ETV Bharat / state

ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଛୁଆଙ୍କୁ ମିଳୁନି ଅଣ୍ଡା ଛତୁଆ

author img

By ETV Bharat Odisha Team

Published : Jan 19, 2024, 2:42 PM IST

ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର
ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର

Anganwadi center issues: ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । କେଉଁଠି ଘର ନାହିଁ ତ କେଉଁଠି ଖାଦ୍ୟ ଯୋଗାଣରେ ଅନିୟମିତତା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ସମସ୍ୟା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର । କେଉଁଠି ଗୃହ ନାହିଁ ତ କେଉଁଠି ସୁଷମ ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଅଙ୍ଗନବାଡ଼ି ଗୃହ ନଥିବାରୁ କୁନି କୁନି ଶିଶୁଙ୍କ ଭବିଷ୍ୟତ ଖୋଲା ଆକାଶ ତଳେ ନଚେତ ଗଛତଳେ ଗଢା ଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକରେ ବ୍ୟାପକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି ।


ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ କୋମଳମତି ଶିଶୁମାନେ ଖୋଲା ଆକାଶ ତଳେ ନଚେତ ଘର ପିଣ୍ଡାରେ ବସି ଶିକ୍ଷା ଗ୍ରହଣ କରିବାକୁ ପଡୁଛି । ତେବେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମନ୍ଵିତ ମହିଳା ଓ ଶିଶୁ ବିଭାଗ ଅଧିନରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନଥିବା ଦେଖିବାକୁ ମିଳିଛି । କେବଳ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ନୁହେଁ ବରଂ ବ୍ଲକ ସଦର ମହକୁମା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଗାଁରେ ନାହିଁ ଅଙ୍ଗନବାଡି ଗୃହ, ବାରଣ୍ଡାରେ ଭବିଷ୍ୟତ ଗଢା

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁର୍ଷଣ୍ଢି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଙ୍ଗନବାଡି କେନ୍ଦ୍ରର ଭଙ୍ଗାରୁଜା ଘର ହେତୁ ଶିଶୁ ମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢିବାକୁ ପଡୁଛି । ସେହିପରି ହରଭଙ୍ଗା ବ୍ଲକ ସଦର ଚାରିଛକ ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦିନ ହେଲା ଚରମ ବିଶୃଙ୍ଖଳା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପିଲାଙ୍କ ଉପରେ ପଡୁଛି । ସେପଟେ କଣ୍ଟାମାଳ ବ୍ଲକର ସଦର ପଞ୍ଚାୟତ ଉଦେପୁର ଅଙ୍ଗନବାଡି କେନ୍ଦ୍ରରେ ଗତ ତିନି ବର୍ଷ ହେଲା ବ୍ୟାପକ ସମସ୍ୟା ତଥା ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ତଥା ଅବିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉଦେପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ନଥିବାରୁ ଛାତ୍ରଛାତ୍ରୀ ବରଣ୍ଡାରେ ବସି ପାଠ ପଢୁଛନ୍ତି । ଏପରିକି ଯେଉଁଠାରେ ହାତଧୁଆ ଓ ଶୌଚ ହୁଅନ୍ତି ତା'ର ନିକଟରେ ହିଁ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ଆଉ ଗୃହ କିମ୍ବା ବାରଣ୍ଡା ନଥିବାରୁ ଗତ ତିନି ବର୍ଷ ହେଲା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନବାଡି କେନ୍ଦ୍ରର କୁନି କୁନି ପିଲାମାନଙ୍କୁ ଠିକରେ ପାଠପଢ଼ା କିମ୍ବା ସୁଷମ ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ..ବାସନ୍ଦ କଲା ଅଙ୍ଗନବାଡି ଚାକିରି: ଦୋକାନରୁ ଆଣିପାରିବେନି ସଉଦା, କରିପାରିବେନି ଚାଷ

ଗତ କିଛି ମାସ ହେଲା ଏଠାରେ ଅଣ୍ଡା ଓ ଛତୁଆ ଯୋଗାଣରେ ମଧ୍ୟ ବ୍ୟାପକ ବିଶୃଙ୍ଖଳା ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ‘ଇଟିଭି ଭାରତ’ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏନେଇ ସୂଚନା ପାଇବା ପରେ ବୌଦ୍ଧ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଅଧିକାରୀ ଉକ୍ତ ଉଦେପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ପରେ ସମସ୍ୟାକୁ ସ୍ବୀକାର କରିବା ସହିତ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.