ETV Bharat / state

ନାମାଙ୍କନ ଦାଖଲ ପାଇଁ ଛକାପଞ୍ଝା: ଆଜି ପ୍ରାର୍ଥୀପତ୍ର ଦାଖଲ କରିବନି ବିଜେଡି !

author img

By

Published : Nov 16, 2022, 12:07 PM IST

Updated : Nov 16, 2022, 12:23 PM IST

ଆଜି ନାମାଙ୍କନ ଭରିବେନି ବିଜେଡି ପ୍ରାର୍ଥୀ:  ପ୍ରଥମେ କିଏ ତାହା ଉପରେ ନଜର
ଆଜି ନାମାଙ୍କନ ଭରିବେନି ବିଜେଡି ପ୍ରାର୍ଥୀ: ପ୍ରଥମେ କିଏ ତାହା ଉପରେ ନଜର

ଆସନ୍ତାକାଲି ବରଗଡ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ । ହେଲେ ଅଦ୍ୟାବିଧି କୌଣସି ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରି ନାହାନ୍ତି । ଫସଲ ବୀମା ପାଇଁ ଚାଷୀ ଆନ୍ଦୋଳନ ଚାଲିଥିବାରୁ ବିଜେଡି ମଧ୍ୟ ଆଜି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଥିବା ସୂଚନା ମିଳିଛି । ହାତରେ ଗୋଟିଏ ଦିନ ଥିବାବେଳେ ପ୍ରଥମେ କିଏ ନାମାଙ୍କନ ଭରିବେ ତାହା ଉପରେ ଏବେ ସଭିଁଙ୍କ ନଜର ।

ବରଗଡ: ପଦ୍ମପୁର ଉପନିର୍ବାଚନ(Padampur Bypoll) ପାଇଁ ସରଗରମ ରହିଛି ରାଜନୀତି । ଡିସେମ୍ବର ୫ରେ ପଡିବ ଭୋଟ । ନଭେମ୍ବର ୧୭ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ହେଲେ ଆଜି ୧୬ ତାରିଖ ହେଲାଣି ମାତ୍ର କୌଣସି ଦଳର ପ୍ରାର୍ଥୀ ଏ ପର୍ଯ୍ୟନ୍ତ ନାମାଙ୍କନ ଭରିନାହାନ୍ତି । ନାମାଙ୍କନକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବିଜେଡି ପ୍ରାର୍ଥିନୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା । ହେଲେ ହଠାତ୍ ବିଜେଡି ନିଜର ପ୍ଲାନ୍ ବଦଳାଇ ଦେଇଛି । ଚାଷୀ ଫସଲ ବୀମା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଥିବା କାରଣରୁ ବିଜେଡି ଆଜି ନାମାଙ୍କନ ଦାଖଲ କରିବ ନାହିଁ ବୋଲି ସ୍ଥିର କରିଥିବା ଜଣାପଡିଛି ।

ନାମାଙ୍କନ ଦାଖଲ ପାଇଁ ଛକାପଞ୍ଝା: ଆଜି ପ୍ରାର୍ଥୀପତ୍ର ଦାଖଲ କରିବନି ବିଜେଡି !

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୀର୍ଘ ଦିନ ହେଲାଣି ଚାଷୀ ଧାରଣା ଦେଉଛନ୍ତି । ଦିନ କେଇଟାରେ ଉପନିର୍ବାଚନ ଥିବାରୁ ଏହି ଚାଷୀ ଆନ୍ଦୋଳନକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା ପରେ ୧୪ ତାରିଖରେ ବିଶାଳ ରାଲି ସହ ସେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ନାମାଙ୍କନ ଦାଖଲ ନକରି ଫେରି ଆସିଥିଲେ । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧକ୍ରମେ ସେମାନଙ୍କୁ ସମ୍ମାନ ଜଣାଇ ନାମାଙ୍କନ କାର୍ଯ୍ୟକ୍ରମ ବାତିଲ କରିଥିବା ପୁରୋହିତ କହିଥିଲେ । ବିଜେପି ଦଳର ଏପରି ରଣନୀତି ଅନ୍ୟ ଦଳଗୁଡିକୁ ବିବ୍ରତ କରିଥିଲା । ଏହାକୁ ଶାସକ ଦଳ ନେତା ନାଟକବାଜି ବୋଲି ମନ୍ତବ୍ୟ ଦେଇଥିଲେ । ହେଲେ ଏବେ ବିଜେଡି ମଧ୍ୟ ସମାନ ରଣନୀତି ଆପଣାଉଥିବା ଚର୍ଚ୍ଚା ହେଉଛି ।

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମୁଦାୟ 11 ଗୋଟି ନାମାଙ୍କନ ପତ୍ର ବିକ୍ରି କରାଯାଇଛି । ହେଲେ ଅଦ୍ୟାବିଧି ଗୋଟିଏ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରାଯାଇ ନାହିଁ । ବିଜେଡି ଦଳ ପକ୍ଷରୁ ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ ବିଜେପି ଦଳର ରଣନୀତି ପ୍ରଭାବରେ ବିଜେଡି ମଧ୍ୟ ନିଜ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ମିଳିଛି । ଆଜି ବିଜେଡି ପ୍ରାର୍ଥିନୀ ନାମାଙ୍କନ ଭରିବେ ନାହିଁ ବରଂ ଚାଷୀଙ୍କ ଫସଲ ବୀମା ଦାବିକୁ ସମର୍ଥନ ଜଣାଇବାକୁ ଦଳ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ କରିଛି ।

ଏହାମଧ୍ୟ ପଢନ୍ତୁ: Padampur Bypoll: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଚାଷୀକୂଳର ଆକ୍ରୋଶର ଶିକାର ନହେବା ପାଇଁ କିଏ ପ୍ରଥମ ନାମାଙ୍କନ ଭରିବେ ସେନେଇ ସମସ୍ତ ଦଳ ଅପେକ୍ଷାରେ ଅଛନ୍ତି । କାରଣ ଚାଷୀମାନେ ସବୁ ଦଳକୁ ନାମାଙ୍କନ ପତ୍ର ଦାଖଲ ନକରି ଉପନିର୍ବାଚନକୁ ବାତିଲ କରି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ମୁଣ୍ଡିଆ ମାରିଥିଲେ । ଯାହାର ପରିଣାମସ୍ୱରୂପ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ହୋଇଥିଲେ ସୁଦ୍ଧା କୌଣସି ରାଜନୈତିକ ଦଳ ଏ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଯାହା ଖବର ରହିଛି, କୌଣସି ସ୍ଵାଧୀନ ପ୍ରାର୍ଥୀ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଯାଇ ଅନ୍ୟ ରାଜନୈତିକ ଦଳଗୁଡିକ ଶେଷଦିନରେ ନାମାଙ୍କନ ପତ୍ର ଦାଖଲ କରିବେ ।

ଇଟିଭି ଭାରତ, ବରଗଡ

Last Updated :Nov 16, 2022, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.