ଚଳଚଞ୍ଚଳ ବଲାଙ୍ଗୀର ପୂଜା ମଣ୍ଡପ, ଆଜିଠୁ ଶକ୍ତିପୀଠରେ ନବରାତ୍ରୀ ପୂଜା

author img

By

Published : Sep 26, 2022, 7:52 AM IST

durga puja preparation in balangir

ଆଜି ଠାରୁ ଜଗତ ଜନନୀ ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗୀର ସହର । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଧରାବତରଣ କରିବେ ଦୁର୍ଗତି ନାଶିନୀ ମା' ଦୁର୍ଗା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗୀର ସହର । ସବୁ ପୂଜା ମଣ୍ଡପର ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି । କାରିଗରମାନେ ମା'ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି । ସେହିପରି ପୂଜା କମିଟି ପକ୍ଷରୁ ତୋରଣ ସାଜସଜ୍ଜା ମଧ୍ୟ ଚୁଡାନ୍ତରେ ପହଞ୍ଚିଛି । ଅନେକ ପୂଜା କମିଟି ରାଜ୍ୟ ବାହାରୁ ଓ ଜିଲ୍ଲା ବାହାରୁ କାରିଗରମାନଙ୍କୁ ଆଣି ଉତ୍କୃଷ୍ଟ ସାଜ ସଜ୍ଜାରେ ଲାଗି ପଡିଛନ୍ତି।

ଚଳଚଞ୍ଚଳ ବଲାଙ୍ଗୀର ପୂଜା ମଣ୍ଡପ

ଆଲୋକ ସାଜସଜ୍ଜା ଠାରୁ ନେଇ ତୋରଣ ଓ ମଣ୍ଡପକୁ ଭଳିକି ଭଳି ଆଖି ଝଲସିଲା ଭଳି ସୁନ୍ଦର ରୂପରେ ଗଢିବାରେ ଲାଗିଛନ୍ତି । ତେବେ ଏଥର ବିନା କଟକଣାରେ ପୂଜା ହେବାକୁ ଥିବାବେଳେ ଉଭୟ ପୂଜା କମିଟି ଓ ଭକ୍ତ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ସବୁ ପୂଜା ମଣ୍ଡପ ରୀତିନୀତି ଅନୁସାରେ ମା'ଙ୍କ ପୂଜା ପାଇଁ ପ୍ରସ୍ତୁତି କରିଥିବା ବେଳେ ଭକ୍ତଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ିର ଆୟୋଜନ କରାଯିବ । ବଲାଙ୍ଗୀରରେ ଚଳିତ ବର୍ଷ 21ଟି ପୂଜା ମଣ୍ଡପରେ ମା' ଦୁର୍ଗା ପୂଜା ପାଇବେ । ସହରର ରୁଗୁଡି ପଡ଼ା ଓ ଏବିଏସଏସ ପଡ଼ା ଦୁର୍ଗା ମନ୍ଦିରରେ ନବଦୁର୍ଗା ଓ ନବରାତ୍ର ପୂଜା ଅନୁଷ୍ଠିତ ହେବ।

ଏହା ମଧ୍ୟ ପଢ଼ନ୍ତୁ: ଚଳଚଞ୍ଚଳ ଶକ୍ତିପୀଠ, ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା

ସେହିପରି ବଲାଙ୍ଗୀରର ଇଷ୍ଟ ଦେବୀ ସମଲେଇଙ୍କ ପୀଠରେ ମଧ୍ୟ ମା'ଙ୍କ ନବରାତ୍ର ପୂଜା ହେବ । ଏହି ଅବସରରେ ସମଲେଇଙ୍କ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂଜା ସମୟରେ ପ୍ରବଳ ଗହଳି ଏବଂ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପୋଲିସ ପ୍ରଶାସନ ସବୁ ପ୍ରସ୍ତୁତି କରିଛି । ଏନେଇ ବଲାଙ୍ଗୀର ଏସଡିପିଓ କହିଛନ୍ତି," ସବୁ ପୂଜା କମିଟି ସହ ଆଲୋଚନା କରି ସମସ୍ତଙ୍କ କାର୍ଯ୍ୟକ୍ରମ ଅନୁସାରେ ପୋଲିସ ମୁତୟନ କରାଯାବ । ପୂଜା ନାଁରେ ଚାନ୍ଦା କିମ୍ବା ଅସାମାଜିକ କାମକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଲୋକଙ୍କ ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ଥିବା ବେଳେ ତିନୋଟି ଫୋନ୍ ନମ୍ବର 112, 06652 232300 ଓ ମୋବାଇଲ ନମ୍ବର 8763015726 ଜାରି କରିଛି। " କୌଣସି ପରିସ୍ଥିତିରେ ମଧ୍ୟ ପୋଲିସ ଅଭିଯୋଗ ପାଇଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.