ETV Bharat / state

ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ବୌଦ୍ଧ, ବନାଗ୍ନି ସାଜିଛି ମୁଖ୍ୟ କାରଣ

author img

By

Published : May 7, 2023, 2:11 PM IST

ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ବୌଦ୍ଧ । ବନାଗ୍ନି ଏବଂ ବେଆଇନ ଇଟାଭାଟି ସାଜିଛି ମୁଖ୍ୟ କାରଣ । ଅଧିକ ପଢନ୍ତୁ

heat wave in boudh
heat wave in boudh

heat wave in boudh

ବୌଦ୍ଧ: କିଛି ଦିନର କାଳବୌଶାଖି ବର୍ଷା ପରେ ବୌଦ୍ଧ ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଗୁଳୁଗୁଳି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଭାଜି ହେଉଛି ସାରା ଜିଲ୍ଲା । ଗରମ ସାଙ୍ଗକୁ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ବନାଗ୍ନି ସହିତ ଜମିରେ ଅଗ୍ନି ଓ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହୋଇ ପଡିଛି ।

ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ମୁଣ୍ଡ ଫଟା ଖରା ସାଙ୍ଗକୁ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତିତ କରିଛି । ଆଉ ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ, ଜମିରେ ଲାଗିଥିବା ନିଆଁ ଓ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ମେ' ପ୍ରଥମ ସପ୍ତାହରେ ଖରାର ପ୍ରକୋପ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଜଳ ଉତ୍ସ ସବୁ ହ୍ରାସ ପାଇବାରେ ଲାଗିଛି । ଏପରିକି ମହାନଦୀ, ତେଲନଦୀ ସମେତ ବିଭିନ୍ନ ନଦୀ ଓ ପୋଖରୀ ଶୁଖିଯିବାକୁ ବସିଲାଣି । ମଣିଷ ସହିତ ପଶୁପକ୍ଷୀ ମାନେ ମଧ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ଗଭୀର ପ୍ରଭାବିତ ହୋଇଛନ୍ତି । ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ର ଉତ୍କଟ ସମସ୍ୟା ଦେଖାଦେଇଛି । ଏପରିକି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଥଣ୍ଡା ପାନୀୟଜଳ ନାରେ କେବଳ ଅର୍ଥ ଶ୍ରାଦ୍ଧ କରାଯାଇଥିବା ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ଯୋଗୁଁ ଦିନ ଏଗାରଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି । କେବଳ ଲସି, ଲେମ୍ବୁ ପାଣି, ମୃଦୁପାନୀୟ ଦୋକାନରେ ଲୋକଙ୍କୁ ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏଭଳି ଗରମ ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ବନାଗ୍ନି ତଥା ବିଭିନ୍ନ ଜମିରେ ଲାଗିଥିବା ନିଆଁ ଯୋଗୁଁ ଚିନ୍ତା ବେଶ ବୃଦ୍ଧି ପାଇଛି । ଏହାଛଡା ଜିଲ୍ଲାର ବିଭିନ୍ନ ରାଜସ୍ୱ ମଣ୍ଡଳରେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ।


ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଅଂଶୁଘାତର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବାକୁ କାରଣରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ସହିତ ଜଙ୍ଗଲର ବନ୍ୟଜନ୍ତୁ ପାନୀୟଜଳ କୁନେଇ ଘୋର ସଙ୍କଟର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ଏକ ସମ୍ଭାବ୍ୟ ଘୂର୍ଣ୍ଣିଝଡ ତଥା ବାତ୍ୟାର ଆଶଙ୍କା ଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଏହାର କଣ ପ୍ରଭାବ ରହିବ ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.