ETV Bharat / state

ଗାଁରେ ନାହିଁ ଅଙ୍ଗନବାଡି ଗୃହ, ବାରଣ୍ଡାରେ ଭବିଷ୍ୟତ ଗଢା

author img

By ETV Bharat Odisha Team

Published : Nov 29, 2023, 3:12 PM IST

ବୌଦ୍ଧରେ ବିପର୍ଯ୍ୟସ୍ତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ନିଜସ୍ବ ଘର ନଥିବାରୁ ଗଛ ତଳେ ପାଠ ପଢୁଛନ୍ତି ପିଲା । ଗୃହ ନିର୍ମାଣ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି ।

ଗାଁରେ ନାହିଁ ଅଙ୍ଗନବାଡି ଗୃହ
ଗାଁରେ ନାହିଁ ଅଙ୍ଗନବାଡି ଗୃହ

ଗାଁରେ ନାହିଁ ଅଙ୍ଗନବାଡି ଗୃହ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ଅବସ୍ଥାରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ଅନେକ ସ୍ଥାନରେ ଗାଁର ଥିବା ପିଣ୍ଡାରେ ନଚେତ୍‌ ଗଛ ମୂଳେ ବସି କୁନି କୁନି ପିଲାମାନେ ଖାଦ୍ୟ ଓ ଶିକ୍ଷା ଗ୍ରହଣ କରୁଛନ୍ତି । ଏଭଳି ଏକ ଅବ୍ୟବସ୍ଥା ଘେରରେ ଥିବା ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।



ଏହାମଧ୍ୟ ପଢନ୍ତୁ.. ଅଙ୍ଗନବାଡିରେ ଝୁଲୁଛି ତାଲା, ଖୋଲା ଆକାଶ ତଳେ ଚାଲିଛି ପାଠପଢା

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଶହ ଶହ ଅଙ୍ଗନବାଡି କେନ୍ଦ୍ର ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ରଗୁଡିକ ଖୋଲା ଆକାଶ ତଳେ ନଚେତ୍‌ ଗଛ ମୂଳରେ ଚାଲୁଛି । ଘର ଅଭାବରୁ ପିଲାଙ୍କ ଖାଦ୍ୟ ରୋଷେଇ ମଧ୍ୟ ଖୋଲା ଆକାଶ ତଳେ ହେଉଛି । ଅନେକ ସ୍ଥାନରେ ଅଙ୍ଗନବାଡି ଗୃହ ନଥିବାରୁ ଗାଁର ପିଣ୍ଡାକୁ ପିଣ୍ଡା ଡେଇଁ ପିଲାମାନେ ପାଠ ପଢୁଛନ୍ତି । ବର୍ତ୍ତମାନ ଏଭଳି ସମସ୍ୟା ଘେରରେ ଥିବା ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଗଛ ତଳେ ଅଙ୍ଗନବାଡି କେନ୍ଦ୍ର; ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ଏହାର ନିଜସ୍ୱ ଗୃହ ନାହିଁ । ଫଳରେ ଲକ୍ଷ୍ମୀ ପ୍ରସାଦ ଗ୍ରାମର କୁନି କୁନି ପିଲାମାନେ ଗାଁର ବିଭିନ୍ନ ସ୍ଥାନରେ ବସି ପାଠ ପଢୁଥିବା ବେଳେ ରନ୍ଧା ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିଭଳି ଶୁଣ୍ଢିପଦର ପଞ୍ଚାୟତର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ବ୍ୟାପକ ସମସ୍ୟା ଘେରରେ ରହିଛି । କେବଳ ଅଙ୍ଗନଓ୍ବାଡି କେନ୍ଦ୍ର ନୁହେଁ ପଞ୍ଚାୟତର ରାସ୍ତା ଘାଟ ଠାରୁ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସମସ୍ୟା ରହିଛି । ଏପରିକି ଶୁଣ୍ଢିପଦର ପଞ୍ଚାୟତ ଏକ ଭଙ୍ଗା ଦଦରା ଘରେ ଚାଲିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଡୁଥିବା ରାସ୍ତା ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇ ରହିଛି । ଶୁଣ୍ଢିପଦର ପଞ୍ଚାୟତର ଲକ୍ଷ୍ମୀ ପ୍ରସାଦ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ଅଧପନ୍ତରିଆ ହୋଇ ରହିଥିବା ବେଳେ ଏଭଳି ସମସ୍ୟାର ସମାଧାନ ପାଇଁ ଲକ୍ଷ୍ମୀ ପ୍ରସାଦ ଗ୍ରାମବାସୀ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.