ETV Bharat / state

ବୌଦ୍ଧର ବିଭିନ୍ନ ସ୍ଥାନରେ ସାପ ଓ କୁମ୍ଭୀର ଆତଙ୍କ, ବନବିଭାଗ ପକ୍ଷରୁ ଚାଲିଛି ସଚେତନ କାର୍ଯ୍ୟକ୍ରମ

author img

By

Published : Aug 10, 2023, 9:18 PM IST

ବୌଦ୍ଧର ବିଭିନ୍ନ ସ୍ଥାନରେ ସାପ ଓ କୁମ୍ଭୀର ଆତଙ୍କ
ବୌଦ୍ଧର ବିଭିନ୍ନ ସ୍ଥାନରେ ସାପ ଓ କୁମ୍ଭୀର ଆତଙ୍କ

ବୌଦ୍ଧରେ ବଢିବାରେ ଲାଗିଛି ସର୍ପାଘାତଜନିତ ମାମଲା । ଏବେ ନଦୀକୂଳିଆ ଅଞ୍ଚଳରେ ଚିନ୍ତାର କାରଣ ପଲଟିଛନ୍ତି କୁମ୍ଭୀର । ଅଧିକ ପଢନ୍ତୁ

ବୌଦ୍ଧର ବିଭିନ୍ନ ସ୍ଥାନରେ ସାପ ଓ କୁମ୍ଭୀର ଆତଙ୍କ

ବୌଦ୍ଧ: ବର୍ଷା ଋତୁରେ ନଦୀ କୂଳିଆ ଅଞ୍ଚଳରେ ବୃଦ୍ଧି ପାଉଛି ସର୍ପାଘାତ ମାମଲା । ଗତ ସାତ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୁଇ ହଜାରରୁ ଊର୍ଦ୍ଧ୍ବ ସର୍ପାଘାତ ମାମଲା ସାମ୍ନାକୁ ଆସିଛି । ଏହାଛଡ଼ା ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ କୁମ୍ଭୀର ନଦୀକୂଳିଆ ଅଞ୍ଚଳରେ ଆତଙ୍କ ରଚୁଛନ୍ତି । ଯାହାକୁ ନେଇ ବୌଦ୍ଧର ବିଭିନ୍ନସ୍ଥାନରେ ଲୋକେ ଭୟଭୀତ ରହିଥିବା ବେଳେ କୁମ୍ଭୀରଙ୍କଠାରୁ କିପରି ବର୍ତ୍ତି ପାରିବେ ସେନେଇ ସଚେତନ ସୃଷ୍ଟି କରୁଛି ବନ ବିଭାଗ ।

ବର୍ଷା ଋତୁରେ ବିଭିନ୍ନ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ବିଷଧର ସାପ ଓ ବିଶେଷ ଭାବରେ ତଳ ମୁଣ୍ଡରୁ ଘଡ଼ିଆଳ କୁମ୍ଭୀରମାନେ ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ଦେଖାଯାଉଛି । ଏହାଛଡ଼ା ଜିଲ୍ଲାର ତଳ ମୁଣ୍ଡରେ ଥିବା ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୁମ୍ଭୀରମାନେ ବନ୍ୟାଜଳରେ ଉପର ମୁଣ୍ଡକୁ ଚାଲି ଆସୁଛନ୍ତି । ଏହାକୁ ନେଇ ନଦୀକୂଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଏହା ବି ପଢନ୍ତୁ: ସାପ ଧରାଳିଙ୍କ ପାଇଁ ଗାଇଡଲାଇନ, ମିଳିବ ସୁରକ୍ଷା ଟୁଲ୍ କିଟ୍

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ୍‌ କହିଛନ୍ତି,‘‘ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ଘଡିଆଳ କୁମ୍ଭୀର ବନ୍ୟାଜଳରେ ଉପର ମୁଣ୍ଡକୁ ଚାଲି ଆସନ୍ତି । ଏହି କିଛି ନିର୍ଦ୍ଦିଷ୍ଟ ସମୟ ସୀମାପାଇଁ ହୋଇଥାଏ । ପାଣି କମିଲେ ସେମାନେ ପୁଣି ସାତକୋଶିଆକୁ ଫେରିଯାଆନ୍ତି । ଏହାକୁ ନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲାର ଧଳପୁରଠାରୁ ନେଇ ବାଉଁଶୁଣୀ ପର୍ଯ୍ୟନ୍ତ ମହାନଦୀର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସତର୍କମୂଳକ ପଦକ୍ଷପ ଓ ଗ୍ରହଣ କରାଯାଉଛି ।’’

ଏହା ବି ପଢନ୍ତୁ: ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ: ଗତମାସରେ 20ଟି ମାମଲା, ଜନସଚେତନତା ଉପରେ ଗୁରୁତ୍ବ
ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ବର୍ତ୍ତମାନ ସମୟରେ ବ୍ୟାପକ ମାତ୍ରାରେ ବିଷଧର ସାପ ଦେଖିବାକୁ ମିଳିଛି । ଆଉ ଏଭଳି ସମୟରେ ସର୍ପାଘାତ ମାମଲା ମଧ୍ୟ ବେଶ ବୃଦ୍ଧି ପାଉଛି । ଏହାକୁ ନେଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟମାନେ ବିଭିନ୍ନ ସ୍ଥାନରୁ ବିଷଧର ସାପ ଉଦ୍ଧାର କରୁଛନ୍ତି । ହେଲେ ଜିଲ୍ଲାରେ ଅନେକ ସାପଧରାଳି ଏବେ ବି ରେଜିଷ୍ଟ୍ରେସନ୍‌ କରିପାରିନଥିବାରୁ ସେମାନଙ୍କୁ ଉପଯୁକ୍ତ ତାଲିମ ଓ ସରଞ୍ଜାମ ଯୋଗାଇ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.