ଚଳଚଞ୍ଚଳ ଶକ୍ତିପୀଠ, ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା

author img

By

Published : Sep 25, 2022, 9:59 PM IST

ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା

ଚଳଚଞ୍ଚଳ ଶକ୍ତିପୀଠ । ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଚିକିଟି ଗଡର ଅଧିଷ୍ଠାତ୍ରୀ ଦେବୀ ମା' ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ସମୟରେ ପାରମ୍ପରିକ ରୀତିନୀତିରେ ଆୟୋଜିତ ହେବାକୁ ଯାଉଛି ମା'ଙ୍କ ସ୍ୱତନ୍ତ୍ର ପୁଜାର୍ଚ୍ଚନା । ଅଧିକ ପଢନ୍ତୁ

ଗଞ୍ଜାମ: ଆରମ୍ଭ ହୋଇଯିବ ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତିପୀଠ ଗୁଡିକରେ ୯ଦିନ ଧରି ୯ଟି ରୂପରେ ପୂଜା ପାଇବେ ମା’ ଦୁର୍ଗା । ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଚିକିଟି ଗଡର ଅଧିଷ୍ଠାତ୍ରୀ ଦେବୀ ମା ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜାପାଇଁ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଥାଏ ମା'ଙ୍କ ସ୍ବତନ୍ତ୍ର ପୁଜାର୍ଚ୍ଚନା।

ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା

ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଗଞ୍ଜାମ ଜିଲ୍ଲାର ଚିକିଟି ଗଡର ଅଧିଷ୍ଠାତ୍ରୀ ଦେବୀ ମା ବାଳକୁମାରୀ । ମା'ଙ୍କ ପୀଠ ଚିକିଟି ବ୍ଳକ ଅନ୍ତର୍ଗତ ଧାନଘର ଛକ ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଥିବା କେରାଣ୍ଡିମାଳ ପର୍ବତ ଶିଖରରେ ମା' କାହିଁ କେଉଁ କାଳରୁ ବିରାଜମାନ ହୋଇ ଆସିଛନ୍ତି । ଏନେଇ ମା'ଙ୍କ ପୀଠର ଇତିହାସ ପୃଷ୍ଠାରୁ ଜଣା ପଡେ ପ୍ରାୟ ୮୮୧ ଖ୍ରୀଷ୍ଟାବ୍ଦରୁ ଚିକିଟି ଗଡ଼ ପ୍ରତିଷ୍ଠା ସମୟରୁ ହିଁ କୁଆଡେ ମା' ପୂଜା ପାଇ ଆସୁଛନ୍ତି । କୁହାଯାଏ ଚିକିଟି ରାଜ ପରିବାରର ବଂଶଜ ରାଜା କେଶବ ରାଉତରାୟ ବହୁ ବର୍ଷ ପୂର୍ବେ ଏକ ସ୍ବପ୍ନାଦେଶ ପାଇ ବୋଦାଗିରିରେ ପ୍ରଥମେ ମା' ଙ୍କୁ ଠାବ କରିଥିଲେ । ମା' ପିଲା ରୂପରେ ରହିଥିବାରୁ ବାଳକୁମାରୀ ବୋଲି ନାମକରଣ କରି ପୂଜାର୍ଚ୍ଚନା କରିଥିଲେ । ଏପରିକି ସେଠାରେ ରହିଥିବା ଏକ ଜନଜାତିକୁ ପରାସ୍ତ କରି ରାଜା ମା'ଙ୍କୁ ନିଜ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରି ଆସୁଥିଲେ । ତେବେ କାଳକ୍ରମେ ବିଭିନ୍ନ କାରଣରୁ ରାଜା ସେଠାରେ ନ ପହଞ୍ଚିପାରିବା ଯୋଗୁଁ ଦେବୀଙ୍କ ଶରଣାପର୍ଣ୍ଣ ହୋଇଥିବାରୁ ମା' ବାଳକୁମାରୀ ନିଜ ଗଡ଼ ସୀମାରେ ମନ୍ଦିର ସ୍ଥାପନ କରିବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡିଛି ।

ତେବେ ମାଆଙ୍କ ନିକଟରେ ବର୍ଷ ତମାମ ଉଭୟ ଆନ୍ଧ୍ର ଓ ଓଡିଶାର ଭକ୍ତ ମାନଙ୍କ ଭିଡ ଜମୁଥିବା ବେଳେ ନିୟମିତ ଭାବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । ଭୋର ସମୟରୁ ମାର୍ଜଣା ସହିତ ରାତ୍ର ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୂଜାର୍ଚ୍ଚନା ହେଉଥିବା ବେଳେ ଶାରଦୀୟ ପୂଜା ସମୟରେ ଏଠାରେ ପ୍ରତ୍ୟେକ ବର୍ଷ ଆଶ୍ବିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା'ଙ୍କ ପୀଠରେ ନବରାତ୍ର ପୂଜା ହୋଇଥାଏ । ଏହି ସମୟରେ ମା'ଙ୍କ ଦୁଇ ବେଳା ସ୍ନାନ ସହିତ ଦଶ ମହାବିଦ୍ୟାଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏପରିକି ଶାରଦୀୟ ପୂଜା ସମୟରେ ପ୍ରତ୍ୟେକ ଦିନ ସକାଳର ସୂର୍ଯ୍ୟ ଉପାଚାର ପୂଜା ଠାରୁ ଆରମ୍ଭ କରି ରାତ୍ରର ଚଣ୍ଡୀପାଠ ପର୍ଯ୍ୟନ୍ତ ମା'ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏପରିକି ସନ୍ଧ୍ୟା ଆଳତି, ୧୦୦୮ ପଦ୍ମ ଓ ବେଲପତ୍ର ମାଆଙ୍କୁ ପ୍ରଦାନ ସହ ସହସ୍ରାଭିଷେକ, ଅନ୍ନଭୋଗ ସହିତ ବିଭିନ୍ନ ପ୍ରକାରର ପିଠାପଣା ଭୋଗ ମାଆଙ୍କ ନିକଟରେ ଲାଗି କରାଯାଇଥାଏ । ସେପଟେ ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ମାଆଙ୍କ ପୀଠରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବା ବେଳେ ଚଳିତବର୍ଷ ନବରାତ୍ର ପୂଜାରେ ମାଆଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏଥିସହ ପୂଜା ସମୟରେ କାହିଁ କେଉଁ ଦୂରରୁ ଭକ୍ତଙ୍କ ସୁଅ ଛୁଟିଥାନ୍ତି ।

ଏହାଛଡା ପୂର୍ବରୁ ଭକ୍ତ ମାନେ ମା' ଙ୍କ ଶିଖରରେ ପହଞ୍ଚିବା ପାଇଁ ପ୍ରାୟ ୧୨୭୨ ପାହାଞ୍ଚ ଅତିକ୍ରମ କରି ଯିବାକୁ ପଡୁଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ବର୍ଷ ତଳେ ମାଆଙ୍କ ପୀଠକୁ ଯାତାୟତ କରିବା ପାଇଁ ରାସ୍ତା ଠାରୁ ଆରମ୍ଭ କରି ଅନେକ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଭକ୍ତ ମାନେ ନିଜର ଯାନବାହାନ ଯୋଗେ ମାଆଙ୍କ ପୀଠରେ ପହଞ୍ଚିବା ଏକ ପ୍ରକାର ସହଜସାଧ୍ୟ ହୋଇପାରିଛି । ସେପଟେ ମା'ଙ୍କ ପାଖରେ ଯାହା ମନସ୍କାମନା କରାଯାଇଥାଏ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି । ତେବେ ମା'ଙ୍କ ପୀଠକୁ ଆସିବାକୁ ଚାହୁଁଥିବା ଭକ୍ତମାନେ ପ୍ରଥମେ ବ୍ରହ୍ମପୁର ଠାରୁ ସୋରଳ ରାସ୍ତା ଦେଇ ପିତାତଳୀ ଗ୍ରାମ ଠାରୁ ୨୫ କିଲୋମିଟର ଦୂର ରାମଗୁଡା ଗ୍ରାମରେ ପହଞ୍ଚିବାକୁ ପଡ଼ିଥାଏ । ବର୍ତ୍ତମାନ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଯୋଗୁଁ ଲୋକେ ଯାନବାହାନ ନେଇ ମନ୍ଦିର ଉପରକୁ ପହଞ୍ଚିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମା'ଙ୍କ ପୀଠରେ ଦର୍ଶନ କରିଥାନ୍ତି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.