Driver Association Strike: ଦାବି ପୂରଣ ନହେବା ଯାଏଁ ଲଢେଇ ହେବ କହିଲେ ଆନ୍ଦୋଳନକାରୀ

By

Published : Mar 16, 2023, 6:57 PM IST

thumbnail

ଖୋର୍ଦ୍ଧା: ଦ୍ବିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଦଶ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବାର ଚେତାବନୀ ଦେଲା ଡ୍ରାଇଭର ମହାସଂଘ । ସରକାରଙ୍କ ପାଇଁ ମହାସଂଘ ପକ୍ଷରୁ ୧୦ଟି ଦାବି ଉପସ୍ଥାପନ କରାଯାଇଛି ।  

ତେବେ ଦାବି ହେଲା, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ କରିବା 55 ବର୍ଷ ପରେ ମାସିକ 5 ହଜାର ଟଙ୍କା ପେନସନ, ପ୍ରତି ଶହେ କିଲୋମିଟରରେ ପାର୍କିଂ, ଵିଶ୍ରାମଗାର ଓ ଶୌଚାଳୟ ନିର୍ମାଣ । ଦୁର୍ଘଟଣାଜନିତ ବୀମା ୨୦ ଲକ୍ଷ ଏବଂ ସେମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା ଭଳି ଦଶ ଦଫା ଦାବିରେ ଗତକାଲି(ବୁଧବାର)ଠାରୁ ଷ୍ଟିଅରିଂ ଛାଡି ଆନ୍ଦୋଳନକୁ ଓଲ୍ହାଇଛନ୍ତି ଡ୍ରାଇଭରମାନେ ।  

ଖୋର୍ଦ୍ଧାର 16ନଂ ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ, ଟାଙ୍ଗି, ଚିଲିକା, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡ଼ ଆଦି ସ୍ଥାନ ମାନଙ୍କରେ ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜାତୀୟ ରାଜପଥରେ ମଧ୍ୟ ଶହଶହ ସଂଖ୍ୟାରେ ଡ୍ରାଇଭର ପ୍ରତିବାଦ କରିଛନ୍ତି ଫଳରେ ବ୍ୟବସାୟିକ ଯାନ ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହେଉଥିବା ଦେଖିବକୁ ମିଳୁଛି ।  

ତେବେ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଡ୍ରାଇଭର ମାନେ କହିଛନ୍ତି । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ବିଭିନ୍ନ ସ୍ଥାନରେ ଅଟକିଛି ଶହଶହ ଟ୍ରକ । ଫଳରେ ମାଲ ପରିବହନ ପ୍ରଭାବିତ ହୋଇଛି ।  ବ୍ଲକ୍‌, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି ।  

ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି । ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ, ଅଗ୍ନିସେବା, ପ୍ରଶାସନିକ ସହିତ ଅନ୍ୟ କେତେକ ଗୁରୁତ୍ବ ପୁର୍ଣ୍ଣ ସେବାକୁ ବାଦ ଦେଇଛନ୍ତି । ସେପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ନଥିବାରୁ ବହୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହିଭଳି ଆନ୍ଦୋଳନ ଜାରି ରହିଲେ ଆଗକୁ ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । 
 

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.