ETV Bharat / state

ବାଲେଶ୍ଵର ବେଳାଭୂମିରେ ନୂଆ ଅତିଥି, ଅଲିଭ ରିଡଲେଙ୍କ ଅଣ୍ଡାଦାନ

author img

By ETV Bharat Odisha Team

Published : Nov 23, 2023, 9:37 PM IST

ବାଲେଶ୍ଵର ବେଳାଭୂମିରେ ନୂଆ ଅତିଥି , ଅଲିଭ ରିଡଲେ ଦେଇଛି 106ଟି ଅଣ୍ଡା
ବାଲେଶ୍ଵର ବେଳାଭୂମିରେ ନୂଆ ଅତିଥି , ଅଲିଭ ରିଡଲେ ଦେଇଛି 106ଟି ଅଣ୍ଡା

Olive Ridley lay eggs in Balasore: ପ୍ରଥମ ଅଲିଭ ରିଡ଼ଲେ ଆସି ପହଁଚିଛନ୍ତି ବାଲେଶ୍ଵର ଜିଲ୍ଲାର ଡଗରା-ଚଉମୁଖ ସମୁଦ୍ର ବେଳାଭୂମିରେ । କଇଁଛ ଦେଇଛି ୧୦୬ଟି ଅଣ୍ଡା । ଅଧିକ ପଢନ୍ତୁ

ବାଲେଶ୍ଵର: ଶୀତଦିନର ବେଳାଭୂମି ଅତିଥିର ଆଖ୍ୟା ଦିଆଯାଉଥିବା ଅଲିଭ ରିଡ଼ଲେ କଇଁଛ ବାଲେଶ୍ୱରରେ ପହଞ୍ଚିଛନ୍ତି । ଏବର୍ଷ ସମୟ ପୂର୍ବରୁ ଅଲିଭ ରିଡ଼ଲେ ସମୁଦ୍ରକୂଳରେ ପହଁଚିଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲାର ଡଗରା-ଚଉମୁଖ ସମୁଦ୍ର ବେଳାଭୂମିରେ ଅଲିଭ୍ ରିଡଲେ କଇଁଛର ପ୍ରଥମ ବସା ବାନ୍ଧିବାକୁ ଆସିଛି । ଅକ୍ଟୋବର ୩୦ ତାରିଖ ଦିନ ଗୋଟିଏ ଅଲିଭ୍ ରିଡ଼ଲେ ଆସି ୧୦୬ଟି ଅଣ୍ଡାଦାନ କରିଛି ବୋଲି ଜଣାପଡିଛି ।

ତେବେ ଅଲିଭ ରିଡ଼ଲେ ଓ ସେମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ବନଖଣ୍ଡ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ୍ ପ୍ରସ୍ତୁତ କରାଯାଇ କର୍ମଚାରୀମାନେ ସେଠାରେ ରହି ଜଗିଛନ୍ତି । ଏହା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମେ ମାସ ପର୍ଯ୍ୟନ୍ତ ମନିଟୋରିଂ ଚାଲିବ । ପ୍ରତିବର୍ଷ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅଲିଭ ରିଡ଼ଲେଙ୍କ ଆଗମନ ହୋଇଥାଏ । ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ରେଞ୍ଜର ଚଉମୁଖ, ହସକରା ଓ ପରିଖି ବେଳାଭୂମି ଏବଂ ଜଳେଶ୍ବର ରେଞ୍ଜର ଏନଏମ ପଡିଆ, ତାଳସାରି ଓ କୀର୍ତ୍ତନିଆ ବେଳାଭୂମିକୁ ପ୍ରତିବର୍ଷ ଅଲିଭ ରିଡ଼ଲେ ଅଣ୍ଡା ଦେବାକୁ ଆସନ୍ତି । ବିଶେଷକରି ଚଉମୁଖ, ଡଗରା, ତାଳସାରି ଓ ମୂରଲୀଛଡାର ସମୁଦ୍ର କୂଳକୁ ଅଧିକ ପରିମାଣରେ ଅଲିଭ୍ ରିଡ଼ଲେ ଆସି ଅଣ୍ଡା ଦେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ... ହାଇକୋର୍ଟରେ କଇଁଛ ସୁରକ୍ଷା ମାମଲା, ସୁରକ୍ଷାକର୍ମୀ ନିୟୋଜନ ନେଇ ପ୍ରକ୍ରିୟା ଜାରି

ତେବେ ଅଲିଭ ରିଡ଼ଲେଙ୍କ ପାଇଁ କିଛି ବର୍ଷ ହେବ ବାଲେଶ୍ବର ଉପକୂଳ ଏକ ଉପଯୁକ୍ତ ସ୍ଥାନ ପାଲଟିଯାଇଛି । ଅଲିଭ ରିଡ଼ଲେଙ୍କ ଆଗମନ ସମୟରେ ସମୁଦ୍ରରେ ମାଛଧରା ଓ ଟ୍ରଲର୍ ଚଳାଚଳରେ କଟକଣା ଲଗାଯାଇଥାଏ। ବିଗତ ୪ ବର୍ଷ ମଧ୍ୟରେ ବାଲେଶ୍ୱରରେ ଅଲିଭ୍ ରିଡ଼ଲେ ଆଗମନ ସଂଖ୍ୟା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ, ୨୦୧୮-୧୯ ମସିହାରେ ଜଳେଶ୍ଵରକୁ ୨ଟି କଇଁଛ ଆସି ୨୧୧ଟି ଅଣ୍ଡା ଦେଇଥିଲେ । ସେହିପରି ୨୦୧୯-୨୦ ରେ ଚାନ୍ଦିପୁରକୁ ୪ଟି କଇଁଛ ଆସି ୨୨୨ଟି ଅଣ୍ଡା ଦେଇଥିବା ବେଳେ ଜଳେଶ୍ଵର ରେଞ୍ଜରେ ୨ଟି କଇଁଛ ୧୫୯ଟି ଅଣ୍ଡାଦାନ କରିଥିଲେ ।

୨୦୨୦-୨୧ ରେ ଚାନ୍ଦିପୁର ରେଞ୍ଜକୁ ଗୋଟିଏ କଇଁଛ ଆସି ୧୯୮ ଟି ଏବଂ ଜଳେଶ୍ଵରକୁ ଗୋଟେ କଇଁଛ ଆସି ୧୦୭ଟି ଅଣ୍ଡା ଦେଇଥିଲେ । ସେହିପରି ୨୦୨୧-୨୨ ମସିହାରେ ୧୯ଟି କଇଁଛ ଆସି ୧୯୨୯ଟି ଅଣ୍ଡା ଦେଇଥିଲେ । ଚଳିତବର୍ଷ ଅର୍ଥାତ୍ ୨୦୨-୨୩ ବର୍ଷରେ ପ୍ରଥମେ ଗୋଟାଏ କଇଁଛ ବାଲେଶ୍ୱରକୁ ଆସି ୧୦୬ଟି ଅଣ୍ଡାଦାନ କରିଛି । ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ବାଲେଶ୍ୱରକୁ ୨୯ଟି ଅଲିଭ ରିଡ଼ଲେ ଆସି ୨୮୨୬ଟି ଅଣ୍ଡା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.