ETV Bharat / state

ବଲାଙ୍ଗୀରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

author img

By ETV Bharat Odisha Team

Published : Jan 5, 2024, 10:27 AM IST

Quit Steering Protest: ଆଜିଠୁ ବଲାଙ୍ଗୀରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଅଧିକ ପଢନ୍ତୁ

Quit Steering Protest
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ବଲାଙ୍ଗୀର: କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ନେଇ ବଢୁଛି ବିରୋଧ । ଏନେଇ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହି କ୍ରମରେ ବଲାଙ୍ଗୀରରେ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ସଂଘ । ଆଜିଠୁ(ଶୁକ୍ରବାର) ବଲାଙ୍ଗୀରରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି । ଯେଉଁ କାରଣରୁ ସହରରେ ଗାଡି ଚଳାଚଳ ପୁରାପୁରି ଠପ୍ ହୋଇଯାଇଛି । ବସ୍ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।

ସୂଚନା ଅନୁସାରେ, ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆଜି ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ସହରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ବଲାଙ୍ଗୀର ଘରୋଇ ବସ ଡ୍ରାଇଭର ଓ ଟ୍ୟାକ୍ସି ଡ୍ରାଇଭରମାନେ ମଧ୍ୟ ସାମିଲ ହୋଇଛନ୍ତି । ଫଳରେ ଯାତାୟତ ଠପ୍ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ଦେଖାଯାଇଛି ।

ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ: ଷ୍ଟିୟରିଂ ଛାଡ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ପାଇଁ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ବେଳେ ସରକାର ଦାବି ଶୁଣି ନୂଆ ଆଇନ ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର ସଂଘ । ଏହି ଆନ୍ଦୋଳନ ଯୋଗୁଁ ବସ୍ ସହିତ ଟ୍ୟାକ୍ସି ସେବା ମଧ୍ୟ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ: Driver Association Strike: ଦାବି ପୂରଣ ନହେବା ଯାଏଁ ଲଢେଇ ହେବ କହିଲେ ଆନ୍ଦୋଳନକାରୀ

ଡ୍ରାଇଭରଙ୍କ ପ୍ରତିକ୍ରିୟା: ଏନେଇ ଡ୍ରାଇଭର ଖଗେଶ୍ୱର ଲୁହା ଓ ରାଜେଶ ଜ୍ୟୋତି କହିଛନ୍ତି, "ମୋଦି ସରକାର ନୂଆ ଆଇନ ଆଣିଛନ୍ତି । ଯାହାକୁ ଆମେ ବିରୋଧ କରୁଛୁ । ଆଇନ ଅନୁସାରେ ଦୁର୍ଘଟଣା ଘଟାଇଲେ ଡ୍ରାଇଭର ଦୋଷୀ ହେବା ସହିତ 10 ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ । ଏହାସହ 7 ବର୍ଷରୁ ଊର୍ଦ୍ଧ୍ବ ଜେଲଦଣ୍ଡ ମଧ୍ୟ ଭୋଗିବେ । ଆମେ ଦୈନିକ ପାଞ୍ଚ ଶହ ଟଙ୍କା ପାଇଁ ପେଟପାଟଣା ଚିନ୍ତାରେ ଗାଡି ଚଲାଉଛୁ । ଆମର ମଧ୍ୟ ପରିବାର ଅଛି । ଏଭଳି ସ୍ଥିତିରେ କୌଣସି ଦୁର୍ଘଟଣା ଘଟିଲେ କେବଳ ଆମକୁ ଦାୟୀ କରିବା ଭଳି ଏହି ଆଇନକୁ ଆମେ ବିରୋଧ କରୁଛୁ । ଯେ ପର୍ଯ୍ୟନ୍ତ ଏହି ଆଇନ ଫେରସ୍ତ ନ ହୋଇଛି ଏହି ଆନ୍ଦୋଳନ ଜାରି ରହିବ ।"

ଅନ୍ୟପଟେ ଜଣେ ଯାତ୍ରୀ କହିଛନ୍ତି, "ଆମେ ଜାଣିନଥିଲୁ ଆଜି ଆନ୍ଦୋଳନ ହେବ । ବଲାଙ୍ଗୀରରୁ ନବରଙ୍ଗପୁର ଯିବାକୁ ବାହାରି ଥିଲୁ । କିନ୍ତୁ ବର୍ତ୍ତମାନ ଆମେ ବଲାଙ୍ଗୀରରେ ଫସି ରହିଯାଇଛୁ । ବସ୍ ସହିତ ଟ୍ୟାକ୍ସି ମଧ୍ୟ ଚଳାଚଳ ହେଉନାହିଁ । ଫଳରେ ଆମେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.