ETV Bharat / state

World Photography Day: କେକ୍ କାଟି ସେଲିବ୍ରେସନ କଲେ ଫଟୋଗ୍ରାଫର

author img

By

Published : Aug 19, 2023, 5:23 PM IST

Updated : Aug 19, 2023, 5:46 PM IST

ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ଫଟୋଗ୍ରାଫରମାନେ କେକ୍ କାଟି ସେଲିବ୍ରେସନ କରିଛନ୍ତି। ଅଧିକ ପଢନ୍ତୁ

World Photography Day
World Photography Day

World Photography Day

ବୌଦ୍ଧ: ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଏଥିପାଇଁ ବୌଦ୍ଧ ଜିଲ୍ଲାର ଫଟୋଗ୍ରାଫରମାନେ ଏକତ୍ରିତ ହୋଇ କେକ୍ କାଟି ଏହି ଦିବସକୁ ପାଳନ କରିଛନ୍ତି । ଏହି ଅବସରରେ ଜିଲ୍ଲାର ଅନ୍ୟତମ ପୁରୁଣା ଷ୍ଟୁଡିଓର ଫଟୋଗ୍ରାଫର ନିଜର ପୁରୁଣା ସ୍ମୃତିକୁ ବର୍ଣ୍ଣନା କରିଛନ୍ତି । ବିଶେଷ ଭାବରେ ପୁରୁଣା ଦିନର ଫଟୋଚିତ୍ରକୁ ନିଜ ନିଜ ପାଖରେ ସାଉଁଟି ରଖିଥିବା ଫଟୋଗ୍ରାଫରମାନେ ପୁରୁଣା ସ୍ମୃତିକୁ ବର୍ଣ୍ଣନା କରିବା ସହିତ ଏନେଇ ଆଲୋଚନା କରିଥିଲେ ।


୧୮୩୯ ମସିହାରେ ବିଶ୍ଵ ଇତିହାସରେ ସ୍ଥିର ଚିତ୍ର ଉତ୍ତୋଳନ(ଫଟୋଚିତ୍ର) କ୍ୟାମେରା ମାଧ୍ୟମରେ ଉଠାଯାଇଥିଲା। ଏହା ପରେ ସାରା ବିଶ୍ବରେ ଫଟୋଚିତ୍ରର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା। ଊନବିଂଶ ଶତାବ୍ଦୀର ଶେଷ ବେଳକୁ ଓଡ଼ିଶା ସମେତ ବୌଦ୍ଧ ଗଡ଼ଜାତରେ ଫଟୋଗ୍ରାଫି ମାଧ୍ୟମରେ ଚିତ୍ର ଉତ୍ତୋଳନ ଆରମ୍ଭ ହୋଇଥିବା କୁହାଯାଏ। ତେବେ ବୌଦ୍ଧ ଗଡ଼ଜାତର ୪୪ ତମ ରାଜା ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ କଲିକତାର ଏକ ପ୍ରସିଦ୍ଧ ଷ୍ଟୁଡିଓରେ ଫଟୋଚିତ୍ର ଉତ୍ତୋଳନ କରୁଥିବା କଥା କୁହାଯାଏ । ଏହା ପୂର୍ବରୁ ରାଜା ମହାରାଜାମାନେ ତୈଳଚିତ୍ର ମାଧ୍ୟମରେ ନିଜ ଛବିକୁ ଅଙ୍କାଉଥିଲେ ।


ତେବେ ୧୯୨୦ ଦଶକରୁ ନେଇ ଦେଶ ସ୍ବାଧୀନ ପର୍ଯ୍ୟନ୍ତ ବୌଦ୍ଧ ଗଡ଼ଜାତକୁ କଟକର ଜଣେ ପ୍ରସିଦ୍ଧ ମୁସଲମାନ ଫଟୋଗ୍ରାଫର ବକ୍ସ କ୍ୟାମେରା ନେଇ ଆସୁଥିଲେ । ବୌଦ୍ଧ ଗଡ଼ଜାତରେ ରାଜା, ଦରବାର ଓ ବିଭିନ୍ନ ସ୍ଥାନର ଫଟୋଚିତ୍ର ଉତ୍ତୋଳନ କରାଯାଉଥିଲା । ଏଭଳି ଗଡ଼ଜାତ ଶାସନ କାଳରେ ବୌଦ୍ଧର ଭଗବାନ ପଣ୍ଡା, ଗୌର ମୋହନ ମିଶ୍ର ଓ ନାଗା ଅଗ୍ରୱାଲଙ୍କ ନିକଟରେ ବ୍ୟକ୍ତିଗତ କ୍ୟାମେରା ରହିଥିଲା । ସ୍ବାଧୀନତା ପରେ ବୌଦ୍ଧ ସବଡିଭିଜନରେ ଆରଜୁ ଷ୍ଟୁଡିଓ, ବିନୋଦ ଫଟୋ ଷ୍ଟୁଡିଓ, ଶୁଭଶ୍ରୀ ଷ୍ଟୁଡିଓ ଭଳି ଫଟୋ ଷ୍ଟୁଡିଓ ବେଶ ଖ୍ୟାତି ଅର୍ଜନ କରିଥିଲା ।

ଏହା ବି ପଢନ୍ତୁ...ଫଟୋଗ୍ରାଫି ପାଇଁ ସୁନ୍ଦର ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ


ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଟୋଗ୍ରାଫି କରି ଅନେକ ଯୁବବର୍ଗ ଜୀବିକା ଉପାର୍ଜନ କରୁଛନ୍ତି। କେତେକ ଫଟୋଗ୍ରାଫିକୁ ରୋଜଗାରର ମାଧ୍ୟମ ଭାବରେ ଗ୍ରହଣ କରିଥିବା ବେଳେ ଅନେକ ଏହାକୁ ମନୋରଞ୍ଜନର ମାଧ୍ୟମ କରିଛନ୍ତି । ଆଜି ବିଶ୍ବ ଫଟୋଗ୍ରାଫି ଦିବସକୁ ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାର ଫଟୋଗ୍ରାଫରମାନେ ଏକତ୍ରିତ ହୋଇ ଏହି ଦିବସକୁ କେକ୍ କାଟି ପାଳନ କରିଛନ୍ତି । ସେହିପରି ବାଉଶୁଣୀଠାରେ ମଧ୍ୟ ଅଞ୍ଚଳର ଫଟୋଗ୍ରାଫରମାନେ ଏକତ୍ରିତ ହୋଇ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ବୌଦ୍ଧ

Last Updated : Aug 19, 2023, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.