ETV Bharat / state

ସାପ ଧରାଳିଙ୍କ ପାଇଁ ଗାଇଡଲାଇନ, ମିଳିବ ସୁରକ୍ଷା ଟୁଲ୍ କିଟ୍

author img

By

Published : Aug 10, 2023, 12:39 PM IST

guidelines for rescue and release of snakes
guidelines for rescue and release of snakes

ସାପ ଧରିବା ଏବଂ ଛାଡିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପ ଧରାଳି । ଅଧିକ ପଢନ୍ତୁ

ଭୁବନେଶ୍ବର: ସାପ ଧରାଳିଙ୍କ ପାଇଁ ଗାଇଡଲାଇନ । ସାପ ଧରିବା ଏବଂ ଛାଡିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟରେ ସାପ କାମୁଡ଼ାରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି । ଗତ ୭ ବର୍ଷରେ ସାପ କାମୁଡ଼ାରେ ରାଜ୍ୟର ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସାପ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚି ପାରୁ ନଥିବାରୁ ଲୋକେ ସାପକୁ ବାଡେଇ ମାରି ଦେଉଥିବାର ନଜରକୁ ଆସିଛି । ତେଣୁ ଏନେଇ ସାପଧରାଳିଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।

ସେହିପରି କେତେକ କ୍ଷେତ୍ରରେ ସାପ ଧରିବାକୁ ଯାଉଥିବା ବ୍ୟକ୍ତି ଆବଶ୍ୟକ ସରଞ୍ଜାମ ନେଉନଥିବାରୁ ସାପ କାମୁଡାର ଶିକାର ହେଉଛନ୍ତି । ତେଣୁ ଏବେ କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ମାନେ ହିଁ ସାପ ଧରିବେ । ‌ଯିଏ ଏହାକୁ ନ ମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାପ ଧରାଳୀମାନେ ଲୋକଙ୍କ ମଧ୍ୟରେ ପରିବେଶରେ ସାପର ଗୁରୁତ୍ବ ନେଇ ସଚେତନତା ସୃଷ୍ଟି କରିବେ । କେହି ସାପ ଧରି ଷ୍ଟଣ୍ଟ ଦେଖାଇବେନି । ଯଦି କେହି ନିୟମ ଉଲ୍ଲଘଂନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ଯେଉଁଠାରେ ସାପର ଭୟ ଥିବ ସେଠାରେ ଲୋକମାନେ ସାପ ଧରାଳୀଙ୍କୁ ତୁରନ୍ତ ଫୋନ କରିପାରିବେ । ଏହାସହ ସାପର ଗୋଟିଏ ଫଟୋ ଉଠାଇ ପଠାଇବେ । ସାପ ଧରାଳୀ କେତେ ସମୟ ଭିତରେ ତାଙ୍କ ନିକଟରେ ପହଞ୍ଚିବେ ତାହା ନିଶ୍ଚିତ କରିବେ । ସେହିପରି ଯଦି କେଉଁଠି ଲୋକଙ୍କୁ ସାପ କାମୁଡ଼ି ଥିବ ତେବେ ସାପ ଧରାଳୀ ଆଶୁ ଚିକିତ୍ସା ଯୋଗାଇବା ସହ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିବେ । ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ । ଯଦି କୌଣସି କାରଣରୁ ସାପ ଆହତ ହୋଇଥିବାର ନଜରକୁ ଆସେ ତେବେ ତା’ର ଚିକିତ୍ସା କରି ଛାଡ଼ିବେ ସାପ ଧରାଳି । କିନ୍ତୁ ସାପ ଧରିବା ବେଳେ ସାପର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଯଦି ଏକାଧିକ ସାପ ଉଦ୍ଧାର କରାଯାଇଥାଏ ତେବେ ସେମାନଙ୍କୁ ଗୋଟିଏ ସ୍ଥାନରେ ଛାଡ଼ିବେ ନାହିଁ । ସାପ ଧରାଳିଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ: ଗତମାସରେ 20ଟି ମାମଲା, ଜନସଚେତନତା ଉପରେ ଗୁରୁତ୍ବ

ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟାର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ । ସାପଧରାଳିଙ୍କୁ ପିଭିସି ପାଇପ, ବ୍ୟାଗ, ଫାଷ୍ଟ ଏଡ କିଟ୍, ଟର୍ଚ୍ଚ, ସାପ କାମୁଡା ବ୍ୟାଣ୍ଡେଡ୍, ସାପ ଧରା ହୁକ, ଫ୍ରେମ ଲାଗିଥିବା କପଡା ବ୍ୟାଗ୍ ଆଦି ସାମଗ୍ରୀ ଯୋଗାଇ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.