ଧାରୀମୁଲକ ଭାବରେ ପରିଚିତ କଣ୍ଡରା, କାଚପାଜୁ, ଫାଲପାଜୁ ଭଳି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀମାନେ ରାସ୍ତା ନିର୍ମାଣ ଦାବି ପରେ ଶେଷରେ ଭୋଟ ବର୍ଜନ କରିଥିଲେ । ବର୍ତ୍ତମାନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ଏଭଳି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଥିବା ନେଇ ସୂଚନା ମିଳିଛି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.