ETV Bharat / state

ପାଠପଢାରେ ଲାଗିଲା ଡୋରି, ଶଯ୍ୟାଶାୟୀ ବାପାଙ୍କ ସେବାରେ ୧୨ବର୍ଷର କୁନିପୁଅ

author img

By ETV Bharat Odisha Team

Published : Oct 17, 2023, 8:43 PM IST

12 years boy Swagat Biswal
12 years boy Swagat Biswal

ବାପାଙ୍କ ସେବା ପାଇଁ ପାଠପଢାରେ ଡୋରି ବାନ୍ଧିଲା ୧୨ ବର୍ଷର କୁନିପୁଅ । ଅହରହ ବାପାଙ୍କ ପାଖେ ପାଖେ ଜଗି ବସିଛି । ଏପରିକି ବାପାଙ୍କ ଚିକିତ୍ସା ଲାଗି ବାର ଲୋକଙ୍କ ଆଗରେ ହାତ ପତାଇ ଅର୍ଥ ସଂଗ୍ରହ କରୁଛି । ଗୋଟିଏ ପଟେ ଯୁବପିଢି ବୃଦ୍ଧ ପିତାମାତାଙ୍କୁ ପର କରୁଥିବା ବେଳେ ଏପଟେ ପ୍ରକୃତ ପୁଅର କର୍ତ୍ତବ୍ୟ ବୁଝିଛି ବରଗଡ ନାଗେନପାଲି ଗ୍ରାମର ଏହି କୁନିପୁଅ ସ୍ବାଗତ ବିଶ୍ବାଳ । ଦେଖନ୍ତୁ ଏହି ରିପୋର୍ଟ

ପାଠପଢାରେ ଲାଗିଲା ଡୋରି, ଶଯ୍ୟାଶାୟୀ ବାପାଙ୍କ ସେବାରେ ୧୨ବର୍ଷର କୁନିପୁଅ

ବରଗଡ଼: ଆଜିର ସ୍ଵାର୍ଥପର ଦୁନିଆରେ ନିଜ ଜନ୍ମ କଲା ପିତାମାତାଙ୍କୁ ବୋଝ ମନେ କରୁଛନ୍ତି ଯୁବପିଢି । ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଏକୁଟିଆ ହୋଇ ଦିନ କାଟୁଛନ୍ତି ବୃଦ୍ଧ ପିତାମାତା । ହେଲେ ବରଗଡ ବ୍ଲକ ନାଗେନପାଳି ଗ୍ରାମର ୧୨ ବର୍ଷର କୁନି ପୁଅ ଆଜିର ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସାଜିଛି । ନିଜ ଶଯ୍ୟାଶାୟୀ ରୋଗିଣା ବାପାଙ୍କ ସେବା ପାଇଁ ନିଜ ପାଠପଢା ଛାଡିଦେଇ ଦିନରାତି ବାପାଙ୍କ ଯତ୍ନ ନେଉଛି । ଏପରିକି ଘରେ ଖାଇବାକୁ କିଛି ନଥିବା ବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି କୁନିପୁଅ ଲୋକଙ୍କ ପାଖରେ ହାତପାତି ବାପାଙ୍କ ପାଇଁ ଔଷଧ ଓ ଖାଦ୍ୟ ଯୋଗାଡ କରୁଛି । ଦୀର୍ଘ ୪ ମାସ ହେଲା ପ୍ରତିଦିନ କୁନି ପିଲାଟି ଏପରି ସଂଘର୍ଷମୟ ଜୀବନଯାପନ କରିଆସୁଛି । ବରଗଡ଼ ଜିଲ୍ଲା ନାଗେନପାଲି ଗ୍ରାମରେ ଦେଖିବାକୁ ମିଳିଛି ଏପରି ହୃଦୟବିଦାରକ ଘଟଣା ।

ନାଗେନପାଲି ଗ୍ରାମର ଉପରପଡାରେ ରହନ୍ତି ୪୭ ବର୍ଷ ବୟସର ବିକାଶ ବିଶ୍ଵାଳ । ପରିବାର କହିଲେ କେବଳ ବିକାଶ ଓ ତାଙ୍କ ଏକ ମାତ୍ର ୧୨ ବର୍ଷର ପୁଅ ସ୍ଵାଗତ ବିଶ୍ଵାଳ । ଅତି ଦୟନୀୟ ଅବସ୍ଥାରେ ଏକ ଛୋଟିଆ ଘରେ ରହୁଛନ୍ତି ଦୁଇ ବାପପୁଅ । ଘରେ ନାଁ ଅଛି ବିଦ୍ୟୁତ ନାଁ ଖାଇବାକୁ ମୁଠେ ଭାତ । ଏପରିକି ଘରେ ନାହିଁ ଗୋଟେ ମଧ୍ୟ ବାସନ କୁସନ । ଭାଗ୍ୟର ବିଡମ୍ବନା ଯେ ଚିକିତ୍ସା ପାଇଁ ଘରର ସର୍ବସ୍ଵ ବିକ୍ରି କରିଦେଇ ମଧ୍ୟ ଅବସ୍ଥା ସୁଧୁରି ନାହିଁ । ଏବେ ମଧ୍ୟ ଖାଦ୍ୟ ଟିକେ ପାଇଁ ଏବଂ ଚିକିତ୍ସା ପାଇଁ ସଂଘର୍ଷ କରୁଛି ଏହି ପରିବାର । ସମୟ ଥିଲା ବିକାଶ, ତାଙ୍କ ସ୍ତ୍ରୀ ଓ ଏକମାତ୍ର ପୁଅ ବେଶ ଖୁସିରେ ଥିଲେ । ବିକାଶ ଗରିବ ହେଲେ ମଧ୍ୟ ଏକ ଢାବାରେ ରୋଷେୟା କାମ କରି ପରିବାର ପୋଷଣ କରିଆସୁଥିଲେ ।

ଏହା ବି ପଢନ୍ତୁ- ବୁଢା ବୟସରେ ରାକ୍ଷୀର ମୂଲ୍ୟ ସୁଝୁଛି ଭାଇ; ଭିନ୍ନକ୍ଷମ ଭଉଣୀ ସେବାରେ ବିତୁଛି ଦିନ, ଭତ୍ତା ଟଙ୍କାରେ ପୁରୁଛି ପେଟ

ତେବେ ୨୦୧୫ ମସିହାରେ ବିକାଶଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଲେ । ଘରେ ଯାହା କିଛି ଥିଲା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସବୁ କିଛି ସାରିଦେଲେ, କିନ୍ତୁ ନିଜ ସ୍ତ୍ରୀଙ୍କୁ ବଞ୍ଚାଇ ପାରିନଥିଲେ । ସ୍ତ୍ରୀଙ୍କ ଯିବା ପରେ ଏକମାତ୍ର କୁନି ପୁଅ ସ୍ଵାଗତ ବିଶ୍ଵାଳକୁ ପାଠ ପଢାଇବାକୁ ମଧ୍ୟ ଅକ୍ଷମ ହୋଇପଡିଥିଲେ ବାପା ବିକାଶ । ତେବେ ପୁଅର ଭବିଷ୍ୟତ ପାଇଁ ପୁଅକୁ ମାମୁଁ ଘରକୁ ପଠେଇ ଦେଇଥିଲେ ଓ ସେଠାରେ ପୁଅ ସ୍ଵାଗତ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଆସୁଥିଲେ । ମାତ୍ର ବାପା ବିକାଶଙ୍କ ମଧୁମେହ ରୋଗ କାରଣରୁ ଦୁଇ ଗୋଡରେ ଘାଆ ହୋଇ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ଦୁଇ ଗୋଡର ପାଦ ସଢି ଯାଇଥିବାବେଳେ ବିକାଶ ନିଜ ଖଟରୁ ଓହ୍ଲାଇ ପାରୁନାହାନ୍ତି । ଡାକ୍ତର ଉଭୟ ଗୋଡ଼କୁ କାଟିବାକୁ ପଡିବ ବୋଲି ପରାମର୍ଶ ଦେଇଥିବା ବେଳେ ଏପରି ପରିସ୍ଥିତିରେ ବିକାଶଙ୍କର ସାହା ଭରସା ଆଉ କେହି ନାହାନ୍ତି ।

ବିକାଶଙ୍କର ଅବସ୍ଥା ଅତି ସାଂଘାତିକ ହେବାରୁ ଶେଷରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ପୁଅ ସ୍ଵାଗତ ପାଠପଢା ଛାଡି ମାମୁଁ ଘରୁ ଫେରି ଆସିଲେ । କ୍ୟାନ୍ସର ରୋଗରେ ନିଜ ମାଆକୁ ହରାଇଥିବା ସ୍ଵାଗତ ବର୍ତ୍ତମାନ ବାପାଙ୍କୁ ହରାଇବାକୁ ଚାହୁଁ ନାହାନ୍ତି ଏବଂ ବାପାଙ୍କର ଖୁବ ଶ୍ରଦ୍ଧାରେ ଦିନରାତି ଯତ୍ନ ନେଉଛନ୍ତି । ସକାଳୁ ବାପାଙ୍କ ନିତ୍ୟକର୍ମଠାରୁ ଆରମ୍ଭ କରି ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ବାପାଙ୍କ ସମସ୍ତ ସେବା ପ୍ରତିଦିନ ଶ୍ରଦ୍ଧାର ସହିତ କରିଥାନ୍ତି ପୁଅ ସ୍ଵାଗତ । ଘରେ ୫ ଟଙ୍କା ମଧ୍ୟ ନଥିବା ସତ୍ତ୍ବେ ବାପାଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଯୋଗାଡ କରିବାକୁ ଗାଁ ଲୋକଙ୍କଠାରୁ ପ୍ରତିଦିନ ହାତ ପତାଇଥାନ୍ତି । ପୁଅ ସ୍ଵାଗତର ପାଠ ପଢିବାର ଖୁବ ଆଗ୍ରହ ରହିଥିବା ବେଳେ ସେ ବାପା ସୁସ୍ଥ ହେଲା ପରେ ପୁଣି ପାଠ ପଢିବେ ବୋଲି ଆଶା ରଖିଛନ୍ତି । ସପ୍ତମ ଶ୍ରେଣୀର କୁନି ସ୍ଵାଗତ ବିଶ୍ଵାଳ ନିଜ ଶଯ୍ୟାଶାୟୀ ବାପାଙ୍କ ପ୍ରତି ଯେଉଁ ଶ୍ରଦ୍ଧାରେ ସେବା ଓ ଯତ୍ନ ନେଉଛନ୍ତି ତାହା ବର୍ତ୍ତମାନ ଯୁଗର ଯୁବପିଢିଙ୍କ ପାଇଁ ନିଆରା ଉଦାହରଣ ସାଜିଛି ।

ଏହା ବି ପଢନ୍ତୁ-ଅଟକିନି ଜୀବନ ଗାଡି; ଗୋଟିଏ ଗୋଡରେ ଆଟୋ ଚଲାଇ ପୋଷୁଛନ୍ତି ପରିବାର

ଏନେଇ କୁନିପୁଅ ସ୍ବାଗତ କହିଛନ୍ତି, "ମୁଁ ମୋ ବାପାଙ୍କୁ ହରାଇବାକୁ ଚାହୁଁନାହିଁ । ତାଙ୍କ ଚିକିତ୍ସା ଲାଗି ମୋ ଦ୍ବାରା ଯାହା କିଛି ସମ୍ଭବ କରୁଛି । ମାଗି ଯାଚି ବାପାଙ୍କ ଔଷଧ ଲାଗି ପଇସା ଯୋଗାଡ଼ କରୁଛି । ମୋର ପାଠପଢା ଲାଗି ଇଚ୍ଛା ଥିଲେ ସୁଦ୍ଧା ପ୍ରଥମେ ମୋ ବାପାଙ୍କ ଦେହ ଭଲ ହେବା ପରେ ମୁଁ ପୁଣି ପାଠପଢା ଆରମ୍ଭ କରିବି ।"


ତେବେ ଏହି ଦୁଇ ଗରିବ ବାପ ପୁଅର ଏପରି ଦୁର୍ଦ୍ଦଶା ବିଷୟରେ ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଖବର ପାଇବା ପରେ ନାଗେନପାଲି ସ୍ଥିତ ତାଙ୍କ ଘରକୁ ସଂକଳ୍ପ ପରିବାର ପହଞ୍ଚିଥିଲା ଏବଂ ବିକାଶ ବିଶ୍ଵାଳଙ୍କର ଗୋଡର ଅବସ୍ଥା ଦେଖିବାପରେ ସଂକଳ୍ପ ପରିବାର ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ବିକାଶଙ୍କୁ ନେଇ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ସଂକଳ୍ପ ପରିବାର ଶଯ୍ୟାଶାୟୀ ବିକାଶଙ୍କର ଚିକିତ୍ସାରେ ସଂପୂର୍ଣ୍ଣ ଭାବେ ସହାୟତା କରିବାକୁ ଆଗେଇ ଆସିଥିବା ବେଳେ କୁନି ପୁଅ ସ୍ଵାଗତର ପାଠପଢାର ଦାୟିତ୍ଵ ମଧ୍ୟ ବହନ କରିଛି । ଅନ୍ୟପଟେ ନାଗେନପାଳି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ସହିତ ସ୍ଵତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଉ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.