ETV Bharat / state

Assault On Lady Journalist: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି

author img

By ETV Bharat Odisha Team

Published : Nov 5, 2023, 7:47 AM IST

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା ନେଇ ବଲାଙ୍ଗୀରରେ ତୀବ୍ର ଅସନ୍ତୋଷ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କଲେ ବିଭିନ୍ନ ସାମ୍ବାଦିକ ସଂଗଠନ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି
ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି

ବଲାଙ୍ଗୀର: ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ସିନେମା ପ୍ରଯୋଜକ ମାଡ଼ ମାରିବା ଓ ଦୁର୍ବ୍ୟବହାର ଘଟଣାରେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କ୍ରମରେ ବଲାଙ୍ଗୀରର ବିଭିନ୍ନ ସାମ୍ବାଦିକ ସଂଗଠନ ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଅଭିଯୁକ୍ତ ପ୍ରଯୋଜକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ।

ଗତ ଶୁକ୍ରବାର ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଖବର ସଂଗ୍ରହ ସମୟରେ ସିନେମା ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାର ଦିନକ ପରେ ପୋଲିସ ତାଙ୍କୁ ଗିରଫ କରିଛି । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସଂଘର ଉପସଭାପତି ବଳରାମ ମିଶ୍ର କହିଛନ୍ତି ଯେ, ସିନେ ପ୍ରଯୋଜକ ଟୁଟୁ ନାୟକ ଜଣେ ସାମ୍ବାଦିକାଙ୍କ କାର୍ଯ୍ୟରେ ବାଧା ଦେବା ଓ ତାଙ୍କୁ ମାଡ଼ ମାରିବା ନିହାତି ଭାବରେ ନିନ୍ଦନୀୟ । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି । ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ସାମ୍ବାଦିକ ।

ଏହାମଧ୍ୟ ପଢନ୍ତୁ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

ସେହିପରି ଓଡ଼ିଶା ସାମ୍ବାଦିକ ସଂଘ, ଜାତୀୟ ସାମ୍ବାଦିକ ସଂଘ ଓ ପ୍ରେସ୍‌ କାଉନସିଲର ସଦସ୍ୟ ପ୍ରସନ୍ନ ମହାନ୍ତି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲିସ ଅଭିଯୁକ୍ତ ପ୍ରଯୋଜକଙ୍କୁ ଗିରଫ କରିଛି । ଏତିକି ଯଥେଷ୍ଟ ନୁହେଁ । ଓଡ଼ିଶାରେ ଏଭଳି ଘଟଣା ବାରମ୍ବାର ଘଟୁଛି । ସାମ୍ବାଦିକଙ୍କ ସୁରକ୍ଷା ବିପନ୍ନ । ଅଭିଯୁକ୍ତ ପ୍ରଯୋଜକଙ୍କୁ କଠୋର ଦଣ୍ଡ ବିଧାନ ହେଉ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବାରମ୍ବାର ସରକାରଙ୍କ ପାଖରେ ଦାବି କରୁଥିଲେ ହେଲେ ହେଁ ସରକାର କର୍ଣ୍ଣପାତ କରୁନାହାନ୍ତି ।

ପଡ଼ୋଶୀ ଛତିଶଗଡ଼, ମହାରାଷ୍ଟ୍ର ଭଳି ରାଜ୍ୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି । ଓଡ଼ିଶା ସବୁରେ ଆଗରେ ଥିବାବେଳେ ଏଥିରେ ମଧ୍ୟ ଆଗରେ ଆସୁ ଓ ଉଦାହରଣ ସୃଷ୍ଟି କରି ସାମ୍ବାଦିକ ସୁରକ୍ଷା ପାଇଁ ଆଇନ ଆଣୁ ବୋଲି କହିଛନ୍ତି ପ୍ରସନ୍ନ ମହାନ୍ତି । ଓଡ଼ିଶା ସରକାର ମାଆକୁ ସମ୍ମାନ, ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା କରିଛନ୍ତି । ଏପରି ସ୍ଥଳେ ରାଜଧାନୀରେ ଜଣେ ମହିଳା ସାମ୍ବାଦିକାଙ୍କ ପ୍ରତି ଏଭଳି ଆଚରଣ ସରକାରଙ୍କୁ ମଧ୍ୟ ନିନ୍ଦିତ କରିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.