ETV Bharat / state

ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି, ପଦ୍ମପୁରବାସୀଙ୍କ ଆନ୍ଦୋଳନ

author img

By

Published : Nov 15, 2022, 11:55 AM IST

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ନମିଳିବା ଯାଏ ଧାରଣା ସ୍ଥଳରୁ ଆନ୍ଦୋଳନକାରୀ ହଟିବେ ନାହିଁ ବୋଲି ଚେତାବନୀ । ଅଧିକ ପଢ଼ନ୍ତୁ

public protest in padampur demanding special district
ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି, ପଦ୍ମପୁରବାସୀଙ୍କ ଆନ୍ଦୋଳନ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ରାଜନୀତି । ଗୋଟିଏ ପଟେ ଚାଷୀଙ୍କ ଫସଲ ବୀମାକୁ ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଅନ୍ୟପଟେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଜୋର ଧରିବା ଆରମ୍ଭ ହୋଇଛି । ଏହି ଜନ ଆନ୍ଦୋଳନକୁ ପଦ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବ୍ଲକରେ ସମର୍ଥନ ମିଳିବା ସହ ଗାଁ ଗାଁରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ । ଆଗକୁ ନିର୍ବାଚନ ଥିବାବେଳେ ଏହି ଆନ୍ଦୋଳନ ଶାସକ ଦଳର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା କୁହାଯାଉଛି ।

ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜିକୁ 13 ଦିନ ହେଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଦ୍ମପୁରବାସୀ ଆନ୍ଦୋଳନ ଜାରି ରଖିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ସେମାନଙ୍କର ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ ପାଇଁ ଭୁବନେଶ୍ବର ଯିବାକୁ ଅନୁରୋଧ କରିଥିଲେ । ତେବେ ପୁଣି ସେମାନଙ୍କ ସହିତ ଆଲୋଚନା ପରେ କିଛି ଆନ୍ଦୋଳନକାରୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ବିଷୟରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ମାତ୍ର ଜିଲ୍ଲା ମାନ୍ୟତା ନ ମିଳିବା ଯାଏ ଧାରଣା ସ୍ଥଳରୁ ଆନ୍ଦୋଳନକାରୀ ହଟିବେ ନାହିଁ ବୋଲି ଜଣାଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ପଦ୍ମପୁର ଏକ ବଡ଼ ସବଡିଭିଜନ । କିନ୍ତୁ ଜୀବନ ଜୀବିକା ନେଇ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା କରାଗଲେ ଏହା ବିକାଶ ଧାରାରେ ଯୋଡ଼ି ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ: Padampur Bypoll: କାହିଁକି ନାମାଙ୍କନ ଭରିଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ

ସୂଚନା ଥାଉକି, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ପଦ୍ମପୁରବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବାବେଳେ, ସ୍ଥାନୀୟ ଲୋକେ ଦୀର୍ଘ ବର୍ଷରୁ ଏହାକୁ ବିରୋଧ କରି ଆସୁଛନ୍ତି । ବିରୋଧ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବରଗଡ଼ ଜିଲ୍ଲାରୁ ପଦ୍ମପୁରକୁ ଅଲଗା କରାଯାଇ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବସିନ୍ଦା ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ 6 ଗୋଟି ବ୍ଲକ ରହିଥିବାବେଳେ ପ୍ରାୟତଃ ସମସ୍ତ ବ୍ଲକର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ 120 କିଲୋମିଟର ଦୂରରୁ ଯିବାକୁ ପଡ଼ିଥାଏ । ଅନ୍ୟପଟେ ଏହି ଅଞ୍ଚଳକୁ ପ୍ରଶାସନିକ ଅବହେଳା କରାଯାଉଥିବା ଏବଂ ବିକାଶ କାର୍ଯ୍ୟ ଆଦୌ ହେଉନଥିବା ନେଇ ଅଞ୍ଚଳବାସୀ ଆନ୍ଦୋଳନ କରି ପଦ୍ମପୁର ଜିଲ୍ଲା କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.