ETV Bharat / state

୫୭ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

author img

By ETV Bharat Odisha Team

Published : Sep 6, 2023, 8:36 AM IST

ରାଜପଥ ପାଲଟିଛି ମରଣଯନ୍ତା
ରାଜପଥ ପାଲଟିଛି ମରଣଯନ୍ତା

ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାସ୍ତା କାମରେ ଅନିୟମିତତା। ଦିନକୁ ଦିନ ବଢ଼ୁଛି ସଡକ ଦୁର୍ଘଟଣା। ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଦାବି। ଅଧିକ ପଢ଼ନ୍ତୁ

ରାଜପଥ ପାଲଟିଛି ମରଣଯନ୍ତା

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ତଥା ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡିରହି ଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡକ ଦୁର୍ଘଟଣା । ଗତ ମାସରେ ଦୁର୍ଘଟଣାରେ 7 ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି ।

ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ହେଉଛି । ତେବେ ଏଥିପାଇଁ ଜାତୀୟ ରାଜପଥ ବିଭାଗର ଅବହେଳା ତଥା ଉଦାସୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ଖାଲଖମାରେ ଭରପୁର ରାଜପଥର ଅନେକ ସ୍ଥାନରେ ବିଭାଗ ମୃତ୍ୟୁର ଫାସ ବସାଇଥିବା ଅଭିଯୋଗ ହୋଇଛି । କେବଳ ଗତ ଅଗଷ୍ଟ ମାସରେ 20ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ମାମଲା ସମ୍ମୁଖକୁ ଆସିଥିବା ବେଳେ 7 ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଆଢେଣୀଗଡ ଫାଣ୍ଡିର ଜଣେ ପୋଲିସ ହାବିଲଦାର ଓ ଅନ୍ୟ ଜଣେ ହୋମଗାର୍ଡ ମୃତ୍ୟୁବରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ; ଦୁର୍ଘଟଣାରେ ଆଉ ଜଣେ ପୋଲିସ କର୍ମଚାରୀ ମୃତ

ବୌଦ୍ଧ ଜିଲ୍ଲାର ବଦଲାସାହି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ୫୭ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇ ପଡିବା ସହିତ କେତେକ ସେତୁର କଂକ୍ରିଟ ଫାଟି ଲୁହାରଡ ଦେଖାଯାଉଛି । ବିଶେଷ ଭାବରେ ପୁରୁଣା କଟକ, ବାଉଶୁଣୀ, ସାହାଜପାଲ ଏପରିକି ବୌଦ୍ଧ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଅତ୍ୟନ୍ତ ବିପଦ ସଙ୍କୁଳ ହୋଇପଡ଼ିଛି । ଏହାଛଡା ଜନ ସଚେତନତା ଅଭାବରୁ ରାସ୍ତା ଉପରେ ବେଆଇନ ଭାବେ ବସ୍ ମୋଟର ଗାଡ଼ି ପାର୍କିଂ କରୁଛନ୍ତି । ଏହା ସହିତ ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ଜବରଦଖଲ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇ ପଡିବା ସହିତ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି ।

ସେହିପରି ଜାତୀୟ ରାଜପଥ କଡ଼ରେ ନିର୍ମାଣ ହୋଇଥିବା ଡ୍ରେନେଜ କାର୍ଯ୍ୟ ଠିକରେ ହୋଇ ନଥିବା ତଥା ଅଧାପନ୍ତରିଆ ହୋଇ ପଡ଼ିଥିବା କାରଣରୁ ମଧ୍ୟ ସଡକ ଦୁର୍ଘଟଣା ଘଟୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ସେପଟେ ଅଧିକାଂଶ ସମୟରେ ଗାଡ଼ି ଚାଳକଙ୍କ ଦ୍ରୁତ ଗତିରେ ଗାଡିଚାଳନା ଓ ମଦ୍ୟପାନ କରି ଗାଡ଼ି ଚାଳନା ସଡକ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଜିଲ୍ଲାର କେବଳ ବୌଦ୍ଧ ସହରର ବାଘଗୁଡା ଛକ ଠାରେ ଗୋଟିଏ ଟ୍ରାଫିକ ପୋଷ୍ଟ ଥିବା ବେଳେ ଜିଲ୍ଲାରେ କେବଳ ଦୁଇ ଜଣ ଟ୍ରାଫିକ କର୍ମଚାରୀଙ୍କ ହାତରେ ସମୁଦାୟ ଭାର ରହିଛି । ଜାତୀୟ ରାଜପଥ ବିଭାଗର ଅବହେଳା ତଥା ଉଦାସୀନତା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ବୌଦ୍ଧବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.