ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭିନ୍ନକ୍ଷମ ଆଇଇଭି

author img

By

Published : Mar 15, 2023, 12:27 PM IST

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭିନ୍ନକ୍ଷମ ଆଇଇଭି
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭିନ୍ନକ୍ଷମ ଆଇଇଭି

ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଭିନ୍ନକ୍ଷମ ଆଇଇଭି । ଦାବି ପୂରଣ ନହେଲେ ଧାରଣା ପ୍ରଦର୍ଶନ କରିବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭିନ୍ନକ୍ଷମ ଆଇଇଭି

ବାଲେଶ୍ବର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ଵେଚ୍ଛାସେବୀମାନଙ୍କୁ ସରକାରୀ ସ୍ତରରେ ଉପେକ୍ଷା କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୧ ବର୍ଷର ଅଭିଜ୍ଞତା ଥିଲେ ମଧ୍ୟ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ନଥିବାବେଳେ ଛଟେଇ କରାଯାଉଛି । ଏଭଳି ଅଭିଯୋଗ କରି ବାଲେଶ୍ବର ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ଵେଚ୍ଛାସେବୀମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଅଭିଯୋଗ ଅନୁସାରେ, ବାଲେଶ୍ଵର ଜିଲ୍ଲାର ୪୦ ଜଣ ଭିନ୍ନକ୍ଷମ ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ (ପିଏଚଆଇଇଭି) ତଥା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ ଭାବରେ ୧୧ ବର୍ଷ ହେବ ପ୍ରତିଦିନ ୨ଟି ଭିନ୍ନକ୍ଷମ ପିଲାଙ୍କୁ ହୋମ୍ ବେସ୍ ଏଜୁକେସନ୍ ଦେଉଛନ୍ତି । ଏହାସହିତ ୨ଟି ବିଦ୍ୟାଳୟକୁ ଯାଇ ଭିନ୍ନକ୍ଷମ ପିଲାଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷାଦାନ କରିଆସୁଛନ୍ତି । ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରତ୍ୟେକ ଶିକ୍ଷକ ୪ ରୁ ୫ଟି ପଞ୍ଚାୟତର ପ୍ରତ୍ୟେକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଦାୟିତ୍ୱ ବହନ କରୁଛନ୍ତି ।

ମାତ୍ର ଦୁଃଖର ବିଷୟ ୧୧ ବର୍ଷ ପରେ ମଧ୍ୟ ସେମାନଙ୍କ ଚାକିରି ନିୟମିତ କରାଯାଉ ନାହିଁ । ମାସିକ ବେତନ ୪ ହଜାର ୭୬୦ଟଙ୍କା ଛଡା ଅନ୍ୟ କିଛି ସୁବିଧା ପ୍ରଦାନ କରାଯାଉ ନାହିଁ । ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ଭିନ୍ନକ୍ଷମଙ୍କୁ ୬ ବର୍ଷରେ ନିୟମିତ କରିବା ପରିବର୍ତ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବର୍ଷକୁ ଥରେ ଛଟେଇ କରି ନିୟମିତ ହେବାରୁ ବଞ୍ଚିତ କରୁଛନ୍ତି । ଏମିତିକି ମାସିକ ବେତନ ପ୍ରତିମାସରେ ଦେବା ପରିବର୍ତ୍ତେ ପ୍ରତି ୬ ମାସରେ ଦିଆଯାଉଛି । ଯାହାଦ୍ବାରା ଏହି ଭିନ୍ନକ୍ଷମ ଶିକ୍ଷକମାନେ ପରିବାର ପ୍ରତିପୋଷଣ କରିବାରେ ମଧ୍ୟ ଅସମର୍ଥ ହେଉଛନ୍ତି ।

ସେମାନେ ଦୀର୍ଘ ବର୍ଷ ହେବ ଏହି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିପାରି ନାହିଁ । ଏଭଳି ଭାବେ ପିଏଚଆଇଇଭିଙ୍କ ଛଟେଇକୁ ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି ଓ ସରକାରୀ କର୍ମଚାରୀଙ୍କ ଭଳି ଦରମା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଓଡ଼ିଶାର ସମସ୍ତ ଭିନ୍ନକ୍ଷମ ଆଇଇଭିମାନେ ବିଧାନସଭା ଚାଲୁଥିବାବେଳେ ନିଜର ହକ୍ ପାଇଁ ରାଜରାସ୍ତାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.