ETV Bharat / state

କଣ୍ଟାମାଳରେ ଅପହଞ୍ଚ ସରକାରୀ ଯୋଜନା, ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ

author img

By

Published : Apr 10, 2023, 2:25 PM IST

kantamala block
kantamala block

ସମସ୍ୟା ଘେରରେ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତ । ଗମନାଗମନ, ଆବାସ, ପାନୀୟଜଳ, ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

kantamala block

ବୌଦ୍ଧ: କଣ୍ଟାମାଳ ବ୍ଲକରେ ବାଟବଣା ସରକାରୀ ଯୋଜନା । ମାଳ ମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି କଣ୍ଟାମାଳ । ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକର କେତେକ ପଞ୍ଚାୟତରେ ସରକାରୀ ଯୋଜନାର ସଫଳ ରୂପାୟନକୁ ନେଇ ହିତାଧିକାରୀ ପ୍ରଶ୍ନ କରିଛନ୍ତି । ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ସେହିପରି ଅନେକ ହିତାଧିକାରୀ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ । ସରକାରୀ ବାବୁଙ୍କ ଉଦାସୀନତା ଯୋଗୁଁ ବ୍ଲକରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟ କାରୀ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ କାମ ଠିକରେ ମିଳୁ ନଥିବା ଅଭିଯୋଗ ହୋଇଛି । ଫଳରେ କଣ୍ଟାମାଳ ବ୍ଲକର ଅନେକ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏବଂ ମନରେଗା କାମରେ ମେସିନ ବ୍ୟବହାର ଏକ ସାଧାରଣ କଥା ହୋଇଯାଇଥିବା କହିଛନ୍ତି ଅଞ୍ଚଳବାସୀ ।

ବ୍ଲକର ଘିକୁଣ୍ଡି, ଯୋଗୀନ୍ଦ୍ରପୁର, ଉମା, ଖମନମୁଣ୍ଡା, ବରଗାଁ, ଖୁଣ୍ଟିଗୋରା, ବରଗୋଛା, ଲମ୍ବସରୀ, ରେଙ୍ଗାଲୀ ଓ ଦପଲା ଭଳି କେତେକ ପଞ୍ଚାୟତରେ ପାନୀୟଜଳ ବର୍ତ୍ତମାନ ଉତ୍କଟ ସମସ୍ୟା ଭାବରେ ଛିଡା ହୋଇଛି । ବ୍ଲକର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ନଳକୂପ ଓ ଓଭରହେଡରୁ ଜଳଯୋଗାଣ ସମସ୍ୟା ରହିଥିବାରୁ ଗ୍ରାମର ମହିଳା ମାନେ ମାଇଲ ମାଇଲ ବାଟ ଚାଲି ଚୂଆରୁ ପାନୀୟଜଳ ସଂଗ୍ରହ କରୁଛନ୍ତି । ପାନୀୟଜଳ ସଙ୍କଟ ଏଡାଇବାକୁ ତେଲନଦୀର ଲୋକାପଡା ଠାରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ସେଠାରୁ କେବେ ପାନୀୟଜଳ ଯୋଗାଣ କେବେ ହେବ ସେନେଇ କୌଣସି ସୂଚନା ନାହିଁ ।

କଣ୍ଟାମାଳ ବ୍ଲକର ଅଧିକାଂଶ ଗ୍ରାମରେ ପ୍ରକୃତ ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ଅପହଞ୍ଚ । ଫଳରେ ଯୋଜନାରୁ ବଞ୍ଚିତ ହୋଇ ହଜାର ହଜାର ପରିବାର ଚାଳ ଛପର ଘରେ ଜୀବନ ବିତାଉଛନ୍ତି । ହିତାଧିକାରୀଙ୍କ ତାଲିକାରେ ମଧ୍ୟ ବ୍ୟାପକ ତ୍ରୁଟି ରହିଛି । ସେହିପରି ବ୍ଲକରେ ଗମନାଗମନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ରହିଛି । ଅଧିକାଂଶ ସମୟରେ ଆମ୍ବୁଲାନ୍ସ ସେବା ଗ୍ରାମରେ ପହଞ୍ଚି ପାରୁନାହିଁ ।

ସରକାରୀ ବାବୁଙ୍କ ଉଦାସୀନତା ଯୋଗୁଁ ବ୍ଲକରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟା ସମ୍ପର୍କରେ ହିତାଧିକାରୀଙ୍କ ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଉଛି । କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏଭଳି ଅବ୍ୟବସ୍ଥା ତଥା ସମସ୍ୟାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ସମସ୍ତ ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । କିନ୍ତୁ ବ୍ଲକରେ କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରୀ ଓ କିଛି ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ କଣ୍ଟାମାଳ ବ୍ଲକର ବିକାଶରେ ବାଧା ଉପୁଜୁଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ହିତାଧିକାରୀ ଗୁହାରି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.