ETV Bharat / state

ଗଛ ତଳେ ଅଙ୍ଗନବାଡି କେନ୍ଦ୍ର; ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

author img

By ETV Bharat Odisha Team

Published : Nov 23, 2023, 9:13 AM IST

Updated : Nov 23, 2023, 3:09 PM IST

ଗଛ ତଳେ ଅଙ୍ଗନବାଡି କେନ୍ଦ୍ର
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ

ବୌଦ୍ଧର ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ । କେଉଁଠି ଅଙ୍ଗନବାଡ଼ି ଗୃହ ନଥିବାରୁ ଗଛ ତଳେ ପିଲା ପାଠ ପଢୁଛନ୍ତି ତ ଆଉ କେଉଁଠି ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ହୋଇରହିଛି ସ୍ବାସ୍ଥ୍ୟସେବା । ଅଧିକ ପଢ଼ନ୍ତୁ

ଗଛ ତଳେ ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ଗ୍ରାମାଞ୍ଚଳରେ କୁସଂସ୍କାର ଓ ଅନ୍ଧବିଶ୍ବାସ ଦୂରୀକରଣ, ପ୍ରାଥମିକ ସ୍ବାସ୍ଥ୍ୟସେବା, ଗର୍ଭବତୀଙ୍କ ସେବା, କୋମଳମତି ଶିଶୁମାନଙ୍କ ପ୍ରାଥମିକ ଶିକ୍ଷାଓ ସୁଷମ ଖାଦ୍ୟ ପ୍ରଦାନ କ୍ଷେତ୍ରରେ ଅଙ୍ଗନବାଡି କର୍ମୀ ଓ ଆଶାଦିଦିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଉଭୟ ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ବଡ ଭୂମିକା ନିର୍ବାହ କରିଥାନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଦୁଇ ହାତ ସାଜି ସେବା ଯୋଗାଉଥିବା ଆଶାଦିଦି ଓ ଅଙ୍ଗନବାଡ଼ି ଦିଦି ବାସ୍ତବରେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା'ର ବିକଳ ଚିତ୍ର ସେମାନେ ନିଜେ ବୟାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠି ସବୁଦିନିଆ ରାସ୍ତା ଅଭାବରୁ ଗର୍ଭବତୀ ଓ ଶିଶୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ବିଶେଷକରି ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ନିକଟରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଥାଏ । କେବଳ ଆଶା ଦିଦିମାନେ ସେହି ଅଞ୍ଚଳରେ ଜନସଚେତନତା ସୃଷ୍ଟି କରି ଏହି ବେଆଇନ କାର୍ଯ୍ୟ ଛାଡି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେବାକୁ ପ୍ରବର୍ତ୍ତାଉଛନ୍ତି । କଣ୍ଟାମାଳ ବ୍ଲକର ଗୁନ୍ଦୁଳିଆ, ଶଗଡ଼ା, ଲମ୍ବସରୀ, ବରଗାଁ, ନାରାୟଣ ପ୍ରସାଦ, ରୁଣ୍ଡିମହୁଲ, ଉମା ଭଳି ବିଭିନ୍ନ ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗର ବିଚ୍ଛିନ୍ନତା ହେତୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିଶେଷ ଭାବରେ ଗର୍ଭବତୀ ଓ ଶିଶୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଆଶାଦିଦିଙ୍କ ପାଇଁ ଚିନ୍ତାର କାରଣ ହୋଇଆସିଛି ।

ଏହା ମଧ୍ୟ ପଢନ୍ତୁ: ହରଭଙ୍ଗା ବ୍ଲକରେ ଅପହଞ୍ଚ ସରକାରୀ ଯୋଜନା, ବଢୁଛି ଜନ ଅସନ୍ତୋଷ

ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ କୋମଳମତି ଶିଶୁମାନେ ଖୋଲା ଆକାଶ ତଳେ ନଚେତ ଗ୍ରାମର କୌଣସି ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଯଦି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର କଥା କହିବା, ଏଠାରେ ଅନେକ ସ୍ଥାନରେ ଘର ନାହିଁ ନଚେତ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଉଦାହରଣ ସ୍ୱରୂପ, ମାଓ ଅଧ୍ୟୁଷିତ ପଞ୍ଚାୟତ ଉମା ସଦର ଠାରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଉମାର ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଛୁଆମାନେ ଗଛ ତଳେ ବସି ପାଠ ପଢିବା ସହ ସେହିଠାରେ ହିଁ ଆହାର ଗ୍ରହଣ କରିଥାନ୍ତି । ଗୋଟିଏ ଭଙ୍ଗା କୁଡିଆ ଭିତରେ ରୋଷେଇ କରି ଶିଶୁମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ବର୍ଷା ଦିନେ ପିଲାମାନଙ୍କ ଘରକୁ ରାସନ ପଠାଯାଉଛି । ଘରଟିଏ ପାଇଁ ଅଙ୍ଗନବାଡି କର୍ମୀ ପଞ୍ଚାୟତ ଠାରୁ ନେଇ ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।

ଦୀର୍ଘ ଦିନ ହେଲା ଉମା ପଞ୍ଚାୟତର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହେଉଛି ବୋଲି କେବଳ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ କିଛି ଲାଭ ହେଉନି । ଏଭଳି ଘଟଣା କଣ୍ଟାମାଳ ଅଞ୍ଚଳରେ କେବଳ ଏକ ଉଦାହରଣ । ଏଭଳି ଅନେକ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Nov 23, 2023, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.