ETV Bharat / state

ନଗର ବୁଲିଲେ ମହାରାଜା କଂସ, ଅପରିଷ୍କାର ବସଷ୍ଟାଣ୍ଡ ନେଇ 20 ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ କଲେ ଦଣ୍ଡିତ

author img

By ETV Bharat Odisha Team

Published : Jan 18, 2024, 6:21 PM IST

Maharaja Kansa
Maharaja Kansa

Maharaja Kansa fined Govt Officials: ନଗର ପରିକ୍ରମାରେ ମହାରାଜା କଂସ । ମଥୁରା ନଗରୀର ବସଷ୍ଟାଣ୍ଡ ପରିଦର୍ଶନ କରି ଅପରିଷ୍କାର ଯୋଗୁଁ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀଙ୍କ ଉପରେ ଲଗାଇଲେ 20 ଲକ୍ଷ ସ୍ବର୍ଣ୍ଣ ମୁଦ୍ରା ଫାଇନ । ଅଧିକ ପଢନ୍ତୁ

ନଗର ବୁଲିଲେ ମହାରାଜା କଂସ

ବରଗଡ଼: ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି (ଗୁରୁବାର) ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ଓଟ, ହାତୀରେ ବସି ନିଜ ପାତ୍ର ମନ୍ତ୍ରୀଙ୍କ ସହ ନଗର ପରିକ୍ରମାରେ ବାହାରିଛନ୍ତି । ଏହି ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ପହଞ୍ଚି ସେଠାକାର କର୍ମଚାରୀଙ୍କୁ ୨୦ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଛନ୍ତି । ଶୌଚାଳୟ ଖରାପ ଅବସ୍ଥାରେ ଥିବା ସହ ସରକାରୀ ବସଷ୍ଟାଣ୍ଡର ଆଖ ପାଖରେ ଆବର୍ଜନାକୁ ନେଇ ଏହି ଦଣ୍ଡ ଦିଆଯାଇଛି ।

ନଗର ବୁଲିବା ସମୟରେ ମହାପ୍ରତାପୀ କଂସ ମହାରାଜା ହଠାତ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟ ପହଞ୍ଚିଥିଲେ । ଏଠାରେ ଶୌଚାଳୟ ଅପରିଷ୍କାର ଥିବା ଦେଖିଥିଲେ । ଏହାସହ ସରକାରୀ ବସ୍ ଷ୍ଟାଣ୍ଡର ଆଖ ପାଖରେ ଆବର୍ଜନା ମଧ୍ୟ ଜମି ରହିଥିଲା । ଏନେଇ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପରେ ବର୍ଷିଥିଲେ ମହାରାଜା କଂସ । ମହାରାଜାଙ୍କ ଦରବାରରେ ଅଭିଯୋଗ ହୋଇଥିଲା ଯେ ମଥୁରାର ସରକାରୀ ବସଷ୍ଟାଣ୍ଡ ଦୀର୍ଘ ଦିନରୁ ଅପରିଷ୍କାର ହୋଇ ପଡିରହିଛି ଏବଂ ସେଠାକାର ଶୌଚଳୟରେ ତାଲା ପକାଇ ରଖାଯାଇଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ଏହା ବି ପଢନ୍ତୁ- Dhanu Yatra: ନଗର ପରିକ୍ରମାରେ କଂସ ମହାରାଜା, ଥାନାରେ ଅପରାଧୀଙ୍କୁ କଲେ ଦଣ୍ଡିତ

ମଥୁରା ନଗରୀର ବସଷ୍ଟାଣ୍ଡକୁ ସଫାସୁତୁରା ରଖାଯିବାକୁ ମହାରାଜା କଂସ ରାଜକୋଷରୁ ବହୁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ତାହାର ସଦୁପଯୋଗ ହେଉନାହିଁ ବୋଲି ରାଜ ଦରବାରରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଅନୁଯାୟୀ ମହାରାଜ କଂସ ନଗର ପରିକ୍ରମା କରୁଥିବା ସମୟରେ ହଠାତ ବସଷ୍ଟାଣ୍ଡକୁ ପରିଦର୍ଶନ ପାଇଁ ପହଞ୍ଚିଯାଇଥିଲେ ଏବଂ ଦେଖିବା ବେଳକୁ ସତରେ ଅପରିଷ୍କାର ହୋଇ ପଡିଛି ମଥୁରା ନଗରୀର ବସଷ୍ଟାଣ୍ଡ ଏବଂ ଶୌଚାଳୟ ।

ଏହା ବି ପଢନ୍ତୁ- ନଗର ବୁଲିଲେ ମହାରାଜା କଂସ, ଟ୍ରାଫିକ ନିୟମ ଖିଲାପକାରୀଙ୍କଠୁ ଆଦାୟ କଲେ ଫାଇନ

ଏହାପରେ ସଙ୍ଗେ ସଙ୍ଗେ ମହାରାଜା କଂସ ହାତୀ ପିଠିରୁ ଓହ୍ଲାଇ ପଡି କାର୍ଯ୍ୟାଳୟ ଭିତରକୁ ଯାଇ ସେଠାକାର କର୍ମଚାରୀଙ୍କୁ ଡକାଇ ଚେତାବନୀ ଦେଇଥିଲେ । ଏହା ସହିତ 20 ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ଦଣ୍ଡିତ ମଧ୍ୟ କରିଥିଲେ । ମଦ ପିଇ ଗାଡ଼ି ନ ଚଳାଇବାକୁ ବସ ଗାଡ଼ି ଚାଳକମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସୂଚନା ଥାଉ କି ବରଗଡ଼ ଧନୁଯାତ୍ରା ସମୟରେ ମହାରାଜା କଂସ ଏଭଳି ନଗର ପରିକ୍ରମାରେ ବୁଲି ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ବୁଝିବା ସହ ବିଭିନ୍ନ କାର୍ଯ୍ୟର ତଦାରଖ କରନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.