ଅଟକିନି ଜୀବନ ଗାଡି; ଗୋଟିଏ ଗୋଡରେ ଆଟୋ ଚଲାଇ ପୋଷୁଛନ୍ତି ପରିବାର

author img

By

Published : May 25, 2023, 9:03 PM IST

ଅନ୍ୟମାନଙ୍କ ପାଇଁ  ଉଦାହରଣ ପାଲଟିଛନ୍ତି ପ୍ରଫୁଲ୍ଲ ମହାଭୋଇ

ପ୍ରତିକୂଳ ପରିସ୍ଥିତିରେ କାହାରି ଦାନ କି ଦୟା ବିନା କିଭଳି ଜୀବନକୁ ଜିଣି ହେବ ତାର ସରଳ ସୂତ୍ର ପାଇଛନ୍ତି ପ୍ରଫୁଲ୍ଲ ମହାଭୋଇ । ଗୋଟିଏ ଗୋଡ଼ ନଥିବା ସତ୍ତ୍ୱେ ସେ କେବେ ଥକି ଯାଇ ନାହାନ୍ତି । ଅଟକିନି ତାଙ୍କ ଜୀବନ ଗାଡି । ଅଧିକ ପଢ଼ନ୍ତୁ

ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରଫୁଲ୍ଲ ମହାଭୋଇ

ଖୋର୍ଦ୍ଧା: ସମାଜ ଆଖିରେ ସେ ଜଣେ ଦିବ୍ୟାଙ୍ଗ । ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଜଣେ ଭଲ ଡ୍ରାଇଭର ଭାବେ ସମ୍ବଲପୁରରେ ଦୀର୍ଘ ୩୦ ବର୍ଷ ଧରି ପରିଚିତି ଲାଭ କରିଥିବା ବେଳେ ହଠାତ୍ ସବୁ ବଦଳି ଗଲା । ଫାଇଲେରିଆ ଗୋଡରେ ପ୍ରଥମେ ଗୋଟିଏ ଘା ହେଲା ତାପରେ ବାରମ୍ବାର ଅସ୍ତ୍ରପଚାର କରିଥିଲେ କିନ୍ତୁ ଘା ଭଲ ହୋଇନଥିଲା ପରିଶେଷରେ ଘା ପାଇଁ ଗୋଡକୁ କାଟିବାକୁ ପଡିଥିଲା । ଦୀର୍ଘ ତିନି ବର୍ଷଧରି ଗୋଟିଏ ଗୋଡ଼ରେ ସଂଘର୍ଷ ଜାରି ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ ଗ୍ରାମର ପ୍ରଫୁଲ୍ଲ ମହାଭୋଇ ।



ଜୀବନ ଯୁଦ୍ଧର ଲଢୁଆ ସିପାହୀ: ଶାରିରୀକ ଅକ୍ଷମତା ପାଇଁ ସେ କେବେ ବି ଭାଗ୍ୟକୁ ନିନ୍ଦି ନାହାନ୍ତି । ନିଜ ପରିଶ୍ରମ ଦ୍ବାରା ନିଜ ପରିବାର କୁଟୁମ୍ବ ଚଳାନ୍ତି । ପେଶାରେ ସେ ଟ୍ରକ୍ ଚାଳକ ଥିଲେ କିନ୍ତୁ ତାଙ୍କ ଡାହାଣ ଗୋଡ଼ରେ ଫାଇଲେରିଆ ଗୋଡ଼କୁ କାଟିବାକୁ ପଡିଲା । ଗୋଡ଼ କାଟିବା ପରେ ପ୍ରଫୁଲ ପାଲଟି ଗଲେ ଭିନ୍ନକ୍ଷମ । ଆଉ ତାଙ୍କ ସହାରା ପାଲଟିଲା ଆଶା ବାଡି । ଜୀବନ ଯୁଦ୍ଧରେ ସିନା ଗୋଡ଼ ହରାଇଲେ କିନ୍ତୁ ସେ ହାରି ନଥିଲେ । ହାତଉଧାରି କରି ଏକ ପସେଞ୍ଜର ଅଟୋ ଟିଏ କରି ସେଇ ଗୋଟିଏ ଗୋଡ଼ରେ ଚଳାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ସେ ।

ପ୍ରଫୁଲ୍ଲଙ୍କ ପରିବାର: ପରିବାର କହିଲେ ପ୍ରଫୁଲ ଓ ତାଙ୍କ ପତ୍ନୀ । ନା ଆଗକୁ କିଏ ଅଛି ନା ପଛକୁ । ତଥାପି ସରକାରଙ୍କ ପକ୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଗୋଟିଏ ଆବାସ ଯୋଜନାରେ ଘର ପାଇଛନ୍ତି । ସେଇ ଘରେ ଆଭାବ ଅନଟନରେ ଦିନ କଟୁଛନ୍ତି ଦୁଇ ଦମ୍ପତ୍ତି । ମହାନ ହୃଦୟର ମଣିଷ ପ୍ରଫୁଲ୍ଲଙ୍କ କୌଣସି ସନ୍ତାନ ନଥିବାରୁ ସେ ଅନ୍ୟର ଝିଅକୁ ଝିଅ କରି ବିବାହ ଦେଇଛନ୍ତି ।

ପ୍ରଫୁଲ୍ଲ କହିଛନ୍ତି, ‘‘ବୟସ ବଢିଚାଲିଥିବା ବେଳେ ସେ ଆଗକୁ ଆଉ ଅଟୋ ଚଳାଇ ରୋଜଗାର କରିପାରିବେନି । ସରକାର ତାଙ୍କ ପାଇଁ ଏକ ଭିନ୍ନକ୍ଷମ ଋଣ କରାଇଦେଲେ ସେ ଛୋଟ ତେଜରାତି ଦୋକାନଟିଏ କରି ବାକି ଜୀବନ ଜିଇଁବାକୁ ଇଚ୍ଛା ରଖିଛନ୍ତି । ସେହିପରି ଏକ ଟ୍ରାଇ ସାଇକେଲ ଓ କୃତିମ ଗୋଡ଼ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।’’

ପ୍ରଫୁଲ୍ଲ ଜଣେ ମେଳାପୀ ଭଦ୍ର ଏବଂ ଉପାସରେ ରହିଥିଲେ ମଧ୍ୟ ସେ କାହା ଆଗରେ ଦିନେ ହାତ ପତାଏ ନାହିଁ ବୋଲି କହିଛନ୍ତି ପଡୋଶୀ । ସେହିପରି ସରକାର ପ୍ରଫୁଲ୍ଲଙ୍କୁ ଆବଶ୍ୟକ କରୁଥିବା ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘‘ପ୍ରଫୁଲ୍ଲଙ୍କ ପାଇଁ ଭିନ୍ନକ୍ଷମ ଭର୍ତ୍ତା କରାଯାଇଛି । ଭନ୍ନକ୍ଷମ ଋଣ ଓ କୃତ୍ତିମ ଗୋଡ ପାଇଁ ସରକରାଙ୍କୁ ଏକ ଆବେଦନ ପତ୍ର ପଠାଯାଇଛି । ପ୍ରଫୁଲ୍ଲଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରାଯିବ ।’’



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.