ETV Bharat / state

ଧାନ ବିକ୍ରି ପାଇଁ ନକଲି ଚାଷୀ ପଞ୍ଜିକୃତ ! ଅନଲାଇନରେ ନାଁ ସାର୍ବଜନୀନ କରିବାକୁ ଦାବି

author img

By ETV Bharat Odisha Team

Published : Nov 25, 2023, 10:58 AM IST

ଧାନବିକ୍ରି ପାଇଁ ନକଲି ଚାଷୀ ପଞ୍ଜିକୃତ !
ଧାନବିକ୍ରି ପାଇଁ ନକଲି ଚାଷୀ ପଞ୍ଜିକୃତ !

ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ନକଲି ଚାଷୀ ! ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ପଢନ୍ତୁ ପୁରା ଖବର

ଧାନବିକ୍ରି ପାଇଁ ନକଲି ଚାଷୀ ପଞ୍ଜିକୃତ !

ବୌଦ୍ଧ: ଧାନ ବିକ୍ରି ପାଇଁ ନକଲି ଚାଷୀଙ୍କ ନାଁ ପଞ୍ଜିକୃତ ହୋଇଥିବା ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ଚଳିତ ବର୍ଷର ଧାନ କଟା । ଚାଷୀମାନେ ମଧ୍ୟ ଭଲ ମୂଲ୍ୟରେ ଧାନ ବିକ୍ରୟ କରିବା ଆଶାରେ ରହିଛନ୍ତି । ହେଲେ ଏଭଳି ସମୟରେ ବୌଦ୍ଧର ବିଭିନ୍ନ ସ୍ଥାନରେ ନକଲି ଚାଷୀ ପଞ୍ଜିକୃତ ହୋଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ପଞ୍ଜିକୃତ ଚାଷୀଙ୍କ ସତ୍ୟତା ନେଇ ପ୍ରଶ୍ନ ଉଠାଇବା ସହ ଏନେଇ ଅନଲାଇନରେ ଚାଷୀଙ୍କ ତଥ୍ୟ ଉପଲବ୍ଧ କରିବାକୁ ଦାବି କରିଛନ୍ତି ସାମାଜିକ କର୍ମୀ ।

ଚଳିତ ବର୍ଷ ଭଲ ବର୍ଷା ଓ ପାଣିପାଗ ଯୋଗୁଁ ବୌଦ୍ଧ ଜିଲ୍ଲାରେ ବମ୍ପର ଧାନ ସଂଗ୍ରହ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ପାଖାପାଖି 18 ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ବର୍ତ୍ତମାନ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ନେଇ ସାମାଜିକ କର୍ମୀ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି ଚାଷୀ ପଞ୍ଜିକୃତ ହୋଇଥିବା ଅଭିଯୋଗ କରି ଅନଲାଇନରେ ପଞ୍ଜୀକୃତ ଚାଷୀମାନଙ୍କ ତଥ୍ୟ ଉପଲବ୍ଧ କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧାନ ମଣ୍ଡିକୁ ନେଇ ବଢୁଛି ଚିନ୍ତା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଧାନ କଟା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ ଭାବରେ କଣ୍ଟାମାଳ ବ୍ଲକରେ ଆଗୁଆ ଅମଳକ୍ଷମ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଠାରୁ ୧୭ ଲକ୍ଷ ୯୪ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । କିନ୍ତୁ ଏବେ ଅନେକ ସ୍ଥାନରେ ଜମି ନଥିବା ଲୋକଙ୍କ ନାମ ଚାଷୀ ଭାବରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ହୋଇଛି ।

ଏପରିକି ଧାନ ଚାଷ ସହିତ ଜଡ଼ିତ ନଥାଇ କପା ଓ ଅନ୍ୟାନ୍ୟ ଚାଷ କାର୍ଯ୍ୟ କରୁଥିବା ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଚାଷୀର ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ ରହୁଥିବା ବେଳେ ଗତ ଦୁଇ ବର୍ଷ ହେଲା ଆଉ ଚାଷୀଙ୍କ ସବିଶେଷ ତଥ୍ୟ ଅନଲାଇନରେ ମିଳୁନାହିଁ । ଯେଉଁଥିପାଇଁ ଜିଲ୍ଲାର ଅନେକ ନକଲି ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରାଇଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗ ସହିତ ରାଜସ୍ବ ବିଭାଗର ମିଲିଭଗତରେ ଏଭଳି ନକଲି ଚାଷୀ ପଞ୍ଜିକୃତ ହୋଇଥିବା ଅଭିଯୋଗ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.