ETV Bharat / state

Ground Report: ବିକାଶ ଅପେକ୍ଷାରେ ମାଓ ଅଧ୍ୟୁଷିତ ସମାଡାଙ୍ଗୀ, ସ୍ଥିତି ପରଖିଲା ETV Bharat

author img

By

Published : Dec 23, 2022, 1:50 PM IST

samadangi village problems
samadangi village problems

ସରକାରୀ ଯୋଜନାରୁ ବଞ୍ଚିତ ସମାଡାଙ୍ଗୀ ଗ୍ରାମ । ବିକାଶରେ ବାଟ ଓଗାଳୁଛି ପାହାଡି ଝରଣା । ନା ପହଞ୍ଚୁଛି ସ୍ବାସ୍ଥ୍ୟ ସେବା ନା ଅଛି ଗ୍ରାମକୁ ରାସ୍ତା । ଏହି ଗାଁରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍‌ । ଅଧିକ ପଢନ୍ତୁ

samadangi village problems

ବୌଦ୍ଧ: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ପକ୍କା ରାସ୍ତାଠୁ ଆରମ୍ଭ କରି ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଏସବୁ ଯୋଜନା ଯେମିତି ସାତ ସପନ ପାଲଟିଛି ବୌଦ୍ଧ ଜିଲ୍ଲାର ଅନେକ ଦୁର୍ଗମ ଓ ମାଓ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ପାଇଁ । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ଅଞ୍ଚଳରେ ବିକାଶ ଯେମିତି ମାଟି ମାଡି ପାରିନି । ଘାଟିରାସ୍ତା ଓ ପାହାଡି ଝରଣା ଯେମିତି ବିକାଶରେ ବାଧକ ସାଜିଛି । ଫଳରେ ସରକାରଙ୍କ ନାନା ସୁବିଧାରୁ ବଞ୍ଚିତ ଏହି ତିନୋଟି ବ୍ଲକର ବାସିନ୍ଦା । ଏଭଳି ଅଞ୍ଚଳ ସମାଡାଙ୍ଗୀରେ ପହଞ୍ଚି ସ୍ଥିତି ପରଖିଥିଲା ଆମ ଇଟିଭି ଭାରତ ଟିମ୍‌ ।

ହରଭଙ୍ଗା ବ୍ଲକର ଆଢେଣୀଗଡ, ତଳଗାଁ, ମହାଲିକପଡା , ବୌଦ୍ଧ ବ୍ଲକର ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଓ କଣ୍ଟାମାଳ ବ୍ଲକର ଲମ୍ବସରୀ, ଉମା,ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ଅନେକ ଉପାନ୍ତ ଅଞ୍ଚଳରେ ସରକାରଙ୍କ ବିକାଶର ବାଟ ଓଗାଳିଛି ବଣ ଜଙ୍ଗଲର ଘାଟିରାସ୍ତା । ବିଶେଷ କରି ଜିଲ୍ଲାର ସମାଡାଙ୍ଗୀ ଗ୍ରାମର ସ୍ଥିତି ଦେଖିଲେ ସରକାରୀ ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇଛି ନା ନାହିଁ ତାହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଗ୍ରାମକୁ ରାସ୍ତା ଟିଏ ଅଛି ନା ପହଞ୍ଚି ପାରୁଛି ସ୍ବାସ୍ଥ୍ୟ ସେବା । ଅନେକ ଲୋକ ଜିଲ୍ଲାପାଳଙ୍କୁ ନିଜ ଗ୍ରାମରେ ଦେଖିନଥିବା କହିଥିବା ବେଳେ ନିଜ ଗ୍ରାମରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖିନଥିବା କହିଛନ୍ତି । ଏଠାରେ ଆବାସ ଯୋଜନାରେ ଲୋକଙ୍କୁ ଘରଟିଏ ମିଳିବା ମଧ୍ୟ କଷ୍ଟକର । ଫଳରେ ଛୋଟ ଛୋଟ ମାଟି ଘରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

ବୌଦ୍ଧ ଜିଲ୍ଲା ପ୍ରଶାସନ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରିନି ଅନେକ ଅଞ୍ଚଳର ସମସ୍ୟା । ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ଠାରୁ ନେଇ ଆବାସ, ବିଦ୍ୟୁତ୍‌, ରାସନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଅଙ୍ଗନବାଡି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି ।

ଏନେଇ ସମାଡାଙ୍ଗୀ ଗ୍ରାମବାସୀ ମନୋଜ ଚିରଗୁଣି କହିଛନ୍ତି ଯେ, ''ଆମ ଗ୍ରାମକୁ ଯାତାୟତ ପାଇଁ ରାସ୍ତା ନାହିଁ, ଏଥି ସହ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ପିଲା ମାନେ ପାଠ ପଢିବାକୁ ଯାଇ ପାରାରୁନାହାନ୍ତି । ଆମ୍ବୁଲାନ୍ସ ନଥିବାରୁ ଗର୍ଭବତୀ ମହିଳା ଟିଏ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛି । ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସ୍ଥିତିରେ କୌଣସିବି ସୁଧାର ଆସିପାରିନାହିଁ । ନିର୍ବାଚନ ଆସିଲେ ନେତା ଆସୁଛନ୍ତି, କିନ୍ତୁ ନିର୍ବାଚନ ସରିବା ପରେ କାହାରବି ଦେଖା ମିଳୁନି । ଫଳରେ ବର୍ଷ ବର୍ଷ ଧରି ଆମେ ଏପରି ସମସ୍ୟାର ସମ୍ମୁଖୀନ ହେଉଛୁ । ''
ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.