ETV Bharat / state

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ଗୌର ମିଶ୍ର

author img

By ETV Bharat Odisha Team

Published : Jan 16, 2024, 1:11 PM IST

Updated : Jan 16, 2024, 2:04 PM IST

Freedom fighter Goura Mishra passes away: ବୌଦ୍ଧ ଜିଲ୍ଲାର ଶତାୟୁ ତଥା ଜିଲ୍ଲାର ଶେଷ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କ ପରଲୋକ । ଅଧିକ ପଢନ୍ତୁ

Goura Mishra passes away
ଶତାୟୁ ସ୍ବାଧିନତା ସଂଗ୍ରାମୀ ଗୌର ମିଶ୍ର

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ଗୌର ମିଶ୍ର

ବୌଦ୍ଧ: ପରଲୋକରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର । ବୌଦ୍ଧ ଜିଲ୍ଲାର ଶତାୟୁ ପୁରୁଷ ତଥା ଜିଲ୍ଲାର ଶେଷ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କj ଗତକାଲି (ସୋମବାର) ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା ।

ବୌଦ୍ଧ ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଗୌର ମୋହନ ମିଶ୍ର । ବୌଦ୍ଧର ସର୍ବ ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ କିଙ୍ଗ ଏଡବାଡ ଇଂରାଜୀ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ପରେ ଗୌର ମିଶ୍ର ରାଜତନ୍ତ୍ର ଶାସନ ବ୍ୟବସ୍ଥାର ଅବକାରୀ ବିଭାଗରେ କାର୍ଯ୍ୟ କରିଥିଲେ । କିନ୍ତୁ ରାଜତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରଜା ମାରଣ ନୀତି, ବେଠି, ମାଗଣ ଭଳି ଅନୈତିକ କାର୍ଯ୍ୟକଳାପକୁ ବିରୋଧ କରି ଚାକିରିରୁ ଅବ୍ୟାହତି ନେଇଥିଲେ । ଏହାପରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ବୌଦ୍ଧ ଗଡ଼ଜାତରେ ଆରମ୍ଭ ହୋଇଥିବା ପ୍ରଜା ମଣ୍ଡଳ ଆନ୍ଦୋଳନରେ ଗୌର ମିଶ୍ର ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ରାଜ ଦରବାର ଚକ୍ଷୁଶୀଳ ହୋଇଥିଲେ । ବ୍ରିଟିଶ ଶାସନାଧୀନ ଓଡ଼ିଶାରେ ଗୌର ମିଶ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦୁଇଥର ଭେଟିବାର ସୁଯୋଗ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ରାଜତନ୍ତ୍ର ବିରୋଧରେ ପ୍ରକାଶ ପାଉଥିବା ସ୍ବାଧୀନ ବୌଦ୍ଧ ବାର୍ତ୍ତା ସମ୍ବାଦପତ୍ରରେ କାର୍ଯ୍ୟରତ ଥିବାହେତୁ ତାଙ୍କ ଉପରେ ଏକାଧିକ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଗୌର ମିଶ୍ର ବିଭିନ୍ନ ସଂଗଠନ ସହ ଜଡିତ ରହି ଲେଖାଲେଖି କରୁଥିଲେ । ସେ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଓ ବୌଦ୍ଧ ନାଗରିକ କମିଟିର ଦୀର୍ଘ ସମୟ ଧରି ସଭାପତି ରହି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ଗତକାଲି ପବିତ୍ର ମକର ସଂକ୍ରାନ୍ତିରେ ଗୌର ମିଶ୍ରଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବୌଦ୍ଧ ଉପଜିଲ୍ଲାପାଳ, ନଗରପାଳ, ଓକିଲ, ସାମ୍ବାଦିକ ଓ ଅନେକ ବୁଦ୍ଧିଜୀବୀ ତାଙ୍କର ଅନ୍ତିମ ଦର୍ଶନ କରିବା ପରେ ଆଜି (ମଙ୍ଗଳବାର) ସକାଳେ ବୌଦ୍ଧ ରାଜଘାଟଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Jan 16, 2024, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.