ETV Bharat / state

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

author img

By ETV Bharat Odisha Team

Published : Nov 4, 2023, 10:48 PM IST

ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣାରେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତ୍ତମାନ ତାଙ୍କୁ ବିଚାର ବିଭାଗୀୟ ହାଜରେ ରଖାଯାଇଥିବାବେଳେ ସୋମବାର ପରବର୍ତ୍ତୀ ଶୁଣାଣି କରାଯିବ । ଅଧିକ ପଢନ୍ତୁ

film producer tutu nayak in jharpada jail
ଝାରପଡ଼ା ଜେଲରେ ପ୍ରଯୋଜକ ଟୁଟୁ ନାୟକ

ଝାରପଡ଼ା ଜେଲରେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣା । ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ । ଆଜି ଖାରବେଳନଗର ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଦୀର୍ଘ ସମୟର ଜେରା ପରେ ତାଙ୍କୁ ଝାରପଡ଼ା ଜେଲ୍ ପଠାଯାଇଛି । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଟୁଟୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୋମବାର ଜାମିନ ଉପରେ ଆସିବ ରାୟ । ଶୁକ୍ରବାର ଟୁଟୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତ । ଏନେଇ ପୋଲିସ ଆଜି କଟକରୁ ଟୁଟୁଙ୍କୁ ଆଣି ଖାରବେଳନଗର ଥାନାରେ ପଚରାଉଚରା କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।

ବିଚାରବିଭାଗୀୟ ହାଜତ ଗଲେ ବିବାଦୀୟ ପ୍ରଯୋଜକ ଟୁଟୁ । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଜେଲ୍ ଗଲେ ଟୁଟୁ ନାୟକ। କଡ଼ା ସୁରକ୍ଷା ବଳୟରେ ପୋଲିସ ତାଙ୍କୁ ଝାରପଡ଼ା ଜେଲ୍ ନେଇଛି । ଟୁଟୁଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଲେ SDJM କୋର୍ଟ । ଜାମିନ ଆବେଦନ ଉପରେ ସୋମବାର ପୁନଃଶୁଣାଣି କରିବେ କୋର୍ଟ । ସଙ୍ଗୀନ ଦଫାରେ ଗିରଫ ହୋଇଛନ୍ତି ସଞ୍ଜୟ ନାୟକ ଓରଫ୍‌ ଟୁଟୁ । ଖାରବେଳନଗର ଥାନା ଆଇଆଇସି କହିଛନ୍ତି, "ଗତକାଲି ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଜଣେ ମହିଳା ସବଇନ୍ସପେକ୍ଟର ଏହାର ତଦନ୍ତ କରୁଥିଲେ । ଗତକାଲି ହୋଇଥିବା ଅଭିଯୋଗ ଆଧାରରେ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା । ଏହି ଘଟଣା ସର୍ବସାଧାରଣରେ ହୋଇଥିଲା । ଭିଡିଓ ଫୁଟେଜ ଆଧାରରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଇଛି । ଏନେଇ ଅଭିଯୋଗକାରୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି ।"

ସୂଚନା ଅନୁସାରେ, ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ସେ ଖବର ଅପେକ୍ଷାରେ ଛିଡା ହୋଇଥିବା ବେଳେ ଓଲିଉଡର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡା ମାରିଥିଲେ । ଏଥିରେ ତାଙ୍କର ବୁମ୍ ତଳେ ପଡି ଯାଇଥିବା ବେଳେ ଟୁଟୁ ନଉଠାଇ ଚାଲିଯାଇଥିଲେ । ଏନେଇ ସାମ୍ବାଦିକ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପରେ ଟୁଟୁ ନାୟକ ସାମ୍ବାଦିକାଙ୍କୁ ହ୍ବାଟ୍ସଅପ ମାଧ୍ୟମରେ 'Sorry' କହିଥିଲେ । ହେଲେେ ନ୍ୟାୟ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାମ୍ବାଦିକା ।

ଏହା ବି ପଢନ୍ତୁ...Attack on Journalist: ଝାରପଡ଼ା ଜେଲ୍ ଗଲେ ଟୁଟୁ ନାୟକ, ସୋମବାର ଆସିବ ପରବର୍ତ୍ତୀ ରାୟ

ଏହି ପରିପ୍ରେକ୍ଷୀରେ ଓଡ଼ିଶା ୱିମେନ ଇନ ମିଡିଆ ପକ୍ଷରୁ ଡିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ମହିଳା ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଦିଗରେ ପୋଲିସର ସହାୟତା ନିତାନ୍ତ ଆବଶ୍ୟକ ବୋଲି ନିବେଦନ କରିଛନ୍ତି । ତେବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଡିସିପି । ସେପଟେ ମହିଳା କମିଶନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.