ETV Bharat / state

ନାବାଳକ ନରବଳି ଘଟଣା: ଭୟରେ ମୃତକଙ୍କ ପରିବାର, ସିବିଆଇ ତଦନ୍ତ ଦାବି କଲେ ବିଜେପି ନେତା

author img

By

Published : Aug 1, 2023, 7:03 AM IST

minor death case in angul
ନାବାଳକ ନରବଳି ଘଟଣା

ନାବାଳକ ସଞ୍ଜୀବ ବିଶ୍ବାଳଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ନରହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହି ଘଟଣା ପରେ ସୁବର୍ଣ୍ଣପୁର ଗ୍ରାମ ଓ ଟୁସର ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ନାବାଳକ ନରବଳି ଘଟଣା

ବୌଦ୍ଧ: ନାବାଳକ ସଞ୍ଜୀବ ବିଶ୍ବାଳକୁ ନରବଳି ଦେବା ଅଭିଯୋଗରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ମୃତ ନାବାଳକଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ନରହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଗତ ୧୦ ଦିନ ତଳେ ହୋଇଥିବା ନରବଳୀ ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ସୁବର୍ଣ୍ଣପୁର ଗ୍ରାମ ଓ ଟୁସର ଗ୍ରାମରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ଗ୍ରାମବାସୀ ଭୟରେ ତାଟି କବାଟ ବନ୍ଦ କରି ରହୁଛନ୍ତି । ବୌଦ୍ଧ ଓ ଅନୁଗୋଳ ଜିଲ୍ଲା ସୀମାନ୍ତରେ ଅବସ୍ଥିତ କିଆକଟା ଥାନା ଅନ୍ତର୍ଗତ ଟୁସର ଗ୍ରାମରେ ଗତ ରବିବାର ରାତିରେ ନାବାଳକକୁ ମଙ୍ଗଳା କୋଠିଘରରେ ନରବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସୁବର୍ଣ୍ଣପୁର ଗ୍ରାମର ଜଣେ ୧୨ ବର୍ଷର ନାବାଳକ ସଞ୍ଜୀବ ବିଶ୍ବାଳକୁ ସୁନା ହଣ୍ଡା ଆଶାରେ ନରବଳି ଦିଆଯାଇଥିବା ନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ହେବାର ୬ ଦିନ ପରେ ନାବାଳକର ଖଣ୍ଡିତ ମୃତ ଶରୀର ଏକ ଜଙ୍ଗଲରୁ ଠାବ ହେବା ଦିନଠାରୁ ଟୁସର ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ପ୍ରଶାସନ ପକ୍ଷରୁ ଉକ୍ତ ମଙ୍ଗଳା କୋଠି ଘରକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି । ତେବେ ନାବାଳକ ଶରୀରର ଗଣ୍ଡି ଅଂଶ ନଥିବା ବେଳେ କିଛି ଅଙ୍ଗ ମଧ୍ୟ ନଥିବା ନେଇ ଜଣାପଡ଼ିଛି । ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ଟୁସର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ କେତେକ ଏହାକୁ ଶରୀର ଅଙ୍ଗପ୍ରତ୍ୟଙ୍ଗ ତଷ୍କରୀ ରାକେଟ ଥିବା ଚର୍ଚ୍ଚା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନାବାଳକ ନରବଳି ଘଟଣା, ମଙ୍ଗଳା କୋଠିକୁ ସିଲ କରି ତଦନ୍ତ ଆରମ୍ଭ କଲା ପୋଲିସ

ସେପଟେ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ରହୁଥିବା ମୃତ ନାବାଳକଙ୍କ ପରିବାର ବର୍ତ୍ତମାନ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଚାରି ଜଣଙ୍କୁ କିଆକଟା ପୋଲିସ ଗିରଫ କରିଥିଲେ ମଧ୍ୟ ଏଥିରେ ଆହୁରି ଲୋକଙ୍କ ହାତ ଥିବା ସନ୍ଦେହ କରିଛନ୍ତି ପରିବାର । ଏହାଛଡା ଉକ୍ତ ପରିବାରକୁ ଭୟଭୀତ କରି ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ କିଆକଟା ପୋଲିସ ସମ୍ପୃକ୍ତ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.